କଳ୍ପନା ମର୍ଡର ମିଷ୍ଟ୍ରି : ଲିଭ୍ ଇନ୍‌ରେ ରହିବା ସତ୍ତ୍ବେ କାହିଁକି କଳ୍ପନା ଏବଂ ତାଙ୍କ ଝିଅଙ୍କୁ ହତ୍ୟା କଲେ ଅନୁପ ସାଏ ?

Published By : Prameya-News7 Bureau | February 15, 2020 IST

ଝାରସୁଗୁଡା ୧୫।୨: ଶେଷରେ ଅନୁପ ସାଏଙ୍କଠାରୁ ସତ ଓଗାଳିଛି ଛତିଶଗଡ ପୋଲିସ । ଅନୁପ ଯେ, କଳ୍ପନା ଦାସ ଓ ତାଙ୍କ ଝିଅର ହତ୍ୟାକାରୀ ଏ ସତ ତାଙ୍କ ମୁହଁରୁ କାଢିଥିବା ଦାବି କରି ଛତିଶଗଡ ପୋଲିସ ତାଙ୍କୁ ଗିରଫ କରିଛି । ପରକୀୟା ପ୍ରୀତିରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ କହିଛି । ଅନୁପଙ୍କୁ ଜେଲ୍ ପଠାଇ ଦିଆଯାଇଛି । ଏହି ଡବଲ୍ ମର୍ଡର ଘଟଣାରେ ଅନୁପଙ୍କ ଡ୍ରାଇଭରର ବି ସଂପୃକ୍ତି ଥିବା ପୋଲିସ ସ୍ପଷ୍ଟ କରିଛି । ଏହି ଘଟଣା ଛତିଶଗଡ ସମେତ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ କାହିଁକି ମା’ ଓ ଝିଅଙ୍କୁ ହତ୍ୟା କରିଥିଲେ ପୂର୍ବତନ ବିଧାୟକ ଅନୁପ ସାଏ ?  ଏହି ରହସ୍ୟ ଉପରୁ ପର୍ଦ୍ଦା ଉଠାଇଛି ଛତିଶଗଡ ପୋଲିସ ।

{"id":224574,"sizeSlug":"large"}

ରାୟଗଡ ପୋଲିସର ସୂଚନା ଅନୁଯାୟୀ, ସ୍ବାମୀ ପରିତ୍ୟକ୍ତା ମହିଳା କଳ୍ପନା ଦାସଙ୍କର ଅନୁପ ସାଏଙ୍କ ସହ ଅନୈତିକ ସମ୍ପର୍କ ରହିଥିଲା । ୨୦୧୧ରୁ ଦୁହେଁ ଭୁବନେଶ୍ବର ସୁନ୍ଦରପଦା ସ୍ଥିତ ଏକ ତିନି ମହଲା ଫ୍ଲାଟ୍ ରେ ରହୁଥିଲେ । ଅନୁପ ସାଏ ସବୁଦିନ ସେଠାକୁ ଯିବାଆସିବା କରୁଥିଲେ । ତେବେ କଳ୍ପନା ତାଙ୍କୁ ବାହା ହେବାକୁ କହିବା ପରେ ଅଡୁଆରେ ପଡିଯାଇଥିଲେ ଅନୁପ । ପ୍ରଥମେ ଅନୁପ ନିଜେ ବିବାହିତ ଓ ତାଙ୍କର ପରିବାର ରହିଛି କହି କଳ୍ପନାଙ୍କ ମନ ପରିବର୍ତ୍ତନ କରିବାକୁ ଚେଷ୍ଟା କରି ତାଙ୍କର ସମସ୍ତ ଖର୍ଚ୍ଚ ବହନ କରୁଥିବା କଥା କହିଥିଲେ । କିନ୍ତୁ କଳ୍ପନା ବାହା ହେବା ଜିଦରେ ରହିବାରୁ ତାଙ୍କୁ ରାସ୍ତାରୁ ସଫା କରିବାକୁ ରଚିଥିଲେ ଷଡଯନ୍ତ୍ର।

{"id":224575,"sizeSlug":"large"}

ତେବେ ଷଡ଼ଯନ୍ତ୍ର ସଫଳ କରିବାକୁ କଳ୍ପନାକୁ ବାହା ହେବା ପାଇଁ ମିଛ ଡ୍ରାମା କରି ଭୁବନେଶ୍ବରରୁ ଡକାଇ ଏକ ହୋଟେଲରେ ରଖିଥିଲେ । ସେଠାରେ ଅନୁପ କଳ୍ପନାଙ୍କ ସହ ଦେଖାହୋଇ ବିବାହ କରିବାର ପ୍ରତିଶୃତି ଦେଇଥିଲେ । ୨୦୧୬ମସିହା ମେ’ ମାସ ୬ ତାରିଖରେ ରାୟଗଡର ଏକ ମନ୍ଦିରରେ ବାହା ହେବା ପାଇଁ କଳ୍ପନାଙ୍କୁ କହିଥିଲେ ଅନୁପ । ନିଜ ଡ୍ରାଇଭର ସହ କଳ୍ପନାଙ୍କୁ ନେଇ ଅନୁପ ରାୟଗଡ ଯାଇଥିଲେ ।

