ଶସ୍ତାରେ କିଣି ଭଣ୍ଡାରରେ ରଖିଥିବା ତେଲକୁ କଣ ପାଇଁ ବିକୁ ନାହାନ୍ତି ? ଭାରତକୁ ସାଉଦି ଆରବର ପରାମର୍ଶ
5/03/2021 at 9:29 PM

ନୂଆଦିଲ୍ଲୀ ୦୫।୦୩: ତୈଳ ଉତ୍ପାଦକ ଦେଶ ଓପିଇସି ତେଲ ଉତ୍ପାଦନ ଉପରେ କୋହଳ କରିବାକୁ ଭାରତର ଅପିଲ୍କୁ ଖାରଜ କରିଛନ୍ତି। ଏହା ପରେ ପରେ ଅନ୍ତରାଷ୍ଟ୍ରୀୟ ତୈଳ ବଜାରରେ ଅଶୋଧିତ ତୈଳ ଦର ପୁଣି ଥରେ ବୃଦ୍ଧି ଘଟିଛି। ଅନ୍ୟପଟେ ସାଉଦି ଆରବ ଭାରତକୁ ପରାମର୍ଶ ଦେଇଛି ଯେ, ଗତ ବର୍ଷ କରୋନା କାଳରେ ଶସ୍ତାରେ କିଣିଥିବା ଅଶୋଧିତ ତୈଳକୁ କଣ ପାଇଁ ଶସ୍ତାରେ ନିଜ ଜନତାଙ୍କୁ ଦେଉ ନାହିଁ।
ଅଶୋଧିତ ତୈଳର ସବୁଠୁ ଅଧିକ ଉପଯୋଗୀ ବ୍ରେଣ୍ଟ ଅଶୋଧିତ ତୈଳର ମୂଲ୍ୟ ଶୁକ୍ରବାର ପ୍ରାୟ ଏକ ପ୍ରତିଶତ ବଢି ବ୍ୟାରେଲ ପିଛା ୬୭.୪୪ ଡଲାରରେ ପହଞ୍ଚିଛି। ଓପେକ୍ ଓ ଏହାର ସହଯୋଗୀ ଦେଶ ଯାହା ଓପେକ୍ ପ୍ଲସ୍ ନାମରେ ପରିଚିତ। ଏହି ଉତ୍ପାଦକ ଦେଶଙ୍କ ବୈଠକରେ ସହମତି ପ୍ରକାଶ ପାଇଛି ଯେ, ଏପ୍ରିଲ ମାସରେ ଅଶୋଧିତ ତୈଳ ଉତ୍ପାଦନ ବଢାଯିବା ଉଚିତ୍ ନୁହେଁ।
ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓପେକ୍ ଦେଶକୁ ଗୁରୁବାର ବୈଠକ ପୂର୍ବରୁ ଅପିଲ୍ କରିଥିଲେ ଯେ, ଅଶୋଧିତ ତୈଳ ଦରରେ ସ୍ଥିରତା ଆଣିବା ପାଇଁ ତୈଳ ଉତ୍ପାଦନ ବୃଦ୍ଧି କରନ୍ତୁ। ଓପେକ ଦେଶର ବୈଠକ ପରେ ସାଉଦି ଆରବର ଶକ୍ତି ମନ୍ତ୍ରୀ ପ୍ରିନ୍ସ ଅବଦୁଲାଜିଜ ବିନ ସଲମାନ କହିଛନ୍ତି, ଭାରତ ଗତ ବର୍ଷ ଶସ୍ତାରେ କିଣିଥିବା ଅଶୋଧିତ ତୈଳ ଭଣ୍ଡାରକୁ ନିଜ ଜନତାଙ୍କୁ ଶସ୍ତାରେ ପେଟ୍ରୋଲ-ଡିଜେଲ୍ ଦେବାରେ ଉପଯୋଗ କରୁ।