୪ ଦୋଷୀଙ୍କ ଫାଶୀ ବେଳେ କିଏ ରହିବେ, ଦୋଷୀଙ୍କ ଓଜନ ଆଉ କେତେ ଉଚ୍ଚ ହେବ ଫାଶୀ ଖୁଣ୍ଟ ? କ’ଣ କହୁଛି ଦିଲ୍ଲୀ ଜେଲ୍ ଆଇନ…

Published By : Prameya-News7 Bureau | January 07, 2020 IST

ନୂଆଦିଲ୍ଲୀ ୦୭/୦୧- ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଡେଥ୍ ୱାରେଣ୍ଟ ସହ ୨୨ ତାରିଖ ସକାଳ ୭ କୁ  ଦୋଷୀଙ୍କୁ  ଫାଶୀ ନିର୍ଦ୍ଦେଶ । ତିହାରର ଜେଲ ନଂ ୩ରେ ୪ଦୋଷୀଙ୍କୁ ଫାଶୀ ଦିଆଯାଇପାରେ । ତେବେ ଆମ ଦେଶର ବିଭିନ୍ନ ରାଜ୍ୟରେ ଜେଲ ଆଇନରେ ଫାଶୀ ଦଣ୍ଡର କାର୍ଯ୍ୟକାରିତାରେ କିଛି ନିର୍ଦ୍ଦିଷ୍ଟ ନିୟମ ରହିଛି । ଦୋଷୀଙ୍କୁ ଫାଶୀ ବେଳେ , ଘଟଣା ସ୍ଥଳରେ କିଏ କିଏ  ଉପସ୍ଥିତ ରହିବେ ?  ଦୋଷୀର ଓଜନ ସହ ତାକୁ କେତେ ଉଚ୍ଚରୁ ଖସାଇବାକୁ ହେବ ? ଆହୁରି କେତେ ନିୟମ । ସେହି ହିସାବରେ ତିହାର ଜେଲ୍‌ରେ ଫାଶୀ ପାଇବାକୁ ଥିବା ନିର୍ଭୟା ମାମଲାର ୪ ଦୋଷୀଙ୍କୁ କିପରି ଝୁଲାଯିବ?  ଦିଲ୍ଲୀ ଜେଲ ଆଇନ, ୨୦୧୮ ରେ ଏହାର ରହିଛି କାନୁନ କାଇଦା ।

{"id":208383,"sizeSlug":"large"}

 ଦିଲ୍ଲୀ ପ୍ରିଜନ ରୁଲ୍ସ, ୨୦୧୮ ଅନୁସାରେ ଜେଲ୍ ଅଧିକ୍ଷକ ବା ସୁପରିଟେଣ୍ଡେଣ୍ଟ ଫାଶୀ ଦଣ୍ଡ କାର୍ଯ୍ୟକାରୀ କରିବାର ସମୟ ସ୍ଥିର କରିବେ । ସେ ବହୁ ଆଗରୁ ଏହି ସମୟ ଧାର୍ଯ୍ୟ କରିବାକୁ କ୍ଷମତାପ୍ରାପ୍ତ । ତେବେ ନିର୍ଦ୍ଦିଷ୍ଟ ଭାବେ ଏହା ବଡି ଭୋର ସମୟରେ ବା ଅଧିକ ଫର୍ଚ୍ଚା ହେବା ଆଗରୁ ସମ୍ପାଦନ କରାଯିବାର ନିୟମ ରହିଛି । ବିଭିନ୍ନ ଋତୁରେ ଏହାର ସମୟ ଭିନ୍ନ ହୋଇଥାଏ।

ଏହାସହ ଫାଶୀ ଖୁଣ୍ଟ ( ଗ୍ୟାଲୋଜ୍) ଟି ଜଣେ ପିଡବ୍ଲ୍ୟୁଡି ଯନ୍ତ୍ରୀଙ୍କ ଦ୍ବାରା ନିୟମିତ ବ୍ୟବଧାନରେ ତଦାରଖ ସହ ଫାଶୀ ଦଣ୍ଡର କାର୍ଯ୍ୟକାରିତା ଦିନର ପୂର୍ବ ଯାଏଁ ଯାଞ୍ଚ କରାଯିବ । ଜେଲ ଅଧିକ୍ଷକ ଚାହଁଥିବା ପର୍ଯ୍ୟନ୍ତ ଇଂଜିନିୟର ଜଣକ ଘଟଣାସ୍ଥଳକୁ ଆସି ତାଙ୍କ ଉପସ୍ଥିତିରେ ତାହାର ଯାଞ୍ଚ କରିବେ ।ଫାଶୀ ଦଉଡି ମଧ୍ୟ ଜେଲ୍ ଅଧିକ୍ଷକଙ୍କ ଉପସ୍ଥିତିରେ ଯାଞ୍ଚ ହେବ ।

