କାଶ୍ମୀର ପ୍ରସଙ୍ଗରେ କାହିଁକି ବାରମ୍ବାର ପାକ୍ ଉଠାଉଛି ଶିମଲା ରାଜିନାମା କଥା, ଜାଣନ୍ତୁ କ’ଣ ରହିଛି ଏଥିରେ
15/08/2019 at 5:28 PM

କାଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଭାରତ ପ୍ରତ୍ୟାହାର କରିବା ପରଠାରୁ ଅଶାନ୍ତ ହୋଇଉଠିଛି ପାକିସ୍ତାନ। ଏଥିପାଇଁ ବିଭିନ୍ନ ଦେଶଙ୍କୁ ମଧ୍ୟସ୍ଥତା କରିବାକୁ ବି ନିବେଦନ କରୁଛି। ନିକଟରେ ଶିମଲା ରାଜିନାମାର ଦ୍ୱାହୀ ଦେଇ ପାକ୍ ମିଳିତ ଜାତି ସଂଘକୁ ଭାରତ ଉପରେ ଚାପସୃଷ୍ଟି କରିବାକୁ ବି ପ୍ରାର୍ଥନା କରିଥିଲା। ହେଲେ ଶିମଲା ରାଜିନାମା କଥା ଶୁଣି ଜାତି ସଂଘ ମୁଖ୍ୟ ଏଣ୍ଟୋନିୟୋ ଗୁଟେରେସ ମାମଲାରେ ମଧ୍ୟସ୍ଥତା କରିବାକୁ ପାକ୍ କୁ ସିଧାସିଧା ମନା କରିଦେଇଛନ୍ତି। ଏଣୁ ଏବେ ପାକ୍ ବୈଦେଶିକ ମନ୍ତ୍ରୀ ଶାହା ମହମୁଦ କ୍ୟୁରେସୀ ନିଜେ ଶିମଲା ରାଜିନାମାର ଆଇନଗତ ବୈଧତା ତର୍ଜମା କରିବେ ବୋଲି କହିଛନ୍ତି। ତେବେ ଆସନ୍ତୁ ଜାଣିବା ଏହି ଶିମଲା ରାଜିନାମାରେ ରହିଛି କ’ଣ ?

୧୯୭୧ ମସିହାରେ ଭାରତ ଓ ପାକ୍ ମଧ୍ୟରେ ଘମାଘୋଟ ସଂଘର୍ଷ ହୋଇଥିଲା। ଏହି ଯୁଦ୍ଧ୍ୟରେ ଭାରତୀୟ ସେନା ୯୦ ହଜାର ପାକ୍ ସୈନିକଙ୍କୁ ବନ୍ଦୀ କରିଥିଲେ। ଏଣୁ ଯୁଦ୍ଧ ବିରାମ ଓ ବନ୍ଦୀ ସୈନ୍ୟଙ୍କ ମୁକ୍ତିଲାଗି ଭାରତ ଉପରେ ଅନ୍ତର୍ଜାତୀୟ ଚାପ ସୃଷ୍ଟି କରିଥିଲା ପାକିସ୍ତାନ। ଏଥି ନିମନ୍ତେ ଶିମଲାରେ ଉଭୟ ଦେଶମଧ୍ୟରେ ଏକ ଦ୍ୱିପାକ୍ଷୀକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ନିଆଯାଇଥିବା ନିଷ୍ପତ୍ତିକୁ ଶିମଲା ରାଜିନାମା ବୋଲି କୁହାଯାଉଛି।

ରାଜିନାମାରେ ତତ୍କାଳୀନ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଓ ପାକିସ୍ତାନ ପକ୍ଷରୁ ପ୍ରଧାନମନ୍ତ୍ରୀ ଜୁଲଫିକର ଅଲ୍ଲୀ ଭୁଟ୍ଟୋ ସ୍ୱାକ୍ଷର କରିଥିଲେ। ୨ ଜୁଲାଇ ୧୯୭୨ରେ ସ୍ୱାକ୍ଷରିତ ହୋଇଥିବା ଏହି ଚୁକ୍ତିରେ ୧୯୭୧ ମସିହା ସେପ୍ଟେମ୍ବର ୧୭ ତାରିଖକୁ ଉଭୟ ଦେଶ ଯୁଦ୍ଧବୀରାମ ସ୍ୱୀକାର କରିଥିଲେ। ସେହି ଅନୁସାରେ ରାଜିନାମାର ୨୦ ଦିନ ମଧ୍ୟରେ ଉଭୟ ଦେଶର ସେନା ନିଜ ନିଜ ସୀମାକୁ ଫେରିଯିବେ ବୋଲି ନିଷ୍ପତ୍ତି ହୋଇଥିଲା। ଏହା ସହ ଆଉ ଯେଉଁ ସବୁ ନିଷ୍ପତ୍ତି ହୋଇଥିଲା ତାହା ଥିଲା ଏପରି ।

