ଏହି କାରଣ ଯୋଗୁଁ ଅଭିନେତ୍ରୀ ରେଖାଙ୍କ ସ୍ବାମୀ ମୁକେଶ ଅଗ୍ରଓ୍ବାଲ କରିଥିଲେ ଆତ୍ମହତ୍ୟା
20/09/2019 at 4:26 PM

ମୁମ୍ବାଇ ୨୦/୯: ରେଖା ହିନ୍ଦୀ ଫିଲ୍ମର ଜଣେ ସଫଳ ଅଭିନେତ୍ରୀ। ପ୍ରତିଭାଶାଳୀ ରେଖାଙ୍କୁ ହିନ୍ଦୀ ଫିଲ୍ମର ସବୁଠୁ ପ୍ରସିଦ୍ଧ ଅଭିନେତ୍ରୀଙ୍କ ମଧ୍ୟରେ ଗଣାଯାଏ। ରେଖା ତାଙ୍କ ଫିଲ୍ମ କ୍ୟାରିୟର ଜଣେ ଶିଶୁ କଳାକାର ଭାବେ ତେଲୁଗୁ ଫିଲ୍ମ ‘ରଙ୍ଗୁଳା ରତ୍ନମ୍’ ରୁ କରିଥିଲେ। କିନ୍ତୁ ହିନ୍ଦୀ ସିନେମାରେ ସେ ୧୯୭୦ମସିହାରେ ‘ସାଓ୍ବନ ଭାଦୋ’ ରୁ କ୍ୟାରିୟର ଆରମ୍ଭ କରିଥିଲେ। ୨୦୧୦ରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ।

ହିନ୍ଦୀ ସିନେମାର ଉମରାଓ ଜାନ୍ ଅଭିନେତ୍ରୀ ରେଖାଙ୍କ ବାସ୍ତବ ଜୀବନ କୌଣସି ପ୍ରହେଳିକାଠୁ କମ୍ ନୁହେଁ। ଏପରି ପରିସ୍ଥିତିରେ ରେଖାଙ୍କ ସ୍ବାମୀ ମୁକେଶ ଅଗ୍ରଓ୍ବାଲଙ୍କ ଆତ୍ମହତ୍ୟାର କାରଣ ମଧ୍ୟ ଏକ ପ୍ରହେଳିକା ହୋଇଯାଇଥିଲା। ତେବେ ଆସନ୍ତୁ ଜାଣିବା ରେଖାଙ୍କ ସ୍ବାମୀ ଆତ୍ମହତ୍ୟା କରିବାର କାରଣ ବିଷୟରେ

ଅନେକ ବ୍ୟକ୍ତିଙ୍କ ସହ ରେଖାଙ୍କ ପ୍ରେମ ସମ୍ପର୍କ ଥିଲା। କିନ୍ତୁ ସବୁ ସମ୍ପର୍କରେ ତାଙ୍କୁ ବିଫଳତା ମିଳିଥିଲା। ଏଥିପାଇଁ ରେଖା ମାନସିକ ଅବସାଦରେ ଥଲେ। ସେହି ସମୟରେ ରେଖାଙ୍କର ଜଣେ ବନ୍ଧୁ ତାଙ୍କୁ କହିଥିଲେ ଯେ ଦିଲ୍ଲୀର ଜଣେ ବ୍ୟବସାୟୀ ରେଖାଙ୍କ ସହ କଥା ହେବାକୁ ଇଚ୍ଛୁକ ,ଯଦି ତାଙ୍କର କୌଣସି ଆପତ୍ତି ନଥାଏ ତେବେ ତାଙ୍କୁ ରେଖାଙ୍କ ଫୋନ୍ ନମ୍ବର ଦେବେ।

ଏହା ଶୁଣି ରେଖା ପ୍ରଥମେ ମନା କରି ଦେଇଥିଲେ କିନ୍ତୁ ପରେ ନିଜେ ସେହି ବ୍ୟବସାୟୀଙ୍କ ନମ୍ବର ମାଗି ତାଙ୍କ ସହିତ କଥାବର୍ତ୍ତା କରିବା ଆରମ୍ଭ କରି ଦେଇଥିଲେ। ସେହି ବ୍ୟବସାୟୀଙ୍କ ନାଁ ହେଉଛି ମୁକେଶ ଅଗ୍ରଓ୍ବାଲ୍। ସେମାନେ ପରସ୍ପରର ନିକଟତର ହେବା ସହ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ବିବାହ ପରେ ଦୁହେଁ ହନିମୁନ୍ କଟାଇବା ପାଇଁ ଲଣ୍ଡନ ଯାଇଥିଲେ।

