ଆଜି ଆଇପିଏଲ ୨୦୨୦ ଫାଇନାଲ ; କିଏ ମାରିବ ବାଜି ? ଜାଣନ୍ତୁ କାହାର ପଲ୍ଲା ବେଶି ଭାରି

Published By : Prameya-News7 Bureau | November 10, 2020 IST

ନୂଆଦିଲ୍ଲୀ: ଆଜି ଆବୁ ଧାବୀରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ ଆଇପିଏଲ ସିଜିନ ୧୩ର ଫାଇନାଲ ମ୍ୟାଚ୍ । ଚଳିତ ଆଇପିଏଲ ଟାଇଟଲ ଜିତି ମୁମ୍ବାଇ ୫ମ ଥର ପାଇଁ ଚାମ୍ପିୟନ ହେବା ଲକ୍ଷ୍ୟ ରଖିଛି  । ସେପଟେ ଦିଲ୍ଲୀ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଥିବାରୁ ମନବଳ ଦୃଢ ରହିଛି ଏବଂ ପ୍ରଥମ ଥର ପାଇଁ ଆଇପିଏଲ ଟାଇଟଲ ହାସଲ ପାଇଁ ଲକ୍ଷ୍ୟ ରଖିଛି । ପୂର୍ବ ମ୍ୟାଚ ଗୁଡିକୁ ଦେଖିଲେ ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ ଉପରେ ଭାରି ପଡିପାରେ ।

କେବଳ ଆଇପିଏଲର ସିଜିନ-୧୩ ରେ ମୁମ୍ବାଇ ଏବଂ ଦିଲ୍ଲୀ ମଧ୍ୟରେ ୩ ଥର ମୁକାବିଲା ହୋଇସାରିଲାଣି । ୨ ଟିମ ମଧ୍ୟରେ ଖେଳା ଯାଇଥିବା ପ୍ରଥମ ଲିଗ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ଓ୍ବିକେଟରେ ହରାଇଥିଲା । ସେହିପରି ଲିଗ ପର୍ଯ୍ୟାୟର ୨ୟ ମ୍ୟାଚରେ ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଥିଲା ମୁମ୍ବାଇ । ୨ୟ ଲିଗ ମ୍ୟାଚକୁ ୯ ଓ୍ବିକେଟରେ ଜିତି ନେଇଥିଲା ମୁମ୍ବାଇ ଇଣ୍ଡିଆନ୍ସ । ତେବେ କ୍ବାଲିଫାୟର ପର୍ଯ୍ୟାୟରେ ପୁଣି ସାମ୍ନାସାମ୍ନି ହୋଇଥିଲେ ଦିଲ୍ଲୀ ଏବଂ ମୁମ୍ବାଇ ।  କ୍ବାଲିଫାୟର ୧ ମ୍ୟାଚ ଆରମ୍ଭରୁ ହିଁ ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ ଉପରେ ଭାରି ପଡିଥିଲା । ଦିଲ୍ଲୀ ସମ୍ମୁଖରେ କ୍ବାଲିଫାୟର ୧ରେ ୨୦୧ ରନର ବିଜୟ ଲକ୍ଷ୍ୟ ରଖିଥିଲା ମୁମ୍ବାଇ । କିନ୍ତୁ ଇନିଂସ ଆରମ୍ଭରୁ କୌଣସି ରନ କରିବା ପୂର୍ବରୁ ହିଁ ୩ଟି ଓ୍ବିକେଟ ହରାଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ମୁମ୍ବାଇ ଇଣ୍ଡିଆନ୍ସ ସେହି ମ୍ୟାଚକୁ ୫୭ ରନର ବୃହତ ବ୍ୟବଧାନରେ ଜିତି ଫାଇନାଲରେ ପ୍ରବେଶ କରିଥିଲା ।