{"id":208385,"sizeSlug":"large"}

 ଏହା ସହ  ଦୋଷୀର  ଓଜନ ଏବଂ ସେ କେତେ ଉଚ୍ଚରୁ ଫାଶୀଖୁଣ୍ଟରେ ଝୁଲିବେ ତାହା ଲାଗି  ଏକ ଆନୁପାତିକ ହିସାବରେ ନିୟମ ରହିଛି ।  ଉଦାହରଣସ୍ବରୁପ ଜେଲ୍ ମାନୁଆଲ ଅନୁଯାୟୀ, ଯଦି ଫାଶୀ ପାଇବାକୁ ଥିବା ଦୋଷୀଙ୍କ ଓଜନ ୪୩.୩୬୦ କିଲୋଗ୍ରାମ ହୋଇଥାଏ , ତେବେ ସେ ୨.୪୪୪୦ ମିଟର ଉଚ୍ଚରୁ ଖସିବା ଦରକାର ।

 ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା, ତିହାର ଜେଲ୍‌ରେ ୪ ଦୋଷୀଙ୍କ ଫାଶୀ ବେଳେ କିଏ କିଏ ଘଟଣାସ୍ଥଳରେ ଉପସ୍ଥିତ ରହିବେ । ଦିଲ୍ଲୀ ଜେଲ୍ ନିୟମ ଅନୁଯାୟୀ, ଫାଶୀ ଦଣ୍ଡ ବେଳେ ଜେଲ୍ ଅଧିକ୍ଷକ, ଉପ ଅଧିକ୍ଷକ,ଦୁଇ ଜଣ ଡାକ୍ତର ସେମାନେ ହେଲେ ମେଡିକାଲ ଅଫିସର ଇନ ଚାର୍ଜ , ଏବଂ ଜେଲ୍‌ର ରେସିଡେଣ୍ଟ ମେଡିକାଲ ଅଫିସର । ଏହା ବ୍ୟତୀତ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍  କିମ୍ବା ତାଙ୍କ ଅନୁପସ୍ଥିତିରେ ଆଡିସିନାଲ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍ ଉପସ୍ଥିତ ରହିବେ । ଯଦି  ଫାଶୀ ପାଉଥିବା ଦୋଷୀ ଚାହିଁବେ , ତେବେ ତାଙ୍କ ଧର୍ମର ଜଣେ ଧର୍ମଗୁରୁଙ୍କୁ ଉପସ୍ଥିତ ରହିବାକୁ ଅନୁମତି ଦିଆଯାଇପାରେ । ତେବେ ସେ ନିଷ୍ପତ୍ତି ଜେଲ୍ ଅଧିକ୍ଷକହିଁ ନେବେ ଓ ତାହା ତାଙ୍କ ଇଚ୍ଛାଧିନ ।

ତେବେ ଫାଶୀ ଦଣ୍ଡ ବେଳେ, ସଂପୃକ୍ତ ଦୋଷୀଙ୍କର କୌଣସି ସଂପର୍କୀୟଙ୍କୁ ସେଠାରେ ଉପସ୍ଥିତ ରହିବାର ଅନୁମତି ମିଳିପାରିବ ନାହିଁ । ତେବେ ସୁପରିଟେଣ୍ଡେଣ୍ଟ ଫାଶୀ ଦଣ୍ଡ ସ୍ଥାନରେ ସମାଜ ବିଜ୍ଞାନୀ, ମନସ୍ତତ୍ତ୍ବବିତ୍ ଇତ୍ୟାଦିଙ୍କୁ ଗବେଷଣା ଭିତ୍ତିରେ ଅନୁମତି ଦେଇପାରନ୍ତି । କିନ୍ତୁ ସେଥିଲାଗି ସରକାରଙ୍କ ଠାରୁ ଆଗୁଆ ଅନୁମତି ଆଣିବାକୁ ହେବ।

