ଗବେଷଣାରୁ ପଡ଼ିଲା ଜଣା- ଏହି ବ୍ଲଡ୍ ଗ୍ରୁପର ଲୋକଙ୍କୁ ଅଧିକ କାମୁଡ଼ି ଥାଆନ୍ତି ମଶା... ପିଲାମାନଙ୍କୁ କରାନ୍ତୁ ସତର୍କ

Published By : Prameya-News7 Bureau | January 04, 2020 IST

ଭୁବନେଶ୍ବର୪/୧: ସାଧାରଣତଃ ଆମକୁ କେବେ ନା କେବେ ମଶା ନିଶ୍ଚିତ କାମୁଡିଥିବେ। ବେଳେ ବେଳେ ଏମିତି ବି ହୋଇଥାଏ ମଶା ଆପଣଙ୍କୁ କାମୁଡୁଥିବ ହେଲେ ଆପଣଙ୍କ ପାଖରେ ବସିଥିବା ଲୋକକୁ କାମୁଡୁ ନଥିବେ । ଏକ ଗବେଷଣାରୁ ଜଣାପଡିଛି ଯେ, ମଶାମାନେ ଲୋକମାନଙ୍କୁ କାମୁଡିବାରେ ମଧ୍ୟ ସେମାନଙ୍କ ପ୍ରାଥମିକତା ବା ଚଏସ୍ ରଖିଥାନ୍ତି । କେଉଁମାଙ୍କୁ କାମୁଡିବେ ଆଉ କେଉଁମାନଙ୍କୁ କାମୁଡ଼ି​‌ବେ ନାହିଁ।

ମଶାମାନେ ନିଜ ଖାଦ୍ୟ ପାଇଁ ମନୁଷ୍ୟ ଶରୀରୁ ରକ୍ତ ଶୋଷି ନଥାନ୍ତି । ମାଈ ମଶା ଲୋକମାନଙ୍କୁ କାମୁଡିଥାନ୍ତି କାରଣ ସେମାନେ ମନୁଷ୍ୟ ରକ୍ତରୁ ପ୍ରୋଟିନ୍ ସଂଗ୍ରହ କରି ଅଣ୍ଡା ସୃଷ୍ଟି କରି ସେଥିରୁ ଅଧିକ ମଶା ଛୁଆ କରିଥାନ୍ତି । ୮୫ପ୍ରତିଶତ ଲୋକଙ୍କୁ ବଂଶାନୁକ୍ରମିକ କାରଣରୁ ମଶା କାମୁଡିଥାଏ ।

କିଛି ବ୍ଲଡ୍ ଗ୍ରୁପର ଲୋକଙ୍କ ରକ୍ତ ଅନ୍ ମାନଙ୍କ ତୁଳନାରେ ମିଠା ହୋଇଥାଏ । ଏକ ଗବେଷଣାରୁ ଜଣାପଡିଛି ଯେ ‘ଓ’ ବ୍ଲଡ୍ ଗ୍ରୁପର ଲୋକଙ୍କୁ ମଶା କାମୁଡିବାର ସମ୍ଭାବନା ୮୩ ପ୍ରତିଶତରୁ ଅଧିକ ଅଛି । ସେହିଭଳି ‘ଏ’ ବ୍ଲଡ ଗ୍ରୁପର ଲୋକଙ୍କୁ ମଶା କମ୍ କାମୁଡିବାର ସମ୍ଭାବନା ରହିଥିବାବେଳେ ‘ବି’ ବ୍ଲଡ୍ ଗ୍ରୁପର ଲୋକଙ୍କୁ ମଶା ମଧ୍ୟମ ଭାବେ କାମୁଡିଥାନ୍ତି ।

