କାହିଁକି ସମସ୍ତଙ୍କୁ ଦିଆଯାଉନି କରୋନା ଟିକା ? ସ୍ପଷ୍ଟ କଲେ ସରକାର
6/04/2021 at 6:34 PM

ନୂଆଦିଲ୍ଲୀ ୬।୪: କରୋନା ଭାଇରସ ମହାମାରୀ ଦ୍ୱିତୀୟ ଲହର ଏବେ ଦେଶ ଲାଗି ଚିନ୍ତାର କାରଣ ପାଲଟିଛି। ଦେଶରେ ଗତବର୍ଷ କରୋନା ସଂକ୍ରମଣ କାଳରେ ଏହାର ନା କୌଣସି ଉପଚାର ଥିଲା ନା ଥିଲା ସଂକ୍ରମଣ ରୋକିବାକୁ ଟିକା। ହେଲେ ଏବେ ଦେଶରେ କରୋନା ଟିକା ଉପଲବ୍ଧ ଥାଇ ମଧ୍ୟ ଦ୍ୱିତୀୟ ଲହର ଡରାଉଛି। ସମସ୍ତଙ୍କୁ କରୋନା ଟିକା ଦିଆଯାଉ ନଥିବାରୁ ଏ ନେଇ ଲୋକେ ପ୍ରଶ୍ନ କରୁଥିବା ବେଳେ ଦିଲ୍ଲୀ ସମେତ କେତେକ ରାଜ୍ୟ ସରକାର କୋଭିଡ ଭାକ୍ସିନ ଫର ଅଲ ଦାବି କରୁଛନ୍ତି। ତେବେ ଏ ନେଇ ସରକାର କହୁଛନ୍ତି କ’ଣ ଆସନ୍ତୁ ଜାଣିବା।
ସବୁ ଆୟୁବର୍ଗଙ୍କ ଟିକାକରଣ ଦାବି କରୁଛନ୍ତି ଦିଲ୍ଲୀ ସରକାର
ଦେଶରେ ଟିକାର ଅଭାବ ନାହିଁ। ରାଜଧାନୀ ଦିଲ୍ଲୀ ଲାଗି ମଧ୍ୟ ଟିକାର ଅଭାବ ପଡିବ ନାହିଁ। ହେଲେ ଯେଉଁ ହାରରେ କରୋନା ମାଡିବାରେ ଲାଗି ଏଥିରୁ ଲୋକଙ୍କୁ ରକ୍ଷା କରିବାକୁ ହେଲେ ସବୁ ଆୟୁ ବର୍ଗର ଲୋକଙ୍କ କରୋନା ଟିକାକରଣ ଲାଗି ଅନୁମତି ଦେବା ଦରକାର ବୋଲି କେନ୍ଦ୍ରକୁ ନିବେଦନ କରିଛନ୍ତି।
କେନ୍ଦ୍ର ସରକାରଙ୍କ ତର୍କ ଏପରି
ଦେଶରେ ଏବେ ୪୫ ବର୍ଷରୁ ଅଧିକ ଆୟୁବର୍ଗର ଲୋକଙ୍କ ଟିକାକରଣ ହେଉଛି। ହେଲେ ସବୁ ଆୟୁବର୍ଗଙ୍କ ଟିକାକରଣ କାହିଁକି ହେଉନି ସେ ନେଇ ସରକାର ତର୍କ ରଖିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ କହିଛନ୍ତି ଯେ କାହିଁକି ସମସ୍ତଙ୍କର ଟିକାକରଣ ହେଉନି ସେ ନେଇ ଅନେକ ଲୋକ ପ୍ରଶ୍ନ କରୁଛନ୍ତି। ତେବେ ଦେଶରେ ଦୁଇଟି ଉଦ୍ଦେଶ୍ୟ ରଖି ଟିକାକରଣ ଅଭିଯାନ ଚଳାଯାଇଥିବା କହିଛନ୍ତି ମନ୍ତ୍ରଳୟ । ଏଥିରୁ ପ୍ରଥମ ଉଦ୍ଦେଶ୍ୟଟି ହେଲା ମୃତ୍ୟୁକୁ ରୋକିବା। ଯେଉଁ ଲୋକେ କରୋନା ସଂକ୍ରମଣ ଯୋଗୁ ଅଧିକ ବିପଦରେ ଅଛନ୍ତି ସେମାନଙ୍କର ପ୍ରାଣ ରକ୍ଷା ଆମର ପ୍ରଥମ କର୍ତ୍ତବ୍ୟ। ଏଣୁ ସେହି ସବୁ ବୟସର ଲୋକଙ୍କ ଲାଗି ପ୍ରଥମେ ଟିକାକରଣ ଅଭିଯାନ ହାତକୁ ନିଆଯାଇଛି।
ସ୍ୱାସ୍ଥ୍ୟ ସେବା ପ୍ରଣାଳୀର ସୁରକ୍ଷା
ଟିକାକରଣର ଅନ୍ୟ ଯେଉଁ ଉଦ୍ଦେଶ୍ୟଟି ରହିଛି ତାହା ହେଉଛି ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାକୁ କରୋନା କବଳରୁ ରକ୍ଷା କରିବା ବୋଲି ମନ୍ତ୍ରାଳୟ କହିଛନ୍ତି। ଏଣୁ ଯେଉଁମାନଙ୍କୁ ଟିକାର ନିତ୍ୟନ୍ତ ଆବଶ୍ୟକତା ରହିଛି ପ୍ରାଥମିକତା ଭିତ୍ତିରେ ସେମାନଙ୍କର ଟିକାକରଣ ହେଉଥିବା ମନ୍ତ୍ରାଳୟ କହିଛନ୍ତି। ଏହାମାନେ ନୁହେଁ ଯିଏ ଚାହୁଁଛି ତାର ଟିକାକରଣ କରାଯିବ।
ମଙ୍ଗଳବାର ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୯୬ ହଜାର ନୂଆ ସଂକ୍ରମିତ
ଦେଶରେ କରୋନା ଦ୍ୱିତୀୟ ଲହର ବେଳକୁ ବେଳ ଗୁରୁତର ହେବାରେ ଲାଗିଛି। ଏଥିରେ ଦେଶରେ ଟେଷ୍ଟିଂ ସଂଖ୍ୟା ବଢାଯାଇଥିବା ବେଳେ ମଙ୍ଗଳବାର ଗୋଟିଏ ଦିନରେ ଦେଶରେ ମୋଟ ୯୬ ହଜାର ୯୮୨ଟି ନୂଆ ମାମଲା ଚିହ୍ନଟ ହୋଇଛି। ସେପଟେ ଦେଶରେ ଗତ ୨୪ ଘଣ୍ଟାରେ ୪୩ ଲକ୍ଷରୁ ଅଧିକ ଲୋକଙ୍କୁ କରୋନା ଟିକା ଦିଆଯାଇଛି। ଯାହା ଏପର୍ଯ୍ୟନ୍ତ ଗୋଟିଏ ଦିନରେ ଟିକାକରଣରେ ଏକ ନୂଆ ରେକର୍ଡ ବୋଲି କୁହାଯାଇଛି