ମୋଦିଙ୍କୁ ରାହୁଲ କାହିଁକି କଲେ ଆଲିଙ୍ଗନ ?

Published By : Prameya-News7 Bureau | July 20, 2018 IST

ନୂଆଦିଲ୍ଲୀ : ସଂସଦର ମୌସୁମୀ ଅଧିବେଶନରେ ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ବେଳେ ଲୋକସଭାରେ ନିଅଯର ବକ୍ତବ୍ୟ ରଖିବା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ଆଲିଙ୍ଗନ କରିଛନ୍ତି | ଏହି ବିରଳ ଘଟଣା ସମଗ୍ର ଦେଶରେ ଭାଇରାଲ ହେବାରେ ଲାଗିଛି | ଏନ୍ଡ଼ିଏ ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ କଡା ସମାଲୋଚନା କରିଥିଲେ ରାହୁଲ | ଆଜି ଆକ୍ସନ ମୁଡ଼ରେ ଥିବା ରାହୁଲ କିନ୍ତୁ ନିଜ ବକ୍ତବ୍ୟ ଶେଷ ବେଳକୁ ସାମାନ୍ୟ ଭାବ ପ୍ରବଣ ହୋଇଉଠିଥିଲେ | ମୋଦିଙ୍କ ପ୍ରତି ତାଙ୍କ ମନରେ କୌଣସି ବିଦ୍ବେଷ ନାହିଁ ବୋଲି ରାହୁଲ କହିଥିଲେ | ସେ କହିଥିଲେ ଯେ, ସମସ୍ତଙ୍କୁ ଭଲ ପାଇବା ହେଉଛି କଂଗ୍ରେସର ଶିକ୍ଷା ଓ ପରମ୍ପରା | ଏହି ଗୁଣରେ ସେ ସମସ୍ତଙ୍କୁ ଦୀକ୍ଷିତ କରିବେ | ଏପରିକି ବିଦେଶକୁ ମଧ୍ୟ ଏହି ଗୁଣରେ ଦୀକ୍ଷିତ କରିବା ସହ କଂଗ୍ରେସରେ ରୂପାନ୍ତରିତ କରିବେ | ବକ୍ତବ୍ୟ ସରିବା ପରେ ରାହୁଲ ଦ୍ରୁତ ଗତିରେ ନିଜ ଆସନରୁ ଚାଲିଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ହାତ ମିଳାଇଥିଲେ | ଏଥିସହ ନିଜ ଆସନରେ ବସିଥିବା ମୋଦିଙ୍କୁ ଅପ୍ରତ୍ୟାଶିତ ଭାବେ ଆଲିଙ୍ଗନ କରି ଗୃହ ବାହାରକୁ ଚାଲିଯାଇଥିଲେ | ଏଭଳି ଆଲିଙ୍ଗନ ବେଳେ ଏକ ଭାବ ପ୍ରବଣତାର ଫଳ ବା ୟା ପଛରେ ସୁଚିନ୍ତିତ ରାଜନୀତି ରହିଛି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି | ଏଭଳି କରିବା ପାଇଁ ରାହୁଲ ଆଗରୁ ଚିନ୍ତା କରି ଆସିଥିଲେ ବୋଲି କୁହାଯାଉଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.