ବିରାଟ କୋହଲି ଓ ରବି ଶାସ୍ତ୍ରୀଙ୍କ ସହ ଆଗାମୀ କିଛି ସପ୍ତାହରେ କଥା ହେବି, ଏମିତି କାହିଁକି କହିଲେ ରାହୁଲ ଦ୍ରାବିଡ

Published By : Prameya-News7 Bureau | June 28, 2021 IST

ମୁମ୍ଵାଇ ୨୮।୦୬:  ଶ୍ରୀଲଙ୍କା ଗସ୍ତରେ ଶିଖର ଧାଓ୍ଵନ ନେତୃତ୍ଵରେ ଭାରତୀୟ ଯୁବ କ୍ରିକେଟ୍ ଦଳ। କୋଚିଂ ଭାର ରହିଛି ରାହୁଲ ଦ୍ରାବିଡଙ୍କ କାନ୍ଧରେ। ଏହା ମଧ୍ୟରେ ରାହୁଲ ଦ୍ରାବିଡ କହିଛନ୍ତି, ସେ ଆଗାମୀ କିଛି ସପ୍ତାହରେ ମୁଁ ଇଂଲଣ୍ଡରେ ଥିବା ଦଳ ପ୍ରବନ୍ଧକଙ୍କ ସହ ତାଙ୍କ ଆବଶ୍ୟକତାକୁ ନେଇ କଥା ହେବେ। ଦ୍ରାବିଡ କହିଛନ୍ତି, ମୁଁ ବିରାଟ କୋହଲି ଓ ରବି ଶାସ୍ତ୍ରୀଙ୍କୁ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ ସମୟରେ ହଇରାଣ କରି ନାହିଁ। ମାତ୍ର ଆଗାମୀ କିଛି ସପ୍ତାହରେ ମୁଁ ଉଭୟଙ୍କ ସହ ଆଲୋଚନା କରିବି ଏବଂ ଜାଣିବାକୁ ଚାହିଁବି ଯେ, ସେମାନେ କଣ ଚିନ୍ତା କରୁଛନ୍ତି।

ସୂଚନାଯୋଗ୍ୟ, ବିଶ୍ଵ ଟେଷ୍ଟ ଚାମ୍ପିଅନଶିପର ଫାଇନାଲ୍ ମୁକାବିଲାରେ ହାରିବା ପରେ କୋହଲିଙ୍କ ଅଧିନାୟକତ୍ଵ ଉପରେ ପ୍ରଶ୍ନ  ଉଠିଛି। ଏପରିକି କୋହଲି ଅଧିନାୟକ ଏବଂ ରବି ଶାସ୍ତ୍ରୀ କୋଚ୍ ଥିବା  ଯାଏଁ ଦଳ ଆଇସିସି ଟ୍ରଫି  ଜିତିବା ମୁସ୍କିଲ ବୋଲି ପ୍ରଶଂସକ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି। ଅନେକ ପୂର୍ବତନ ଖେଳାଳି ରୋହିତ ଶର୍ମାଙ୍କୁ ସୀମିତ ଓଭରର ଅଧିନାୟକ କରିବାକୁ ମତ ଦେଲେଣି। ଏମିତି ସମୟରେ ରାହୁଲ ଦ୍ରାବିଡ ଆଗାମୀ କିଛି ସପ୍ତାହରେ କୋହଲି ଓ ରବି ଶାସ୍ତ୍ରୀଙ୍କ ସହ ଆଲୋଚନା କରିବା ଖବର କ୍ରିକେଟ୍ ମହଲରେ ଚର୍ଚ୍ଚାରେ ବିଷୟ ପାଲଟିଛି। କାରଣ ପ୍ରଶଂସକ ରାହୁଲ ଦ୍ରାବିଡଙ୍କୁ ଦଳର କୋଚ୍ ଏବଂ ରୋହିତଙ୍କୁ ସୀମିର ଓଭର  କ୍ରିକେଟ୍ ଦଳର ଅଧିନାୟକ କରିବାକୁ ଦାବି କରୁଛନ୍ତି। ଦ୍ରାବିଡଙ୍କ ପ୍ରଶିକ୍ଷଣରେ ୧୯ ବର୍ଷରୁ କମ ଦଳ ବିଶ୍ଵ ଚାମ୍ପିଅନ ହୋଇଥିବା ବେଳେ ରୋହିତଙ୍କ ନେତୃତ୍ଵରେ ମୁମ୍ବଇ ଇଣ୍ଡିଆନ୍ସ ୫ ଥର ଟାଇଟଲ୍ ଜିତି ସାରିଲାଣି। ଏପରିକି ରୋହିତଙ୍କ ଅଧିନାୟକତ୍ଵରେେ ଭାରତୀୟ ଦଳ ନିଦାସ ଟ୍ରଫି ଓ ଏସିଆ କପ୍ ଚାମ୍ପିଅନ ହୋଇଛି।

୪୮ ବର୍ଷୀୟ ପୂର୍ବତନ ବ୍ୟାଟସମ୍ୟାନଙ୍କ ଏହି ଟିପ୍ପଣୀକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦ୍ରାବିଡ କହିଛନ୍ତି, ଦଳର ମୁଖ୍ୟ ଉଦ୍ଦେଶ୍ୟ ସିରିଜ୍ ଜିତିବା ଏବଂ ଆଶା କରୁଛୁ ଏହି ପ୍ରକ୍ରିୟାରେ ଦଳ ଟି-୨୦ ବିଶ୍ଵ କପ୍ ପାଇଁ କିଛି ବିକଳ୍ପ ପ୍ରସ୍ତୁତ କରି ପାରିବ। ଦଳରେ ଏମିତି ଅନେକ ଖେଳାଳି ଅଛନ୍ତି, ଯେଉଁମାନେ ଟି-୨୦ ବିଶ୍ଵ କପରେ ଦଳରେ ସ୍ଥାନ ପାଇବା ପାଇଁ ଉଦ୍ୟମ କରୁଛନ୍ତି। କିନ୍ତୁ ବର୍ତ୍ତମାନ ଦଳର ମୁଖ୍ୟ ଉଦ୍ଦେଶ୍ୟ ସିରିଜ୍ ଜିତିବା ଉପରେ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.