ଅଦିନିଆ ରଥଯାତ୍ରା ପରେ ଏବେ ଜଗନ୍ନାଥଙ୍କୁ ଅପମାନ : ସମଗ୍ର ରାଜ୍ୟରେ ଇସ୍କନକୁ ନେଇ ଉତ୍ତେଜନା

Published By : Prameya-News7 Bureau | September 09, 2019 IST

ଭୁବନେଶ୍ବର ୯/୯:  ପ୍ରଥମେ ମନଇଚ୍ଛା ରଥଯାତ୍ରା । ଆଉ ଏବେ ସିଧା ସିଧା ଶ୍ରୀଜଗନ୍ନାଥଙ୍କୁ ଅପମାନ । ସବୁ ଔଦ୍ଧତ୍ୟର ସୀମା ସରହଦ ଡେଇଁଛି ଇସ୍କନ । ଅଦିନିଆ ରଥଯାତ୍ରା କରିବା ପଛରେ ଉଦ୍ଦେଶ୍ୟ କଣ ତାହା ସ୍ପଷ୍ଟ ହୋଇନି । ଜଗନ୍ନାଥ ସଂସ୍କୃତି ନେଇ କାହିଁକି ଭ୍ରମ ସୃଷ୍ଟି କରିବାକୁ ଅପଚେଷ୍ଟା କରୁଛି ଇସ୍କନ ତାହାର କାରଣ ଅସ୍ପଷ୍ଟ । କିନ୍ତୁ ଏହା ନିଶ୍ଚିତ ଯେଉଁ ଜଗନ୍ନାଥଙ୍କୁ ନେଇ ଇସ୍କନ ରଥଯାତ୍ରା କରୁଛି, ସେହି ଜଗନ୍ନାଥଙ୍କୁ ଅପମାନିତ କରିବାକୁ ପଛାଉ ନାହିଁ ।

ଲୁଧିଆନା ଇସ୍କନ କର୍ତ୍ତୃପକ୍ଷଙ୍କ ଜବାବ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ଗତ କିଛି ବର୍ଷ ହେଲା ଇସ୍କନ ନିଜ ସୁବିଧାରେ ତିଥି ବିହୀନ ରଥଯାତ୍ରା ଆୟୋଜନ କରୁଛି | ଏହାର ଉତ୍ତର ଦେବା ବଦଳରେ ଅଦିନିଆ ରଥଯାତ୍ରା ନେଇ ବିତଣ୍ଡା ଯୁକ୍ତି ରଖିଛି ଲୁଧିଆନା ଇସ୍କନ । ଆମ ପ୍ରତିନିଧି ଯେତେବେଳେ ଲୁଧିଆନା ଇସ୍କନ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ, ସେତେବେଳେ ସେ ଯେଉଁ ଉତ୍ତର ରଖିଥିଲେ ତାହା ଅତ୍ୟନ୍ତ ହାସ୍ୟାସ୍ପଦ । ଲୁଧିଆନା ଇସ୍କନ କର୍ତ୍ତୃପକ୍ଷ କହିଛନ୍ତି, ଇସ୍କନ ହିଁ ବିଶ୍ବରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରିଛି । ଇସ୍କନ ହିଁ ଜଗନ୍ନାଥଙ୍କୁ ବିଶ୍ବରେ ପରିଚୟ ଦେଇଛି । ପୁଣି ପୁରୀରେ ଧର୍ମ ନାଁରେ ଧନ୍ଦା ଚାଲିଛି ବୋଲି ସଂଗୀନ ଅଭିଯୋଗ ଉଠାଇଛନ୍ତି । ପଞ୍ଜାବରେ ବସି ଜଗନ୍ନାଥ, ଶ୍ରୀକ୍ଷେତ୍ର, ଏପରରିକି ସମଗ୍ର ଓଡିଶାର ଜଗନ୍ନାଥପ୍ରେମୀଙ୍କୁ ଆଘାତ କରିବା ଭଳି ମନ୍ତବ୍ୟ ଦେବାକୁ ପଛାଇ ନାହାନ୍ତି ।

