ପୁରୀରେ ଏମିତି କଣ କାମ ପଡିଲା ଯେ ବଦଳି ହେବାର ୨୪ ଘଣ୍ଟା ନପୂରୁଣୁ ପୁରୀ ଫେରିଗଲେ ବରିଷ୍ଠ ପୋଲିସ ଅଧିକାରୀ ଲିଙ୍ଗରାଜ ମିଶ୍ର
7/10/2018 at 6:09 PM

ପୁରୀ ୭/୧୦ : ନକ୍ସଲ ଦମନ ଅଭିଯାନରେ ପ୍ରମୁଖ ଭୂମିକା ରହିଛି ଇଣ୍ଡିଆନ ରିଜର୍ଭ ବାଟାଲିୟନ, ଆଇଆରବିର । ଓଡ଼ିଶାରେ ପ୍ରଥମ ଆଇଆର୍ବି ବାଟାଲିୟନର ବେସ୍ କ୍ୟାମ୍ପ ରହିଛି ମାଓ ଅଧ୍ୟୁସିତ କୋରାପୁଟ ସଦର ମହକୁମାରେ । ଏଠାରୁ ଯବାନଙ୍କୁ ବିଭିନ୍ନ ନକ୍ସଲ ପ୍ରବଣ ଅଞ୍ଚଳକୁ ମୁତୟନ କରାଯାଇଥାଏ । ବାଟାଲିୟନର ତଦାରଖ ଓ ନେତୃତ୍ବ ନେଇଥାନ୍ତି ଡେପୁଟି କମ୍ପାଣ୍ଡାଣ୍ଟମାନେ। ୪ ବର୍ଷ ତଳେ ଏଠାକୁ ପୁରୀରୁ ବଦଳି ହୋଇ ଆସିଥିଲେ ବରିଷ୍ଠ ପୋଲିସ ଅଧିକାରୀ ଲିଙ୍ଗରାଜ ମିଶ୍ର। ହେଲେ ଏଠାରେ ଜଏନ କରିବା ପରେ ସେ ପୁଣି ପୁରୀକୁ ଚାଲିଗଲେ ଡେପୁଟେସନରେ । ଏଠାରେ ଗୁରୁତ୍ବପୂର୍ଣ୍ଣ ପଦବୀ ଖାଲି ପଡିଥିବା ବେଳେ ସେ କାହା ଛତ୍ରଛାୟା ତଳେ ୪ ବର୍ଷ ହେଲା ଡେପୁଟେସନରେ ରହିଛନ୍ତି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।…
ବରିଷ୍ଠ ପୋଲିସ ଅଧିକାରୀ ଲିଙ୍ଗରାଜ ମିଶ୍ର । ଜୁନ ୨୨ ତାରିଖ ୨୦୧୪ ମସିହାରେ ପୁରୀରୁ ବଦଳି ହୋଇ ଜୁନ ୨୩ ତାରିଖ ୨୦୧୪ ରେ କୋରାପୁଟ ଉପର କୋଲାବ ସ୍ଥିତ ଇଣ୍ଡିଆନ ରିଜର୍ଭ ବାଟାଲିୟନରେ ଡେପୁଟି କମାଣ୍ଡାଣ୍ଟ୍ ଭାବେ ଯୋଗ ଦେଇଥିଲେ । ହେଲେ ଅଫିସରେ ଯୋଗ ଦେବାର ୨୪ ଘଣ୍ଟା ନଯାଉଣୁ ସେହିଦିନ ହିଁ ବାବୁ ପୁରୀକୁ ଫେରିଗଲେ ଡେପୁଟେସନରେ । ଏବେ ପ୍ରଶ୍ନ ଉଠୁଛି ପୁରୀରେ କଣ ଏମିତି କାମ ପଡ଼ିଲା ଯେ, ମିଶ୍ର ବାବୁଙ୍କୁ ପୁରୀକୁ ଫେରାଇ ନିଆଗଲା, ଯେତେବେଳେ କୋରାପୁଟରେ ତାଙ୍କର ଭୂମିକା ଥିଲା ଗୁରୁତ୍ବପୂର୍ଣ୍ଣ । ନକ୍ସଲ ଅପରେସନରେ ଆଇଆର୍ବି ବାଟାଲିୟନର ଥାଏ ପ୍ରମୁଖ ଭୂମିକା । ଆଉ ଡେପୁଟି କମାଣ୍ଡାଣ୍ଟଙ୍କର ଭୂମିକା ସବୁଠୁ ଅଧିକ । ଏହି ବରିଷ୍ଠ ଅଧିକାରୀ ଯବାନମାନଙ୍କର ନେତୃତ୍ବ ନେଇଥାନ୍ତି। ହେଲେ ଏବେ ଏଠି ପଦବୀ ଖାଲି, ଆଉ ଲିଙ୍ଗରାଜ ମିଶ୍ର ନେତୃତ୍ବ ନେଉଛନ୍ତି ପୁରୀରେ ।
ନକ୍ସଲ ଅପରେସନ ବେଳେ ଏସ୍ଓପିକୁ ଯଥେଷ୍ଟ ଗୁରୁତ୍ବ ଦିଆଯାଉଥିବା କହୁଛି ଗୃହ ବିଭାଗ। ହେଲେ ଏଠି ଲିଙ୍ଗରାଜ ମିଶ୍ର ଜଏନ କରିବା ଦିନ ହିଁ ତତ୍କାଳୀନ ପୋଲିସ ଡିଜିଙ୍କ ନିର୍ଦ୍ଦେଶ କ୍ରମେ ଡେପୁଟେସନରେ ଚାଲିଗଲେ। ଆଉ ପୋଲିସ ବିଭାଗର ବରିଷ୍ଠ ଅଧିକାରୀଙ୍କ ଛତ୍ରଛାୟା ତଳେ ରହି ପୁରୀରେ ନିଜର ଦବ୍ଦବା ଜାରି ରଖିଛନ୍ତି।
ଏ କରିତକର୍ମା ଅଫିସର ହେଉଛନ୍ତି ସେହି ଲିଙ୍ଗରାଜ ମିଶ୍ର, ଯାହାଙ୍କ ନେତୃତ୍ବରେ କିଛି ଦିନ ତଳେ ପୁରୀରେ ଗଣମାଧ୍ୟମ ପ୍ରତିନିଧି ଏବଂ ସାଧାରଣ ଲୋକଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଥିଲା ପୋଲିସ୍ । ଏହି ବ୍ୟକ୍ତି ହିଁ ସାମ୍ବାଦିକଙ୍କ ଉପରେ ହୋଇଥିବା ବର୍ବରୋଚିତ ଆକ୍ରମଣର ଥିଲେ ମାଷ୍ଟର ମାଇଣ୍ଡ୍।