ତେବେ ଅନ୍ୟ ପଟେ ଦେଖିବାକୁ ଗଲେ ଦୁବାଇରେ ମୁମ୍ବାଇ ଇଣ୍ଡିଆନ୍ସର ରେକର୍ଡ ଏତେବି ଖାସ ନାହିଁ । ମୁମ୍ବାଇ ଇଣ୍ଡିଆନ୍ସ ଦୁବାଇରେ ଖେଳିଥିବା ମୋଟ ୭ ମ୍ୟାଚରୁ ୫ ଟିରେ ହାରିଛି ସେହି କାରଣରୁ ଦିଲ୍ଲୀ କ୍ୟାପିଟାଲ୍ସର ପଲ୍ଲା ଗୋଟେ ପ୍ରକାର ଭାରି ହୋଇପାରେ ।  ସେହିଭଳି ଯଦି ଦିଲ୍ଲୀ କ୍ୟାପିଟାଲ୍ସ କଥା ଆଲୋଚନା କରାଯାଏ ତେବେ ସେଠାରେ ଖେଳିଥିବା ମୋଟ ୧୦ ମ୍ୟାଚରୁ ୫ଟିରେ ବିଜୟ ହାସଲ କରିଛି । ଆଇପିଏଲ ଇତିହାସରେ ଦେଖିବାକୁ ଗଲେ ଦିଲ୍ଲୀ ଏବଂ ମୁମ୍ବାଇ ମଧ୍ୟରେ ମୋଟ ୨୭ଟି ମ୍ୟାଚ ଖେଳାଯାଇଛି । ଯେଉଁଥିରେ ୧୫ ମ୍ୟାଚରେ ମୁମ୍ବାଇ ଜିତିଥିବା ବେଳେ ୧୨ ଥର ହାରିଛି । ଚଳିତ ସିଜିନରେ ମୁମ୍ବାଇ ୧୪ଟି ମ୍ୟାଚ୍ ଖେଳି ୯ଟି ବିଜୟୀ ହୋଇ ପଏଣ୍ଟ ତାଲିକାରେ ଶୀର୍ଷରେ ରହିଥିଲା । ଆଇପିଏଲ୍ର ୧୩ତମ ସିଜିନରେ ମୁମ୍ବାଇ ନିଜର ଆଧିପତ୍ୟ ବିସ୍ତାର କରିଆସିଛି । ବ୍ୟାଟିଂ ବିଭାଗରେ ସସସ୍ତ ବ୍ୟାଟ୍ସମ୍ୟାନ୍ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି ।  ସବୁଠାରୁ ଭଲ କଥା ହେଉଛି ଅଧିନାୟକ ରୋହିତ ଶର୍ମା ସୁସ୍ଥ ହୋଇ ଦଳକୁ ଫେରିଛନ୍ତି । ମଧ୍ୟକ୍ରମରେ ସୂର୍ଯ୍ୟକୁମାର ଯାଦବ, ଇଶାନ୍ କିଷନ, ହାର୍ଦ୍ଦିକ ପାଣ୍ଡ୍ୟା, କିରେନ୍ ପୋଲାର୍ଡ଼ ଚମତ୍କାର ବ୍ୟାଟିଂ କରୁଛନ୍ତି ` ବୋଲିଂ ବିଭାଗ ମଧ୍ୟ ସବୁଠୁ ଶକ୍ତିଶାଳୀ । ବୋଲର ଜଶପ୍ରୀତ୍ ବୁମ୍ରା (୨୭) ଓ ଟ୍ରେଣ୍ଟ ବୋଲ୍ଟ (୨୨)ଙ୍କ ପ୍ରଦର୍ଶନ ଚର୍ଚ୍ଚାର ବିଷୟ ପାଲଟିଛି ।

ସେହିପରି ଦିଲ୍ଲୀ ଲିଗ୍ ପର୍ଯ୍ୟାୟରେ ମଧ୍ୟ ଦମ୍ଦାର ପ୍ରଦର୍ଶନ କରିଥିଲା । କିନ୍ତୁ ଲିଗ୍ର ମଧ୍ୟଭାଗରେ ଟିମ୍ର ପ୍ରଦର୍ଶନରେ ଅତିକ୍ରମ ହୋଇଥିଲା । ତେବେ ଦିଲ୍ଲୀ ଲିଗ୍ ପର୍ଯ୍ୟାୟରେ ୧୪ଟି ମ୍ୟାଚ୍ରୁ ୮ଟିରେ ବିଜୟ ହୋଇ ୧୬ପଏଣ୍ଟ ସହ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଥିଲା  । ଦିଲ୍ଲୀ ପକ୍ଷରୁ ମାର୍କସ ଷ୍ଟୋଇନିସ୍ ଏବଂ ଧାୱନ (୬୦୩ରନ୍) ଚମତ୍କାର ଫର୍ମରେ ଅଛନ୍ତି । ବୋଲିଂ ବିଭାଗରେ କାଗିସୋ ରାବାଡା ପର୍ପଲ କ୍ୟାପ ଦୌଡରେ ଅଛନ୍ତି ଯାହାକି ମୁମ୍ବାଇ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.