ପ୍ରଥମେ ଅଦିନିଆ ରଥଯାତ୍ରା ପରେ ଜଗନ୍ନାଥଙ୍କୁ ଅପମାନ ପରେ ଇସ୍କନ ଔଦ୍ଧତ୍ୟର ଗୋଟିଏ ପରେ ଗୋଟିଏ ସାଙ୍ଘାତିକ ତଥ୍ୟ ଲାଗୁଛି ନ୍ୟୁଜ ସେଭେନ ହାତରେ । ଏବେ ଆମେ ଆପଣଙ୍କ ଆଗରେ ୨ଟି ଚିଠି ଥୋଇବୁ । ଆଉ ଏହି ଚିଠି ଏକଥା ସ୍ପଷ୍ଟ କରୁଛି ଇସ୍କନର ଅପମାନରୁ ଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତି ମହାରାଜ ବି ବର୍ତ୍ତି ନାହାନ୍ତି । ଇସ୍କନର ଅଦିନିଆ ରଥଯାତ୍ରାକୁ ଖୋଦ ଗଜପତି ମହାରାଜ ଏବଂ ଶ୍ରୀମନ୍ଦିର ପ୍ରଶାସନ ବିରୋଧ କରିଛି । କିନ୍ତୁ ଇସ୍କନ ଏହାକୁ ଖାତିର ବି କରିନାହିଁ । ୨୦୦୭ରେ ଇସ୍କନକୁ ଚିଠି ଲେଖିଥିଲା ଶ୍ରୀମନ୍ଦିର ପ୍ରଶାସନ । ଅଦିନିଆ ରଥଯାତ୍ରା ଶାସ୍ତ୍ର ବିରୋଧୀ ବୋଲି ଜଣାଇଥିଲା । ବନ୍ଦ କରିବାକୁ ତାଗିତ କରିଥିଲା । ହେଲେ ଇସ୍କନ ଶୁଣିନଥିଲା । ଏହା ପର ବର୍ଷ ୨୦୦୮ରେ ସ୍ବଂୟ ଗଜପତି ମହାରାଜ ଦିବ୍ୟ ସିଂହ ଦେବ ଇସ୍କନକୁ ଚିଠି ଲେଖିଲେ । ଶାସ୍ତ୍ର ଓ ନୀତିର ପୁରା ତଥ୍ୟ ବିସ୍ତୃତ ଭାବେ ଜଣାଇଲେ । ଜଗନ୍ନାଥଙ୍କ ନୀତିକୁ ଉଲଂଘନ ନକରିବାକ ନିର୍ଦ୍ଦେଶ ଦେଲେ । ହେଲେ ଜଗନ୍ନାଥଙ୍କ ଆଦ୍ୟ ସେବକଙ୍କ ଏ ପତ୍ରକୁ ଫୁ କରିଦେଲା ଇସ୍କନ । ଯିଏ ଛେରାପହଁରା ନକଲେ ନନ୍ଦିଘୋଷ ଗଡେନି ତାଙ୍କ ନିର୍ଦ୍ଦେଶକୁ ବି ଇସ୍କନର ଖାତିର ନଥିଲା । ଜଗନ୍ନାଥଙ୍କ ଚଳନ୍ତି ପ୍ରତିମାଙ୍କ ଅପମାନ ସାଢେ ୪କୋଟି ଓଡିଆଙ୍କ ଅପମାନ ନୁହେଁ କି ? 

ନଭେମ୍ବର ମାସରେ ରଥଯାତ୍ରା କରୁଛି ଇସ୍କନ । ପୁଣି ଅଦିନିଆ ଜଗନ୍ନାଥ ରଥଯାତ୍ରା କରୁଥିବା ଇସ୍କନ ସମଗ୍ର ଓଡ଼ିଆ ଜାତିକୁ ପଢାଉଛି ଶାସ୍ତ୍ରର ପାଠ । ଜଗନ୍ନାଥଙ୍କ ପରିଚୟ, ଭୋଗରାଗ ଉପରେ ବି ଟିପ୍ପଣୀ ଦେବାକୁ ପଛାଇ ନାହାନ୍ତି । ଅକ୍ଟୋବର ନଭେମ୍ବରରେ ରଥଯାତ୍ରା ଆୟୋଜନ କରୁଥିବା ଲୁଧିଆନା ଇସ୍କନର କହିବା କଥା, ଅଦିନିଆ ରଥଯାତ୍ରା ହିଁ ଶାସ୍ତ୍ର ସମ୍ମତ । 

