ଲୋକସଭାରେ ଏଆଇଏମଆଇଏମ ନେତା ଓବେସୀଙ୍କ ପ୍ରଶ୍ନ , ମୋବ ଲିଞ୍ଚିଂ ବିରୋଧରେ କାହିଁକି ଅଣା ଯାଉନି ଆଇନ ?

Published By : Prameya-News7 Bureau | July 19, 2019 IST

ନୂଆଦିଲ୍ଲୀ: ଉତ୍ତେଜିତ ଜନତାଙ୍କ ସାମୂହିକ ହିଂସାକାଣ୍ଡ (ମୋବ ଲିଞ୍ଚିଂ)କୁ ନେଇ ସଂସଦରେ ପ୍ରଶ୍ନ ଉଠାଇଛନ୍ତି ଅଲ ଇଣ୍ଡିଆ ମଜଲିସ୍-ଏ-ଇତ୍ତେହାଦୁଲ ମୁସ୍ଲିମିନ୍  ଏଆଇଏମଆଇଏମ୍ ସାଂସଦ ଅସଦୁଦ୍ଦିନ ଓବେସୀ। ଏଭଳି ଅପରାଧ ନିମନ୍ତେ ଆଇନ ଆଣିବା ଲାଗି ସୁପ୍ରିମକୋର୍ଟ ସରକାରଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ହେଲେ କୋର୍ଟଙ୍କ ନିର୍ଦ୍ଦେଶର ଦୀର୍ଘ ଦିନ ପରେ ବି ଏ ଦିଗରେ ସରକାର ସାମାନ୍ୟତମ ଆଗ୍ରହ ପ୍ରଦର୍ଶନ କରୁନଥିବା ଅଭିଯୋଗ କରିଛନ୍ତି ଓବେସୀ।

{"id":135409}

ସୁପ୍ରିମକୋର୍ଟ ଅନ୍ୟ ପ୍ରସଙ୍ଗରେ ଦେଇଥିବା ନିର୍ଦ୍ଦେଶର ସରକାର ତ୍ୱରିତ କାର୍ଯ୍ୟାନୁଷ୍ଠାନ କରିଛନ୍ତି । ହେଲେ ମୋବଲିଞ୍ଚିଂ ନିମନ୍ତେ ଆଇନ ଆଣିବାରେ ସରକାର କାହିଁକି ପଛଘୁଞ୍ଚା ଦେଉଛନ୍ତି ବୋଲି କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି। ଗତବର୍ଷ ସୁପ୍ରିମକୋର୍ଟ ଏଥିପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଯଦି ସରକାର ସୁପ୍ରିମକୋର୍ଟଙ୍କ ସବୁ ଆଦେଶର ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି ତ ଏହି ଆଦେଶର କାହିଁକି ନୁହେଁ ବୋଲି ଗୃହରେ ଓବେସୀ ପ୍ରଶ୍ନ କରିଛନ୍ତି ।

{"id":135410}

ଶିଶୁ ଚୋରି ଗୁଜବକୁ ନେଇ  ଦେଶରେ ମୋବ ଲିଞ୍ଚିଂ ଅଭିଯୋଗ ଉଠିଥିଲା। କେବଳ ୨୦୧୮ ମସିହାରେ ଦେଶର ବିଭିନ୍ନ ସ୍ଥାନରେ ଏଭଳି ଘଟଣାମାନ ଘଟି ପ୍ରାୟ ୨୪ଜଣଙ୍କ ମୃତ୍ୟୁ ହୋଇଛି। ଏହି ବର୍ଷ ଦେଶରେ ଏଭଳି ୬୧ଟି ଅଭିଯୋଗ ହୋଇଥିବା ବେଳେ ୨୦୧୭ ମସିହାରେ ୮ଟି ପୃଥକପୃଥକ ଘଟଣାରେ ୧୧ ଜଣଙ୍କ ପ୍ରାଣହାନୀ ହୋଇଥିଲା। ସୋସାଲ ମିଡିଆକୁ ଏଥିନିମନ୍ତେ ଦାୟି କରାଯାଇଥିବା ବେଳେ କେନ୍ଦ୍ର ଗୃହ ମନ୍ତ୍ରାଳୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ଏଥିନିମନ୍ତେ ସତର୍କ କରାଇଛନ୍ତି। ତେବେ ଦେଶରେ ଗୁଜବକୁ ନେଇ ବଢୁଥିବା ଏଭଳି ହିଂସାକାଣ୍ଡ ଥମିବା ବଦଳେ ବଢିବଢି ଚାଲିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.