 ଏହା ସହ ଫାଶୀ ଦଣ୍ଡ ଦିଆଯାଉଥିବା ପରିସରରେ ସୁରକ୍ଷା କର୍ମଚାରୀଙ୍କ ଉପସ୍ଥିତି ଏବଂ ସେମାନଙ୍କ  ସଂଖ୍ୟା ନେଇ ନିର୍ଦ୍ଦିଷ୍ଟ ଭାବେ ଜେଲ୍ ନିୟମରେ ଉଲ୍ଲେଖ ରହିଛି । ସେହି ଅନୁଯାୟୀ ସେଠାରେ ୧୦ ଜଣ କନଷ୍ଟେବଲ କିମ୍ବା ୱାଡର୍ସ, ୨ ଜଣ ହେଡ୍ କନଷ୍ଟେବଲ କିମ୍ବା ହେଡ୍ ୱାର୍ଡର୍ସ  ଏବଂ ସମାନ ସଂଖ୍ୟକ ସଶସ୍ତ୍ର ଜେଲ୍ ସୁରକ୍ଷା କର୍ମୀ ରହିବେ ।

 ଫାଶୀ ଦିବସ ସକାଳେ ଜେଲ ଅଧିକ୍ଷକଙ୍କ ଲାଗି ଯୋଗାଯୋଗ ଜନୀତ କୌଣସି କାର୍ଯ୍ୟ ବକେୟା ରହିନଥିବ ।ତାପରେ ଜେଲ ଅଧିକ୍ଷକ ଓ କର୍ମଚାରୀ ସଂପୃକ୍ତ ଦୋଷୀଙ୍କ ଜେଲ୍ ପ୍ରକୋଷ୍ଠକୁ ଯାଇ ଆବଶ୍ୟକୀୟ କାଗଜ ପତ୍ରରେ ଦସ୍ତଖତ ସହ ତାଙ୍କ  ଇଚ୍ଛାନେଇ ଅବଗତ ହେବେ ଓ ଦସ୍ତଖତ ଆଣିବେ । ଏହାପରେ ଜେଲ୍ କର୍ମଚାରୀ ମାନେ ସଂପୃକ୍ତ ଦୋଷୀର ହାତକୁ ବାନ୍ଧି ଦେବା ସହ ତାଙ୍କୁ ଫାଶୀ ସ୍ଥଳକୁ ଆଣିବେ । ତାହାପରେ ଏନକ୍ଲୋଜରରେ ପ୍ରବେଶ ପୂର୍ବରୁ ତାଙ୍କୁ ଏକ ସ୍ବତନ୍ତ୍ର କଟନ ଟୋପି ପିନ୍ଧାଇଦିଆଯିବ ।ଦୋଷୀ ଫାଶି ଖୁଣ୍ଟ ଯେପରି ନଦେଖି ପାରିବେ ତାହା ମଧ୍ୟ ପାଳନ କରିବାକୁ ଜେଲ୍ ନିୟମ କହୁଛି ।

 ଏନକ୍ଲୋଜରକୁ ପ୍ରବେଶ ମାତ୍ରେ ତାଙ୍କୁ  ଜହ୍ଲାଦ ( ଫାଶି ଦେବା ଲାଗି ନିଯୁକ୍ତ ବ୍ୟକ୍ତି)ଙ୍କୁ ହସ୍ତାନ୍ତର କରାଯିବ । ସେ ଦୋଷୀର ଗୋଡ ବାନ୍ଧିବେ ଏବଂ ଫାଶୀ ଦଉଡିକୁ ତାଙ୍କ ବେକରେ ପକାଇ ଠିକ୍ ଭାବେ ଗୁଡାଇବେ । ତାପରେ ଜେଲ୍ ଅଧିକ୍ଷକଙ୍କ ସଂକେତ ମାତ୍ରେ ସେ ଫାଶ ଭିଡିଦେବେ ।  ଏହାପରେ ୩୦ ମିନିଟ ପର୍ଯ୍ୟନ୍ତ  ଦୋଷୀଙ୍କ ଶରୀର ସେହି ପରି ଅବସ୍ଥାରେ ରହିବ । ତାପରେ ତାହାକୁ ଖୋଲାଯାଇ ତଳକୁ ଅଣାଯିବ କିମ୍ବା ରେସିଡେଣ୍ଟ ମେଡିକାଲ ଅଫିସର ଫାଶୀ କାର୍ଯ୍ୟକାରି ହୋଇଥିବା  ଏବେ ଜୀବନ ଚାଲିଯାଇଥିବା  କହିବା ପର୍ଯ୍ୟନ୍ତ ମଧ୍ୟ ଅପେକ୍ଷା କରାଯାଇପାରେ । ଏହି ପରି ଭାବେ ନିର୍ଭୟା ମାମଲାର ୪ ଦୋଷୀ ଅକ୍ଷୟ ଠାକୁର, ବିନୟ ଶର୍ମା,   ମୁକେଶସିଂହ ଓ  ପୱନ ଗୁପ୍ତାଙ୍କୁ ଫାଶୀରେ ଝୁଲାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.