ଉଭୟ ଦେଶ ମଧ୍ୟରେ ଶାନ୍ତି କାୟମ ରଖିବା ପାଇଁ ଦୁଇ ଦେଶ ସରକାରଙ୍କ ଅଧ୍ୟକ୍ଷ ନିୟମିତ ଅନ୍ତରାଳରେ ବୈଠକ କରିବେ।ସେହିପରି ସମ୍ପର୍କକୁ ଅଧିକ ମଜଭୁତ କରିବା ଲାଗି ଉଭୟ ଦେଶର ସରକାରୀ ଅଧିକାରସ୍ତରୀୟ ବୈଠକମାନ ଆୟୋଜନ କରାଯିବ। ସେହିପରି ଉଭୟ ଦେଶ ସେମାନଙ୍କର ଦ୍ୱିପାକ୍ଷୀକ ସମସ୍ୟା ନେଇ ସିଧାଶଳଖ ଆଲୋଚନା କରିବେ।ଏଥିରେ କୌଣସି ତୃତୀୟ ପକ୍ଷ ରହିବେ ନାହିଁ। ଉଭୟ ଦେଶର ଲୋକଙ୍କ ଗମନା ଗମନ ସୁବିଧା ନିମନ୍ତେ ସରକାର ଗମନା ଗମନ ସୁବିଧା କରିବେ ବାଣିଜ୍ୟ ବ୍ୟବସାୟ ଓ ଆର୍ଥିକ ସହଯୋଗ ନିମନ୍ତେ ଉଭୟ ଦେଶ ପୁଣି ଉଦ୍ୟମ କରିବେ।

କୌଣସି ସମସ୍ୟାକୁ ଯଦି ଉଭୟ ଦେଶ ସମାଧାନ କରିନପାରିଲେ ଓ ଦୀର୍ଘ ସମୟଧରି ଲମ୍ବିତ ରହିଲା ତେବେ କୌଣସି ଦେଶ ନିଜ ଆଡୁ ସ୍ଥିତାବସ୍ଥା ଭଙ୍ଗ କରିବେ ନାହିଁ କି ଏ ଦିଗରେ କୌଣସି ଏକତରଫା ଭାବେ ନିଜ ଆଡୁ ନିଷ୍ପତ୍ତି ନେବେ ନାହିଁ। ଉଭୟ ପକ୍ଷ ଏଭଳି କୌଣସି କାମକୁ ସହଯୋଗ, ପ୍ରୋତ୍ସାହନ ଅଥବା ସହାୟତା କରିବେନି ଯାହା ଉଭୟ ଦେଶର ଶାନ୍ତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କକୁ କ୍ଷୁର୍ଣ୍ଣ କରିବ। ଉଭୟ ଉଭୟଙ୍କର ପ୍ରାଦେଶିକ ଅଖଣ୍ଡତା ଓ ସାର୍ବଭୌମତାକୁ ସମ୍ମାନ କରିବେ। ସମାନତା ଅଥବା ନିଜର ଲାଭ ନିମନ୍ତେ ଜଣେ ଜଣକର ଆଭ୍ୟନ୍ତରିଣ ମାମଲାରେ ହସ୍ତକ୍ଷେପ କରିବେ ନାହିଁ କି ନିଜ ଅଧିକାର କ୍ଷେତ୍ରରେ ଉଭୟ ଦେଶ ବିରୋଧରେ ଉଗ୍ର ପ୍ରଚାର କରିବେନି। ଏଭଳି କାମ କରୁଥିବା ଲୋକ ଓ ସଙ୍ଗଠନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବେ। ତେବେ ନିଜ ବନ୍ଦୀ ସୈନିକଙ୍କୁ ମୁକାଳିନେବା ପରେ ପାକ୍ ସେନା ଭାରତୀୟ ଜମି ମାଡି ବସିବା ସହ ଦୀର୍ଘ ୭୨ ବର୍ଷ ହେଲା ଭାରତ ବିରୋଧରେ ଆତଙ୍କବାଦ ଗତିବିଧି ଚଳାଇ ରଖିଛି।