ଲଗାତର ୪ ଦିନ ହେଲାଣି କମୁଛି ସୁନା-ରୂପା, କାଲିଠୁ ୫ ଦିନରେ କେତେ ସୁନା ବିକିବେ ସରକାର

Published By : Prameya-News7 Bureau | June 07, 2020 IST

ନୂଆଦିଲ୍ଲୀ ୦୭।୦୬: କ୍ରମାଗତ ଚାରି ଦିନ ହେବ ବଜାରରେ ସୁନା-ରୂପା ଦର ହ୍ରାସ ଘଟିଛି। ବୈଶିକ ସ୍ତରରେ ହ୍ରାସ ସହିତ ଭାରତରେ ମଧ୍ୟ ସୁନା ଓ ରୂପା ଦର ହ୍ରାସ ଘଟିଛି। ଏମିତି ସମୟରେ କେନ୍ଦ୍ର ସରକାର କାଲିଠୁ ସୋଭରେନ୍‌ ଗୋଲ୍ଡ ବଣ୍ଡରେ ନିବେଶ ଆହ୍ୱାନ କରିଛନ୍ତି। ଜୁନ ୧୨ ତାରିଖ ପର୍ଯ୍ୟନ୍ତ ମାତ୍ର ୪ ଦିନରେ ବଜାର ଦର ଠାରୁ କମ୍ ଦରର ଆପଣ ଏହି ସ୍ୱର୍ଣ୍ଣ ନିବେଶ କରିପାରନ୍ତି। ଏହା ସହିତ ଶସ୍ତାରେ ସୁନା କିଣିବାର ସୁଯୋଗ ରହିଥିବା ସରକାର କହିଛନ୍ତି। ଉଲ୍ଲେଖନୀୟ ଲୋକେ ଅଧିକ ଟଙ୍କା ପାଇବା ଆଶାରେ ସୁନା ନିବେଶ କରନ୍ତି। ଗ୍ରାହକ ଯେତେ ଅଧିକ କିଣିବେ ସୁନାର ଚାହିଦା ସେତିକି ବଢିବ। ତେବେ ଯାଇ ସୁନାରେ ନିବେଶ କରୁଥିବା ଲୋକଙ୍କୁ ଫାଇଦା ମିଳିବ। କିନ୍ତୁ ଏବେ ବଜାରର ସ୍ଥିତି ଯାହା ସେଥିରେ ସୁନାର ଚାହିଦା ହ୍ରାସ ପାଇଛି। ଫଳରେ ସୁନା ଦର ହ୍ରାସ ପାଇବାରେ ଲାଗିଛି। ଏମିତି ସ୍ଥିତିରେ ଗ୍ରାହକ ସୁନା କିଣିଲେ ଯାଇ ଗୋଲ୍ଡ ବଣ୍ଡରେ ନିବେଶ କରିଥିବା ଲୋକ ହିଁ ଫାଇଦା ପାଇ ପାରିବେ। ଅନ୍ୟପଟେ ଯେଉଁମାନେ ସୁନା କିଣିବାକୁ ଚାହୁଁଛନ୍ତି ସେମାନେ ବଜାରରେ ହ୍ରାସ ପାଉଥିବା ସୁନା କିଣିବେ ନା ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ ଦରରେ ସୁନା କିଣିବେ ତାହା ମଧ୍ୟ ଦେଖିବା କଥା।

ସୂଚନା ଅନୁଯାୟୀ ସପ୍ତାହର ଶେଷ କାରବାର ଦିନ ଶୁକ୍ରବାର ସୁନା-ରୂପା ହ୍ରାସ ପାଇଥିଲା। ଏମସିଏକ୍ସରେ ସୁନା ୨ ପ୍ରତିଶତ ଅର୍ଥାତ ୧୦୦୦ ଟଙ୍କା ହ୍ରାସ ଘଟି ୧୦ ଗ୍ରାମ ପିଛା ୪୫,୭୩୨କୁ ଖସି ଆସିଛି। ରୂପା ମଧ୍ୟ ୩ ପ୍ରତିଶତ ଅର୍ଥାତ ୧୫୦୦ ଟଙ୍କା ହ୍ରାସ ଘଟି କେଜି ପିଛା ୪୭,୩୩୭ ଟଙ୍କାକୁ ଖସି ଆସିଛି। ସବୁଠୁ ବଡ କଥା ସରକାର ଆସନ୍ତାକାଲିଠୁ ଜୁନ ୧୨ ତାରିଖ ପର୍ଯ୍ୟନ୍ତ ଗ୍ରାହକଙ୍କୁ ଶସ୍ତାରେ ସୁନା ଯୋଗାଇ ଦେବେ ବୋଲି କହିଛନ୍ତି।

