WHO ର ଚେତାବନୀ : ୨ ସପ୍ତାହରେ ପ୍ରତିଦିନ ସାମ୍ନାକୁ ଆସିଛି ୧ ଲକ୍ଷରୁ ଅଧିକ ନୂଆ ମାମଲା, ଆଗକୁ ମଧ୍ୟ ଏହିଭଳି ରହିବ ସ୍ଥିତି

Published By : Prameya-News7 Bureau | June 16, 2020 IST

ନ୍ୟୁୟର୍କ ୧୬/୦୬ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନା ଭାଇରସ ସଂକ୍ରମଣର ଭୟାବହତା ନେଇ ଚେତାବନୀ ଜାରି କରିଛନ୍ତି | ଏସିଆ, ଦକ୍ଷିଣ ଆମେରିକା, ମିଡିଲ ଇଷ୍ଟ ଦେଶମାନଙ୍କରେ କରୋନା ସଂକ୍ରମଣର ଭୟାବହତା ଜାରି ରହିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଦେଇଛନ୍ତି | WHO କହିବାନୁଯାୟୀ, ଗତ ଦୁଇ ସପ୍ତାହରେ ପ୍ରତିଦିନ ଲକ୍ଷେରୁ ଅଧିକ ମାମଲା ସାମ୍ନାକୁ ଆସିଛି | ଆଗକୁ ଆହୁରି ୧୫ ଦିନ ପର୍ଯ୍ୟନ୍ତ ଏହି ସିଲସିଲା ଜାରି ରହିବ | WHO ଚୀନ ପାଇଁ ଆଲର୍ଟ ଜାରି କରି କହିଛନ୍ତି ଯେ ବେଜିଙ୍ଗରେ ସାମ୍ନାକୁ ଆସିଥିବା ନୂଆ ମାମଲା ଅତ୍ୟନ୍ତ ଗମ୍ଭୀର ଏବଂ ଏଥିପାଇଁ ଶୀଘ୍ର ପଦକ୍ଷେପ ନେବାକୁ ହେବ | WHO ମୁଖ୍ୟ ଟେଡ଼ରସ ଏଡ଼ହାମ କହିଛନ୍ତି ଯେ, ୫୦ ଦିନ ପରେ ଚୀନରେ ପୁଣିଥରେ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଛି | ଚୀନର ସ୍ଥିତି ଭଲ ନଥିବା ସେ କହିଛନ୍ତି |

ବେଜିଙ୍ଗରୁ ମିଳିଥିବା କ୍ଲଷ୍ଟର ଅତ୍ୟନ୍ତ ଭୟାନକ ମାମଲା | ଠିକ ସମୟରେ ଏହାକୁ ନିୟନ୍ତ୍ରଣ କରିବାକୁ ହେବ ବୋଲି ସେ କହିଛନ୍ତି | WHO ଅନୁଯାୟୀ, ଚୀନରେ ଅତିରିକ୍ତ ସତର୍କତା ଆବଶ୍ୟକ | WHO ଏମଏଜେନ୍ସି ଚିଫ ଡାକ୍ତର ମାଇକେଲ ରିୟାନ କହିଛନ୍ତି ଯେ ସଂଯୁକ୍ତ ରାଷ୍ଟ୍ର ହେଲ୍ଥ ଏଜେନ୍ସି ମଧ୍ୟ ବେଜିଙ୍ଗରେ ସଂକ୍ରମଣ ବ୍ୟାପିବା ପ୍ରସଙ୍ଗରେ ଲଗାତାର ଚୀନ ସମ୍ପର୍କରେ ଅଛନ୍ତି | ଯଦି ଚୀନକୁ କୁନାସି ପ୍ରକାର ସାହାଯ୍ୟ ଆବଶ୍ୟକ ପଡେ ତାହେଲେ WHO ଟିମ ପଠାଯିବ |

WHO ମୁଖ୍ୟ ଟେଡ଼ରସ ଏଡ଼ହାମ କହିଛନ୍ତି ଯେ କରୋନା ସଂକ୍ରମଣର ଯେଉଁ ନୂଆ ମାମଲା ସାମ୍ନାକୁ ଆସିଛି ସେଥିରୁ ୮୦ ପ୍ରତିଶତରୁ ଅଧିକ ମାମଲା କେବଳ ୧୦ଟି ଦେଶରୁ ଆସିଛି | ସବୁଠାରୁ ଅଧିକ ମାମଲା ବ୍ରାଜିଲ, ଆମେରିକା, ଭାରତ, ଋଷ, ପେରୁ, ଚିଲି, ପାକିସ୍ତାନ ଓ ସାଉଦି ଆରବରୁ ଆସୁଛି | ଦକ୍ଷିଣ ଏସିଆ ଦେଶମାନଙ୍କରେ କରୋନା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି |

WHO କହିବାନୁଯାୟୀ, ଆଫ୍ରିକାରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଉଛି | ମହାଦ୍ଵୀପରେ କରୋନା ସଂକ୍ରମଣର ଏକ ଲକ୍ଷ ମାମଲା ହେବାକୁ ୯୮ ଦିନ ଲାଗିଥିଲା କିନ୍ତୁ ସଂକ୍ରମଣ ସଂଖ୍ୟା ଏକ ଲକ୍ଷରୁ ଦୁଇ ଲକ୍ଷରେ ପହଞ୍ଚିବାକୁ ମାତ୍ର ୧୮ ଦିନ ଲାଗିଥିଲା | ଆଫ୍ରିକାର ୫୪ ଦେଶରୁ ଅଧାରୁ ଅଧିକ ଦେଶରେ ସାମ୍ପ୍ରଦାୟିକ ସଂକ୍ରମଣ ଆରମ୍ଭ ହୋଇଛି ଏବଂ ଏହା ଅତ୍ୟନ୍ତ ଭୟଙ୍କର | ମହାଦ୍ଵୀପରେ ଭାଇରସ ମୁଖ୍ୟତଃ ୟୁରୋପରୁ ଆସିଥିଲା ଏବଂ ସହରୀ ଅଞ୍ଚଳରେ ଏବଂ ବ୍ୟବସାୟିକ କେନ୍ଦ୍ରରୁ ଏବଂ ଗ୍ରାମୀଣ ଅଞ୍ଚଳକୁ ବ୍ୟାପିଛି | WHO ରେ ଆଫ୍ରିକାର ମୁଖ୍ୟ ମାସାଦିଶୋ ମୋଇନି କହିଛନ୍ତି ଯେ, ଯେପର୍ଯ୍ୟନ୍ତ କରୋନା ଟୀକା ନ ଆସିଛି ସେପର୍ଯ୍ୟନ୍ତ ଏହିଭଳି ଭାଇରସ ସହିତ ହିଁ ବଞ୍ଚିବାକୁ ପଡିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.