{"id":224577,"sizeSlug":"large"}

ସେଠାରେ ଭଲ ହୋଟେଲ ନଥିବାର ନାଟକ ରଚି କଳ୍ପନା ଓ ତାଙ୍କ ଝିଅଙ୍କୁ ଧରି ଫେରିଥିଲେ । ଫେରିବା ବାଟରେ ହମିରପୁର ଜଙ୍ଗଲ ନିକଟସ୍ଥ ରାସ୍ତା ମଝିରେ କଳ୍ପନାଙ୍କୁ ହତ୍ୟା କରି ନିଜ ରାସ୍ତା ସଫା କରିବାକୁ ଯୋଜନା କରିଥିଲେ । ରାସ୍ତାରେ କଳ୍ପନାଙ୍କ ଉପରେ ବୋଲେରୋ ଚଢାଇ ଦେଇଥିଲେ । ଏମିତିକି ତାଙ୍କ ଚେହେରାକୁ କେହି ନଚିହ୍ନିବେ ସେଥିପାଇଁ ମଧ୍ୟ ଯୋଜନା କରିଥିଲେ । କିନ୍ତୁ ରାସ୍ତାରେ ଗାଡି ମଟର ଆସୁଥିବାରୁ ସେମାନଙ୍କ ଯୋଜନା ସଫଳ ହୋଇନଥିଲା । ହତ୍ୟା କରି ଅନୁପ ନିଜ ଡ୍ରାଇଭରଙ୍କ ସହ ସେଠାରୁ ପଳାଇ ଆସିଥିଲେ ।

{"id":224578,"sizeSlug":"large"}

କଳ୍ପନାଙ୍କ ମୃତଦେହ ଚକ୍ରଧରପୁର ଥାନା ଅନ୍ତର୍ଗତ ସମ୍ବଲପୁରୀ ବଙ୍ଗୁରସିଆରୁ ପୋଲିସ ଉଦ୍ଧାର କରିଥିଲା । ସେବେଠାରୁ ଏନେଇ ପୋଲିସ ଖୋଳତାଡ ଜାରି ରଖିଥିଲା  । ଘଟଣାର ବର୍ଷକ ପରେ ମୃତ କଳ୍ପନାଙ୍କ ପରିଚୟ ମିଳିଥିଲା । ତାଙ୍କର କଲ୍ ରେକର୍ଡ ଯାଞ୍ଚ କରିବା ପରେ ଅନୁପଙ୍କ ସଂପୃକ୍ତି ନେଇ ପୋଲିସ ସନ୍ଦେହ କରିଥିଲା । ଘଟଣା ସଂପର୍କରେ ପ୍ରାୟ ୭୦୦ଲୋକଙ୍କୁ ଜେରା କରିବା ପରେ ଅନୁପ ହିଁ ହତ୍ୟା କରିଛନ୍ତି ବୋଲି ପୋଲିସ ସ୍ପଷ୍ଟ ହୋଇଥିଲା ।

{"id":224601,"sizeSlug":"large"}

ତେବେ ଅନୁପଙ୍କୁ ଜେରା କରିବା ପାଇଁ ପୋଲିସ ଅନୁପଙ୍କୁ ବାରମ୍ବାର ଫୋନ୍ କରିଥିଲେ ବି ସେ ତଦନ୍ତରେ ସହଯୋଗ କରିନଥିଲେ । ଫଳରେ ତାଙ୍କ ନାମରେ ୱାରଣ୍ଟ ଜାରି ହୋଇଥିଲା । ଅନୁପଙ୍କ ଗତିବିଧି ଉପରେ ଛତିଶଗଡ ପୋଲିସ ନିଘା ରଖିବା ସହ ବୁଧବାର ରାତିରେ ତାଙ୍କୁ ଉଠାଇ ନେଇଥିଲା  । ପୋଲିସ ଜେରା ସମୟରେ ଏହି ହତ୍ୟାକାଣ୍ଡରେ ତାଙ୍କ ଡ୍ରାଇଭର ମଧ୍ୟ ସାମିଲ ଥିବା ସ୍ବୀକାର କରିଥିଲେ ଅନୁପ ସାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.