ସରକାରଙ୍କ ଅନୁଯାୟୀ ସୁନା ଗ୍ରାମ ପିଛା ୪ ହଜାର ୬୭୭ ଟଙ୍କାରେ ବିକିବାକୁ ଧାର୍ଯ୍ୟ କରିଛନ୍ତି। ଏମିତିରେ ୧୦ ଗ୍ରାମ ସୁନାର ମୂଲ୍ୟ ୪୬,୭୭୦ ଟଙ୍କା ହେଉଛି। ଅର୍ଥାତ ସଂପ୍ରତି ଏହା ବଜାର ମୂଲ୍ୟଠୁ ମଧ୍ୟ ଅଧିକ ରହିଛି। ଅନ୍ୟପଟେ MCXରେ ୧୦ ଗ୍ରାମ ସୁନାର ମୂଲ୍ୟ ୪୫,୭୩୨ ରହିଛି। ଯାହା ସରକାରଙ୍କ ଦ୍ଵାରା ଧାର୍ଯ୍ୟ ସୁନା ଦରଠୁ କମ ରହିଛି। ତେବେ ସରକାରଙ୍କ ପକ୍ଷରୁ କାଲିଠୁ ଆରମ୍ଭ ହେଉଥିବା ସଭରେନ ଗୋଲ୍ଡ ବଣ୍ଡ ସ୍କିମରେ ଲୋକେ କେତେ ସୁନା ନିବେଶ କରିବେ ଏବଂ କେତେ ଗ୍ରାହକ ସୁନା କିଣିବେ ଦେଖିବା ବାକି ରହିଲା। ଯଦି ବଜାରରେ ସୁନା ଦର ବୃଦ୍ଧି ଘଟେ ତେବେ ଗ୍ରାହକ ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ ଦରରେ ସରକାରଙ୍କୁୁ ସୁନା କିଣିବାକୁ ଚାହିଁବେ। ଏବେ ବଜାରରେ ସୁନା ଦର ଯାହା ରହିଛି ଗ୍ରାହକ କଣ ସରକାରଙ୍କଠୁ ସୁନା କିଣିବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଅନ୍ୟପଟେ ସମଗ୍ର ବିଶ୍ଵରେ କରୋନା ମହାମାରୀ ଏବଂ ଲକ୍‌ଡାଉନ୍‌ କାରଣରୁ ଲୋକଙ୍କ ଆର୍ଥିକ ଅବସ୍ଥା ମଧ୍ୟ ଗୁରୁତର ପ୍ରଭାବିତ  ହୋଇଛି। ବଜାରରେ ଦ୍ରବ୍ୟର ଚାହିଦା ହ୍ରାସ ପାଉଛି। ଲୋକଙ୍କ ଆୟ କମିଛି। ସମଗ୍ର ବିଶ୍ଵ ସହିତ ଭାରତର ଅର୍ଥବ୍ୟବସ୍ଥା ଭୁଶୁଡି ପଡିଛି। ଏମିତି ସ୍ଥିତିରେ ସୁନା ପ୍ରତି  ଲୋକଙ୍କ ରୁଚି ମଧ୍ୟ କମିଛି।  ଅନ୍ୟପଟେ ଯେଉଁମାନଙ୍କ ଆଗ୍ରହ ରହିଛି ସେମାନେ ବଜାରରେ ହ୍ରାସ ପାଉଥିବା ସୁନା କିଣିବାକୁ ଚାହିଁବେ ନା ସରକାର ଦ୍ଵାରା ସଭରେନ ଗୋଲ୍ଡ ବଣ୍ଡ ଆଧାରରେ ସୁନା କିଣିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.