ଆପଣଙ୍କ ଶରୀର ଯଦି ମୋଟା ହୋଇଥାଏ ତେବେ ଆପଣଙ୍କୁ ମଶାମାନେ ଅଧିକ କାମୁଡିଥାନ୍ତି । ମୋଟା ଲୋକ ନିଶ୍ବାସରେ ଅଧିକ କାର୍ବନ ଡାଇଅକ୍ସାଇଡ ଛାଡିଥାନ୍ତି । କାର୍ବନ ଡାଇଅକ୍ସାଇଡକୁ ମଶାମାନେ ସହଜରେ ଜାଣିପାରିଥାନ୍ତି । ୫୦ ମିଟର ଦୂରରୁ ସେମାନେ କାର୍ବନ ଡାଇଅକ୍ସାଇଡକୁ ଜାଣିପାରିଥାନ୍ତି । ବୟସ୍କ ଲୋକ ଅଧିକ କାର୍ବନ ଡାଇଅକ୍ସାଇଡ୍ ଛାଡିଥାନ୍ତି ଫଳରେ ଛୁଆଙ୍କ ଅପେକ୍ଷା ବୟସ୍କ ଲୋକଙ୍କ ପାଖକୁ ମଶା ଅଧିକ ଯାଇଥାନ୍ତି । ମହିଳାମାନଙ୍କ ଅପେକ୍ଷା ପୁରୁଷମାନଙ୍କୁ ଅଧିକ ମଶା କାମୁଡିଥାନ୍ତି ।

ଗର୍ଭବତୀ ମହିଳାଙ୍କୁ ମଶା ଅଧିକ କାମୁଡିଥାନ୍ତି । କାରଣ ସେମାନଙ୍କ ନିଶ୍ବାସରେ ଅଧିକ କାର୍ବନ ଡାଇଅକ୍ସାଇଡ୍ ଥାଏ । ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଜଣେ ସାଧାରଣ ମହିଳା ତୁଳନାରେ ଗର୍ଭବତୀ ମହିଳା ୨୧ ପ୍ରତିଶତ ଅଧିକ କାର୍ବନ ଡାଇଅକ୍ସାଇଡ୍ ଛାଡିଥାନ୍ତି ।

ଲାକଟିକ୍ ଏସିଡ୍ ମଶାମାନଙ୍କୁ ବେଶୀ ଆକୃଷ୍ଟ କରିଥାଏ । ଯାହାକି ଅଧିକ କାମ କରିବା ଦ୍ବାରା ଝାଳ ଦ୍ବାରା ନିର୍ଗତ ହୋଇଥାଏ । ଯଦି ଆପଣ ଦୌଡିବା ପାଇଁ ବାହାରକୁ ଯାଉଛନ୍ତି କି ଜିମ୍ ଯାଉଛନ୍ତି ତେବେ ଆପଣଙ୍କୁ ଅଧିକ ମଶା କାମୁଡିବାର ସମ୍ଭାବନା ଥାଏ ।

ମଦ ପିଇବା ଦ୍ବାରା ଶରୀରର ପାଚନକ୍ରିୟା ଏବଂ ଶରୀରର ଉସ୍ମତା ବୃଦ୍ଧି ପାଇଥାଏ । ଫଳରେ ମଶାମାନେ ସେମାନଙ୍କୁ ଅଧିକ କାମୁଡିଥାନ୍ତି ଯେଉଁମାନେ ମଦ ପିଇଥାନ୍ତି ।
ମଶାମାନେ ନିଜର ଶୀକାର ଖୋଜିବା ପାଇଁ ଦୃଷ୍ଟିଶକ୍ତିର ମଧ୍ୟ ଉପଯୋଗ କରିଥାନ୍ତି । ଲାଲ୍ ରଙ୍ଗ ଏକ ପ୍ରମୁଖ ରଙ୍ଗ ଦୃଷ୍ଟିକୁ ଆକର୍ଷଣ କରିବାପାଇଁ ।କଳା ଏବଂ ବ୍ଲୁ ଭଳି ଗାଢ ରଙ୍ଗ ମଧ୍ୟ ଅଧିକ ଆକୃଷ୍ଟ କରିଥାଏ । ତେଣୁ ଯଦି ଆପଣ ଗାଢ ରଙ୍ଗର ପୋଷାକ ପିନ୍ଧୁଛନ୍ତି ତେବେ ମଶାମାନେ ଆପଣଙ୍କୁ ଅଧିକ କାମୁଡିବେ ।

ଯେଉଁମାନଙ୍କ ଶରୀରରେ ଅଧିକ ଲାକଟିକ୍ ଏସିଡ୍, ୟୁରିକ୍ ଏସିଡ୍ ଉତ୍ପାଦିତ ହୋଇଥାଏ ସେମାନଙ୍କୁ ମଶାମାନେ ଅଧିକ କାମୁଡିଥାନ୍ତି । ଷ୍ଟେରୋଏଡ୍ ଏବଂ କୋଲେଷ୍ଟେରଲ ଅଧିକ ରହିଥିଲେ ମଧ୍ୟ ଅଧିକ ମଶା କାମୁଡିଥାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.