ଲଣ୍ଡନରେ କିଛି ଦିନ ଏକାଠି ଉଭୟେ ଅନ୍ତରଙ୍ଗ ମୁହୂର୍ତ୍ତ ବିତାଇବା ପରେ ରେଖା ଅନୁଭବ କରିଥିଲେ ଯେ ଦୁହିଁଙ୍କ ଚିନ୍ତାଧାରା ସମ୍ପୂର୍ଣ୍ଣ ଅଲଗା। କିନ୍ତୁ ପରେ ରେଖା ଭାବିଥିଲେ ଯେ ସବୁ ସମ୍ପର୍କରେ ଅଳ୍ପ ବହୁତ ବୁଝାମଣା କରିବା ଉଚିତ୍। ଏବେ ଉଭୟଙ୍କର ବିବାହ ହୋଇ ସାରିଛି, ତେଣୁ ପରିସ୍ଥିତି ଯାହା ବି ହେଉନା କାହିଁକି ଉଭୟଙ୍କୁ ସାରା ଜୀବନ ଏକାଠି ରହିବାକୁ ପଡ଼ିବ।

ଥରେ ରେଖା ତାଙ୍କ ସ୍ବାମୀଙ୍କୁ ଏକାଠି ବହୁତ ଔଷଧ ଖାଉଥିବା ଦେଖିଥିଲେ। ଏହା ଦେଖି ରେଖାଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗିଲା ଏବଂ ଥରେ ରେଖା ,ମୁକେଶଙ୍କୁ ପଚାରିଥିଲେ ଏହା ବିଷୟରେ ପଚାରିଥିଲେ। ଏହା ପରେ ମୁକେଶ ଉଦାସ ହୋଇ କହିଥିଲେ ‘ ତାଙ୍କ ଜୀବନରେ ଆଉ ଜଣେ ଅଛନ୍ତି,ଯାହାଙ୍କୁ ସେ ବହୁତ ଭଲ ପାଆନ୍ତି।’ ଏହା ଶୁଣି ରେଖାଙ୍କୁ ଶକ୍ତ ଧକ୍କା ଲାଗିଥିଲା। ଏହା ପରେ ରେଖା ତାଙ୍କ ସ୍ବାମୀଙ୍କୁ ଛାଡ଼ି ମୁମ୍ବାଇ ଫେରି ଆସିଥିଲେ।

ମୁମ୍ବାଇକୁ ଫେରି ଆସିବା ପରେ ରେଖା ପୁଣି କାର୍ଯ୍ୟବ୍ୟସ୍ତ ହୋଇଯାଇଥିଲେ। ସେ ମୁକେଶଙ୍କ ପରିବାରଠୁ ଦୂରେଇ ଯାଇଥିଲେ ଏବଂ ମୁକେଶଙ୍କ ଫୋନ୍ ମଧ ଉଠାଉନଥିଲେ। ମୁକେଶ କେବେ ରେଖାଙ୍କଠୁ ଏହା ଆଶା କରିନଥିଲେ। ଏହି ସମୟରେ ମିଡିଆରେ ଉଭୟଙ୍କୁ ନେଇ ଜୋରସୋରରେ ଚର୍ଚ୍ଚା ଚାଲିଥିଲା। ଫଳରେ ମୁକେଶ ଅବସାଦଗ୍ରସ୍ତ ହୋଇ ରେଖାଙ୍କ ଓଢ଼ଣୀରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ।

ମୁକେଶଙ୍କ ଆତ୍ମହତ୍ୟା ପରେ ପୂରା ବଲିଉଡ ସ୍ବବ୍ଧ ହୋଇଯାଇଥିଲା। ସେହି ସମୟରେ ରେଖାଙ୍କ ଫିଲ୍ମ ‘ଶେଷନାଗ’ ରିଲିଜ ହୋଇଥିଲା। ଏହାର ପୋଷ୍ଟର ମଧ୍ୟ ସବୁଆଡ଼େ ଲାଗିଥିଲା। ମୁକେଶଙ୍କ ଆତ୍ମହତ୍ୟା ପରେ ଲୋକେ ଏହି ପୋଷ୍ଟରରେ କାଳି ବୋଳି ଦେଇଥିଲେ। କେବଳ ଏତିକି ନୁହେଁ ବଲିଉଡର କେତେକ ଷ୍ଟାର ଏହି ଘଟଣା ପାଇଁ ରେଖାଙ୍କୁ ଦୋଷୀ ମାନିଥିଲେ।

ରେଖାଙ୍କ ସହ କାମ କରି ସାରିଥିବା ଅଭିନେତା ଅନୁପମ ଖେର ଏବଂ ନିର୍ଦେଶକ ସୁଭାଷ ଘାଇ ରେଖାଙ୍କୁ କଟୁକଥା କହିଥିଲେ। ଏପରି ଅଭିଯୋଗ ସତ୍ବେ ରେଖା ହାର ମାନିନଥିଲେ ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିରେ ସକ୍ରିୟ ଥିଲେ।
