କ୍ୟାପଟେନ୍‌ଙ୍କୁ ହରାଇ ନିଜେ ଆଜି ପରାଜିତ ସିଦ୍ଧୁ ! ଚନ୍ନି ମୁଖ୍ୟମନ୍ତ୍ରୀ ହେବା ପରେ ବଦଳିଗଲା ସମୀକରଣ

Published By : Prameya-News7 Bureau | September 19, 2021 IST

ଚଣ୍ଡିଗଡ ୧୯।୦୯: ଦୀର୍ଘ ଦୁଇ ବର୍ଷ ଧରି କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ବିରୋଧରେ ବିଗୁଲ ବଜାଇଗଲେ। ଶେଷରେ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାରେ ମଧ୍ୟ ସଫଳ ହେଲେ ନବଜୋତ ସିଂହ ତାଙ୍କୁ। ହେଲେ ସେ ନିଜର ରଣନୀତିରେ ଏବେ ଫେଲ୍ ମାରୁଥିବା ଦେଖିବାକୁ ମିଳୁଛି। ବିଗତ ଦିନରେ ଅମରିନ୍ଦରଙ୍କ ସହ ମତଭେଦ ମଧ୍ୟରେ ସିଦ୍ଧୁଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ମଧ୍ୟ ଯଚା ଯାଇଥିଲା। ହେଲେ ଏହି ଅଫରକୁ ସେ ପ୍ରତ୍ୟାଖ୍ୟାନ କରିଥିଲେ। ତାଙ୍କର ଏହି ଆଭିମୁଖ୍ୟରୁ ଲାଗୁଥିଲା ଯେ, ତାଙ୍କର ମହତ୍ଵାକାଂକ୍ଷା ମୁଖ୍ୟମନ୍ତ୍ରୀ ପଦକୁ ନେଇ ରହିଛି। କ୍ୟାପଟେନ୍‌ଙ୍କ ସଂଘର୍ଷ ପରେ ଏବେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ସେଥିରେ ସିଦ୍ଧୁ ଅମରିନ୍ଦରଙ୍କୁ ହରାଇବାରେ ସଫଳ ହୋଇଛନ୍ତି, କିନ୍ତୁ ନିଜ ରଣନୀତିରେ ସେ ମାତ୍ ଖାଇଥିବା ନଜର ଆସୁଛନ୍ତି।

କଂଗ୍ରେସ ହାଇକମାଣ୍ଡ ନବଜୋତ ସିଂହ ସିଦ୍ଧୁ, ପ୍ରତାପ ସିଂହ  ବାଜଓ୍ଵା ଓ ସୁଖଜିନ୍ଦର ସିଂହ ସମେତ ଅନେକ ଦିଗଜ ଜାଟ୍ ନେତାଙ୍କ ପରିବର୍ତ୍ତେ ଚରଣଜିତ ସିଂହ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଛି। ପଞ୍ଜାବ ରାଜନୈତିକ ବିଶେଷଜ୍ଞଙ୍କ କହିବା କଥା ରାଜ୍ୟର ଜନସଂଖ୍ୟାରୁ ୩୦ ପ୍ରତିଶତ ହେଉଛନ୍ତି ଦଳିତ। ଏମିତିରେ ପାର୍ଟି ଗୋଷ୍ଠୀ କନ୍ଦଳର ମୁକାବିଲା କରିବା ଏବଂ ଜାତିଗତ ସମୀକରଣ ସାଧିବା ପାଇଁ ଚରଣଜିତ ସିଂହ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ କରିଛି। ପାର୍ଟି ଯେଣତେଣ ପ୍ରକାରେ ପଞ୍ଜାବରେ ମୁଖ୍ୟମନ୍ତ୍ରୀ ଚୟନ କରିଥିଲେ ମଧ୍ୟ ତାହା ସିଦ୍ଧୁଙ୍କ ବିରୋଧରେ ରହିଛି।

ସିଦ୍ଧୁଙ୍କ ପାଇଁ ଏହା ସନ୍ତୋଷଜନକ ବିଷୟ ଯେ, ଚନ୍ନି ମଧ୍ୟ କ୍ୟାପଟେନ୍‌ ଅମରିନ୍ଦରଙ୍କ ବିରୋଧୀ। କିନ୍ତୁ ସିଦ୍ଧୁଙ୍କ ପାଇଁ ଏବେ ମୁଖ୍ୟମନ୍ତ୍ରୀ ପଦରେ ଦାବି କରିବା ସହଜ ନୁହେଁ। ଅନ୍ୟ ରାଜ୍ୟର ଉଦାହରଣ ଦେଖିଲେ ଜଣା ପଡେ ଯେ, କୌଣସି ଦଳିତ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିବା ସହଜ ହୋଇଥାଏ, କିନ୍ତୁ ହଟାଇବା ରାଜନୈତିକ ଦୃଷ୍ଟିରୁ ବହୁତ ମୁସ୍କିଲ ହୋଇଥାଏ। ଉତ୍ତର ପ୍ରଦେଶରେ ମଧ୍ୟ ଏମିତି ଚିତ୍ର ଦେଖିବାକୁ ମିଳିଥିଲା। ମାୟାବତୀଙ୍କୁ କ୍ଷମତାକୁ ଆଣିଥିବା ବିଜେପି ଯେବେ ବିଏସପିଠୁ ଦୂରେଇବା ଆରମ୍ଭ କଲା ଦଳକୁ କ୍ଷତି ସହିବାକୁ ପଡିଥିଲା। ରାଜନୈତିକ ବିଶେଷଜ୍ଞଙ୍କ ମତରେ ଯଦି ପଞ୍ଜାବରେ କଂଗ୍ରେସ ପୁନର୍ବାର କ୍ଷମତାକୁ ଆସେ ତେବେ ଏହାର ଶ୍ରେୟ ଚରଣଜିତ ସିଂହ ଚନ୍ନିଙ୍କୁ ମିଳିବ। କାରଣ ରାଜ୍ୟରେ ଦଳିତ ଭୋଟରଙ୍କ ସଂଖ୍ୟା ଢେର ଅଧିକ ରହିଛି।

ଯଦି କଂଗ୍ରେସ ହାରେ ତେବେ ଏହାର ଦୋଷ ସିଦ୍ଧୁଙ୍କୁ ଦିଆଯିବ। କାରଣ ଜନତାଙ୍କ ଏହି ଧାରଣା ରହିଛି ଯେ, ତାଙ୍କ ବିରୋଧ ଯୋଗୁଁ  ହିଁ କ୍ୟାପଟେନ୍‌ଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବିଦା କରାଯାଇଛି। ଏମିତିରେ ଆଗାମୀ ବିଧାନସଭା ନିର୍ବାଚନର ଫଳାଫଳ କଂଗ୍ରେସ ସପକ୍ଷରେ  ନଗଲେ ସିଦ୍ଧୁଙ୍କ ଉପରେ ଦୋଷ ଲଦାଯିବ। ମୋଟାମୋଟି ଭାବେ କହିବାକୁ ଗଲେ ନବଜୋତ ସିଂହ ଏହି ଲଢେଇରେ କ୍ୟାପଟେନ୍‌ଙ୍କୁ ହରାଇଥିଲେ ମଧ୍ୟ ନିଜ ଏହି ଦୌଡରେ ପଛରେ ରହି ଯାଇଥିବା ଦେଖିବାକୁ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.