ଦେଶରେ କାହଁକି ବୃଦ୍ଧି ପାଉଛି ପେଟ୍ରୋଲ-ଡିଜେଲ ଦର ? ୨ଟି ବଡ କାରଣ କହିଲେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Published By : Prameya-News7 Bureau | February 21, 2021 IST

ନୂଆଦିଲ୍ଲୀ ୨୧/୦୨ : ଦେଶରେ ଗତ କିଛି ଦିନ ହେଲା ପେଟ୍ରୋଲ ଏବଂ ଡିଜେଲ ଦର ଅପ୍ରତ୍ୟାଶିତ ଭାବେ ବଢିବାରେ ଲାଗିଛି । ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର କମ ଥିବାବେଳେ ଦେଶରେ ତୈଳ ଦର ଅହେତୁକ ବୃଦ୍ଧି ଚିନ୍ତାର କାରଣ ପାଲଟିଛି । ଏହାରି ମଧ୍ୟରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦେଶରେ ଲଗାତାର ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧିର କାରଣ କହିଛନ୍ତି ।

କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ତୈଳ ଦର ବୃଦ୍ଧି ପାଇବା ପଛରେ ୨ଟି କାରଣ ରହିଛି । ଅନ୍ତରାଷ୍ଟ୍ରୀୟ ବଜାରରେ ଇନ୍ଧନ ଉତ୍ପାଦନ ହ୍ରାସ ପାଇଛି ଏବଂ ଅଧିକ ଲାଭ ପାଇବା ପାଇଁ ବିନିର୍ମାଣ ଦେଶଗୁଡିକ କମ ଇନ୍ଧନ ଉତ୍ପାଦନ କରୁଛନ୍ତି । ଯାହାଫଳରେ ସିଧାସଳଖ ଏହାର ପ୍ରଭାବ ଗ୍ରାହକମାନଙ୍କ ଉପରେ ପଡୁଛି ।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ‘ପେଟ୍ରୋଲିୟମ ରପ୍ତାନି କରୁଥିବା ଦେଶଗୁଡ଼ିକୁ ଏ ନେଇ ଅବଗତ କରାଯାଇଛି ଏବଂ ସେମାନଙ୍କୁ କୁହାଯାଇଛି ଯେ, ଏପରି ହେବାକଥା ନୁହେଁ । ତେବେ ଏଥିରେ ଖୁବଶୀଘ୍ର ପରିବର୍ତ୍ତନ ହେବ ବୋଲି ଆଶା କରାଯାଉଛି ।’

ଦେଶରେ ପେଟ୍ରୋଲ ଏବଂ ଡିଜେଲ ବୃଦ୍ଧିର ଆଉ ଏକ କାରଣ ହେଉଛି କରୋନା । ଦେଶରେ ବିଭିନ୍ନ ପ୍ରକାର ଉନ୍ନୟନମୂଳକ କାର୍ଯ୍ୟ କରିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ଟ୍ୟାକ୍ସ ଏକତ୍ର କରିଥାନ୍ତି । ବିକାଶ କାର୍ଯ୍ୟ ଆଗକୁ ବଢିଲେ ଦେଶରେ ରୋଜଗାର ମଧ୍ୟ ବୃଦ୍ଧି ପାଇବ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । କେନ୍ଦ୍ର ସରକାର ଅଧିକ ପରିମାଣର ନିବେଶ ଉପରେ ଗୁରୁତ୍ବ ଦେଉଛନ୍ତି ଏବଂ ଚଳିତ ବଜେଟ୍‌ରେ ୩୪ ପ୍ରତିଶତ ଅଧିକ ପୁଞ୍ଜି ବ୍ୟୟ କରାଯିବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ଗତ କିଛି ଦିନ ହେଲା ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହୁ ହୁ ହୋଇ ବୃଦ୍ଧି ପାଉଛି । ମଧ୍ୟ ପ୍ରଦେଶର ଇନ୍ଦୋରରେ ପେଟ୍ରୋଲ ଲିଟର ପିଛା ୧୦୧.୧୧ ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା । ସେହିଭଳି ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ପେଟ୍ରୋଲ ଦର ଲିଟର ପିଛା ୧୦୦.୯୬ ଏବଂ ମଧ୍ୟ ପ୍ରଦେଶର ଭୋପାଳରେ ୧୦୧.୧୧ ଟଙ୍କା ଛୁଇଁଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.