କଟକ ୧୯|୬: କଟକି ମଶାଙ୍କୁ କାବୁ କରିବାକୁ ଜୈବିକ ଉପାୟ ହିଁ ବେଶି ପ୍ରଭାବୀ । ଏପରି ଦାବି ସହ ଯୁକ୍ତି ରଖନ୍ତି କଟକ ମହାନଗର ନିଗମ ସ୍ବାସ୍ଥ୍ୟଅଧିକାରୀ । ଆଉ ସିଏମ୍ସିର ଏହି ଅଧିକାରୀଙ୍କ ଯୁକ୍ତିକୁ ଅଧିକ ଭରସା ଦିଏ କଟକ ସହରର ୩ ଟି ସ୍ଥାନରେ କାର୍ଯ୍ୟକାରୀ ହେଉଥିବ ମଶା ବିରୋଧୀ ଜୈବିକ ଉପାୟ । ତେବେ ପ୍ରଶ୍ନ ହେଲା ଏଭଳି ପଦକ୍ଷେପକୁ ସାରା କଟକ ସହରରେ କାର୍ଯ୍ୟକାରି କରାଯାଉନାହିଁ କାହିଁକି ?
କଳା, ସଂସ୍କୃତି, ଭାଇଚାରା କଟକର ସୁନାମ ଓ କ୍ଷାତିକୁ ବଢାଏ । ଆଉ ଠିକ୍ ତାର ବିପରୀତ ସ୍ଥିତି କଟକି ମଶାଙ୍କ ଲାଗି । ମଶାଙ୍କ ଦୌରାତ୍ମ୍ୟ ଲାଗି କଟକର ବଦ୍ନାମ କିଛି କମ୍ ନୁହେଁ । ଏହି କଟକି ମଶାଙ୍କୁ କାବୁ କରିବାଲାଗି ଅତୀତରେ ଅନେକ ପ୍ରକାରର ପଦକ୍ଷେପ ଗ୍ରହଣ କରା ଯାଇଥିଛି , କିନ୍ତୁ ସଫଳତା ସନ୍ତୋଷଜନକ ନୁହେଁ । ଏପରି ସ୍ଥିତିରେ ଏବେ କଟକ ମହାନଗର ନିଗମ ସ୍ବାସ୍ଥ୍ୟ ଅଧିକାରୀ କହୁଛନ୍ତି , ଆଧୁନିକ ପ୍ରଣାଳୀ ନୁହେଁ ବରଂ ଜୈବିକ ଉପାୟରେ ମଶାଙ୍କୁ ସାବାଡ କରିହେବ । ସେଥିଲାଗି ଗାମ୍ବୁସିଆ ମାଛଙ୍କ ବଂଶ ବୃଦ୍ଧି ଲାଗି ସି ଏମ୍ ସି ସ୍ଥିର କରିଥିବା କହିଛନ୍ତି ସି ଏମ୍ ସି ସ୍ବାସ୍ଥ୍ୟଅଧିକାରୀ ।
କଟକରେ ମଶା କଥା ଆସିଲେ ମନେ ପଡନ୍ତି ପୂର୍ବତନ ପୌରାଧ୍ୟକ୍ଷ ତ୍ରିଲୋଚନ କାନୁନ୍ଗୋ । କାରଣ ତାଙ୍କ କାର୍ଯ୍ୟକାଳରେ ମଶା ଉପଦ୍ରବରୁ ଲୋକଙ୍କୁ ତ୍ରାହୀ ମିଳିଥିଲା । ତାଙ୍କପରେ କଟକ ମ୍ୟୁନିସିପାଲିଟି ରେ ଅନେକ ମଙ୍ଗୁଆଳ ଆସିଛନ୍ତି, ମଶା ନିୟନ୍ତ୍ରଣର ଅନେକ ବାଟ ବି କରିଛନ୍ତି । କିନ୍ତୁ ସେତେଟା ସଫଳ ହୋଇ ପାରିନାହାଁନ୍ତି । ଏପରି ସ୍ଥିତିରେ , କିଛି ବର୍ଷ ହେଲା ଗମ୍ବୁସିଆ ମାଛଙ୍କ ଦ୍ବାରା ମଶା ନିୟନ୍ତ୍ରଣ ଯୋଜନା କରିଛି ସିଏମ୍ସି । ବଡଡାକ୍ତରଖାନା , ଶିଶୁ ଭବନ ଏବଂ ରେଭେନ୍ସା ବିଶ୍ବ ବିଦ୍ୟାଳୟ ପରିସରରେ ଥିବା ନାଳ ନର୍ଦ୍ଦମାରେ କିଛି ବର୍ଷ ହେବ ଗାମ୍ବୁସିଆ ମାଛ ଛଡାଯାଇଛି । ସେଠାରେ କେତେକାଂଶରେ ମଶା ନିୟନ୍ତ୍ରଣ ଉପରେ ସଫଳତା ମଧ୍ୟ ମିଳିଛି । କିନ୍ତୁ ଯୋଜନାଟି ଏହି ୩ ଟି ସ୍ଥାନରେ ସୀମିତ ରହିଯାଇଛି ଓ ଅନ୍ୟ ସ୍ଥାନ ମାନଙ୍କରେ ମଶା ଉପଦ୍ରବ ବଢିବାରେ ଲାଗିଛି । ଅଥଚ ସି ଏମ୍ ସି ସ୍ବାସ୍ଥ୍ୟ ଅଧିକାରୀ ମଶା ନିୟନ୍ତ୍ରଣକୁ ନେଇ ସ୍ବପ୍ନ ଦେଖୁଥିଲେ ବି ଗମ୍ବୁସିଆ ମାଛ ଯୋଜନା କାହିଁକି ସଂପ୍ରସାରିତ ହେଉନି ତାହା ର ଉତ୍ତର ନାହିଁ ।
ସି ଏମ୍ ସି ର ବାର୍ଷିକ ବଜେଟରୁ ମଶା ନିୟନ୍ତ୍ରଣ ଲାଗି ଏକ ସିଂହଭାଗ ଅର୍ଥରାଶି ଖର୍ଚ୍ଚ ହେଉଛି । ଅଥଚ, ମଶାଙ୍କ ଦାଉରୁ କଟକ ସହରବାସୀଙ୍କୁ ନିସ୍ତାର ମିଳୁନି । କ’ଣ ତାର ଠୋସ୍ କାରଣ ? ତେବେ ସି ଏମ୍ ସି ପ୍ରଶାସନ ବାବଦରେ ଅଭିଜ୍ଞ ବ୍ୟକ୍ତିଙ୍କ ମତ ହେଲା, କଟକି ମଶା ଯଦି ନିୟନ୍ତ୍ରଣକୁ ଆସିଯିବେ , ତାହାଲେ ଅନେକଙ୍କର ପକେଟ ଖାଲି ପଡିଯିବ । କାରଣ, ସରକାରୀ ଧନ ବରବାଦ କରିବାର ସୁଯୋଗ ସେମାନଙ୍କ ହାତରୁ ଖସିଯିବ ।