କାହିଁକି ଆଇପିଏଲ ନଖେଳି ଭାରତ ଫେରି ଆସିଲେ ରାଇନା ? ସିଏସକେ ସିଇଓ କହିଲେ ଏହା ପଛର କାରଣ

Published By : Prameya-News7 Bureau | August 30, 2020 IST

ନୂଆଦିଲ୍ଲୀ,୩୦।୮: ଆଇପିଏଲ ଖେଳିବା ପାଇଁ ୟୁଏଇ ପହଁଞ୍ଚି ସାରିଥିବା ଚେନ୍ନାଇ ସୁପରକିଙ୍ଗର ବ୍ୟାଟସମ୍ୟାନ୍ ସୁରେଶ ରୈନା ଭାରତ ଫେରିଆସିଛନ୍ତି। ପାରିବାରିକ କାରଣ ପାଇଁ ସେ ଦେଶକୁ ଫେରିଆସିଛନ୍ତି ବୋଲି କୁହାଯାଉଛି। ସେ ପୁରା ସିଜିନ ଟିମରୁ ବାହାରି ଆସିଛନ୍ତି। ସିଏସକେର ସିଇଓ କେ.ଇ ବିଶ୍ବନାଥନ୍ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ ଓ କହିଥିଲେ ଟିମ୍ ଏହି ସମୟରେ ତାଙ୍କର ପରିବାରକୁ ପୁରା ସମର୍ଥନ ଦିଆଯାଉଛି।

ସିଏସକେର ସିଇଓ ଟୁଇଟରେ ଲେଖିଛନ୍ତି, ସୁରେଶ୍ ରୈନା ବ୍ୟକ୍ତିଗତ କାରଣରୁ ଭାରତ ଫେରି ସାରିଛନ୍ତି। ସେ ପୁରା ସିଜିନ ପାଇଁ ଟିମରୁ ବାହାରି ଯାଇଛନ୍ତି। ଚେନ୍ନାଇ ସୁପରକିଙ୍ଗ ଏବେ ସୁରେଶ ଓ ତାଙ୍କର ପରିବାରକୁ ପୁରା ସମର୍ଥନ ଦେଉଛନ୍ତି। ଉଲ୍ଳେଖନୀୟ ଯେ, ଚଳିତ ବର୍ଷ ମାର୍ଚ୍ଚରେ ରୈନା ଦ୍ବିତୀୟ ଥର ବାପା ହୋଇଥିଲେ। ତାଙ୍କ ପତ୍ନୀ ପ୍ରିୟଙ୍କା ଚୌଧୁରୀ ପୁଅକୁ ଜନ୍ମ ଦେଇଥିଲେ। ପୁଅର ନାମ ଦୁହେଁ ରିୟୋ ରଖିଥିଲେ।

ସିଏସକେର ସଦସ୍ୟଙ୍କୁ ଦୁବାଇ ପହଁଞ୍ଚିବା ପରେ କରୋନା ହୋଇଥିଲା। ଏହାପରେ ଶୁକ୍ରବାର ପୁରା ଟିମକୁ କ୍ବାରେଣ୍ଟାଇନ୍ କରିଦିଆଯାଇଥିଲା। ଏଭଳି ଖବର ଆସୁଛି ଯେ, ଚେନ୍ନାଇ ସୁପରକିଙ୍ଗର ମୋଟ ୧୧ ସଦସ୍ୟଙ୍କୁ କରୋନା ହୋଇଛି,ସେମାନଙ୍କ ଭିତରେ ଜଣେ ଭାରତୀୟ ଖେଳାଳି ରହିଛନ୍ତି। ଉଲ୍ଲେଖନୀୟ ଯେ, ଚେନ୍ନାଇର ଟିମ୍ ଚେପୁକରେ ୫ ଦିନ କ୍ୟାମ୍ପ କରିବା ପରେ ୨୧ ଅଗଷ୍ଟରେ ଦୁବାଇ ପହଁଞ୍ଚିଥିଲେ ଓ ୬ ଦିନ କ୍ବାରେଣ୍ଟାଇନ୍ ପିରିୟଡରେ ସୁରେଶ ରୈନା ମଧ୍ୟ ଟିମ୍ ସହିତ ୟୁଏଇ ପହଁଞ୍ଚିଥିଲେ। ସେ ଚେନ୍ନାଇରେ ହୋଇଥିବା କ୍ୟାମ୍ପର ମଧ୍ୟ ଅଂଶ ରହିଥିଲେ। ଯେଉଁଠି ବାକି ଟିମ୍ ହୋଟେଲରେ ଥିବା ବେଳେ ରୈନା ଦେଶକୁ ଫେରିଆସିଛନ୍ତି।

ସୁରେଶ ରୈନା ଇନଷ୍ଟାଗ୍ରାମରେ ୧୫ ଅଗଷ୍ଟ​‌ରେ ପୋଷ୍ଟ କରିଥିଲେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଉଛନ୍ତି। ସୁରେଶ ରୈନା ଭାରତ ପାଇଁ ୧୮ ଟେଷ୍ଟ ମ୍ୟାଚ୍ ଓ ୨୨୬ଟି ଦିନିକିଆ ବ୍ୟତୀତ ମୋଟ ୭୮ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି। ୨୨୬ ଦିନିକିଆ ମ୍ୟାଚ୍ରେ ରୈନା ୫ଶତକ ସାହାଯ୍ୟରେ ୫୬୧୫ ରନ୍ କରିଥିଲେ। ଟି-୨୦ କ୍ରିକେଟରେ ସେ ଏକ ଶତକ ସହିତ ୧୬୦୫ ରନ୍ କରିଥିଲେ। ଟେଷ୍ଟ ମ୍ୟାଚରେ ତାଙ୍କର ପ୍ରଦର୍ଶନ ଭଲ ନଥିଲା ଓ ୧୮ ଟେଷ୍ଟ ମ୍ୟାଚରେ ସେ କେବଳ ୭୮୬ ରନ୍ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.