WHOର ଚେତାବନୀ : କରୋନାରୁ ସୁସ୍ଥ ହୋଇଥିବା ଲୋକ ପୁଣି ଥରେ ସଂକ୍ରମିତ ହୋଇପାରିବେନି ତାର କୌଣସି ପ୍ରମାଣ ନାହିଁ

Published By : Prameya-News7 Bureau | April 26, 2020 IST

ନ୍ୟୁୟର୍କ ୨୬।୪: କରୋନା ଭାଇରସ୍ ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଛି । ସାରା ବିଶ୍ବରେ ମୃତ୍ୟୁ ସଂଖ୍ୟା ୨ଲକ୍ଷ ଅତିକ୍ରମ କରିଛି । ଭାଇରସ୍ ର ପ୍ରକୋପ କେବେ ଶେଷ ହେବ ସେ ବିଷୟରେ କାହା ପାଖରେ କୌଣସି ଉତ୍ତର ନାହିଁ । ଏଥି ସହିତ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ବର୍ତ୍ତମାନ ଏହି ଭାଇରସ୍ ସମ୍ବନ୍ଧରେ ସତର୍କ ସୂଚନା ଜାରି କରିଛି । WHO ଏକ ନୂଆ ଦାବି କରିଛି ଯେ ସୁସ୍ଥ ହୋଇଥିବା ଲୋକମାନେ ପୁନର୍ବାର ଅସୁସ୍ଥ ହୋଇପାରିବେ ନାହିଁ ବୋଲି କୌଣସି ପ୍ରମାଣ ନାହିଁ । ଅର୍ଥାତ୍, ଏହା କୁହାଯାଇପାରିବ ନାହିଁ ଯେ କରୋନା ସୁସ୍ଥ ହୋଇଥିବା ଲୋକମାନଙ୍କ ନିକଟକୁ ପୁଣି ଫେରିବ ନାହିଁ ବୋଲି ।

ବିଶ୍ବରେ ଏବେ ପ୍ରାୟ ୬ ଲକ୍ଷ ଲୋକ କରୋନା ଦ୍ବାର ସଂକ୍ରମିତ ହୋଇଥିବା ବେଳେ WHOର ଏହି ଦାବି ନିହାତି ଚିନ୍ତାଜନକ । WHO ଟ୍ବିଟ୍ କରି କହିଛି ଯେ ଏହାର କୌଣସି ପ୍ରମାଣ ନାହିଁ ଯେ, କୋଭିଡ-୧୯ରୁ ସୁସ୍ଥ ହୋଇଥିବା ଏବଂ ଶରୀରରେ ଆଣ୍ଟିବଡି ଥିବା ଲୋକମାନେ ଦ୍ବିତୀୟ ଥର ସଂକ୍ରମିତ ହେବେ ନାହିଁ ।

ସୂଚନାଯୋଗ୍ୟ ଯେ, ପୂର୍ବରୁ WHO ମୁଖ୍ୟ ଦାବି କରିଥିଲେ ଯେ କରୋନା ଏବେ ତାର ଭୟଙ୍କର ରୂପ ଦେଖାଇବାକୁ ଯାଉଛି । ଏହା ଆମ ସହିତ ଦୀର୍ଘ ସମୟ ଧରି ରହିବ । କିଛି ଦେଶରେ ଲକ୍ ଡାଉନ୍ କୁ କୋହଳ କରିବାକୁ ଦୃଷ୍ଟିରେ ରଖି WHO ମୁଖ୍ୟ ଏହା କହିଥିଲେ । WHO ସାରା ବିଶ୍ବର ସରକାରମାନଙ୍କୁ ମଧ୍ୟ ଚେତାବନୀ ଦେଇଛି ଯେ ସୁସ୍ଥ ହୋଇଥିବା ଲୋକଙ୍କୁ ଇମ୍ୟୁନିଟି ପାସପୋର୍ଟ ଏବଂ ବିପଦମୁକ୍ତ ସାର୍ଟିଫିକେଟ୍ ବାଣ୍ଟିବା ଉଚିତ୍ ନୁହେଁ । କାରଣ ସେମାନେ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି ଏହାର କୌଣସି ଭରସା ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.