ଏପିରିକି ଆଷାଢ ଶୁକ୍ଳ ଦ୍ୱିତୀୟା ତିଥିକୁ ବି ଚ୍ୟାଲେଞ୍ଜ କରିବାକୁ ସେ ପଛାଉ ନାହାନ୍ତି । ଇସ୍କନ ଯାହା କରୁଛି ଠିକ୍ । ଏଭଳି ଦୁଃସାହସିକ ଉକ୍ତି ରଖିଛନ୍ତି।  ଆହୁରି କହିଛନ୍ତି, ବାହାରେ ଜଗନ୍ନାଥଙ୍କୁ କେହି ଚିହ୍ନି ନ ଥିଲେ । ଜଗନ୍ନାଥଙ୍କୁ ସବୁଠି ଇସ୍କନ ହିଁ ପରିଚୟ ଦେଇଛି । ହେଲେ ଏଠି ପୁରୀରେ ମହାପ୍ରଭୁଙ୍କ ଉଚିତ୍ ଗୁଣବତ୍ତାର ଭୋଗ ବି ଚଢାଯାଉନି ବୋଲି କହିବାକୁ ବି ପଛାଇ ନାହାନ୍ତି ।  ଇସ୍କନର ଏଭଳି ବାଚାଳବାଣୀ ଜଗନ୍ନାଥପ୍ରେମୀଙ୍କୁ କ୍ଷୁବ୍ଧ କରିଛି । ଏହାକୁ ନେଇ ପୁରୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଜଗନ୍ନାଥ ପ୍ରେମୀ ପ୍ରତିବାଦ କରିଛନ୍ତି । ଇସ୍କନର ନୀତିବିହୀନ ରଥଯାତ୍ରା ପ୍ରସଙ୍ଗରେ ରାଜ୍ୟ ସରକାର ହସ୍ତକ୍ଷେପ କରିବାକୁ ମଧ୍ୟ ଦାବି ଜୋର ଧରିଛି । ଓଡିଶା ସରକାର ପଞ୍ଜାବ ସରକାରଙ୍କ ସହ ଏନେଇ ଆଲୋଚନା କରିବାକୁ ଦାବି ଉଠିଛି ।

ପଞ୍ଜାବ ଲୁଧିଆନା ଇସ୍କନ ପକ୍ଷରୁ ଅସମୟରେ ରଥଯାତ୍ରା ପ୍ରତିବାଦରେ ସିଂହଦ୍ବାର ଥାନାରେ ୨ଟି ପୃଥକ ପୃଥକ ମାମଲା ରୁଜୁ କରାଯାଇଛି। ପୁରୀ ସଚେତନ ନାଗରିକ ମଞ୍ଚ ଏବଂ ଜଗନ୍ନାଥ ସେନା ପକ୍ଷରୁ ଇସ୍କନ ଥାନାରେ ଏହି ୨ଟି ମାମଲା ରୁଜୁ ହୋଇଛି। ଇସ୍କନ ଲୁଧିଆନା ସଦସ୍ୟ ଅମିତ ଗର୍ଗଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଅମିତ ଗର୍ଗ ନ୍ୟୁଜ୍ ସେଭେନକୁ ଲୁଧିଆନାରେ ଅସମୟରେ ରଥଯାତ୍ରା ସଂପର୍କରେ ପ୍ରତିକ୍ରିୟା ଦେଇଥିଲେ। ଏଥିରେ ସେ ଶ୍ରୀଜଗନ୍ନାଥଙ୍କ ସଂପର୍କରେ ଏବଂ ଜଗନ୍ନାଥ ସଂସ୍କୃତି ସଂପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଜଗନ୍ନାଥ ସଂସ୍କୃତିକୁ ଅପମାନ କରିଥିବାରୁ ଆଇପିସି ଧାରା ୧୫୩-କ. ୧୨୦-ବି, ୨୯୫-ଏ, ୨୯୬, ୨୯୭ ଓ ୨୯୮ ଦଫାରେ ମାମଲା ରୁଜୁ ହୋଇଛି । 

wp:html
/wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.