ଖାଲି ପଡିବାକୁ ଯାଉଛି ୪ ରାଜ୍ୟସଭା ଆସନ, କାହାକୁ ମିଳିବ ରାଜ୍ୟସଭା ସାଂସଦ ପଦବୀ ?
1/06/2019 at 10:13 AM

ଭୁବନେଶ୍ବର ୧|୬: ରାଜ୍ୟରେ ଖାଲି ପଡ଼ିବାକୁ ଯାଉଛି ୪ଟି ରାଜ୍ୟସଭା ଆସନ । ରାଜ୍ୟସଭା ସାଂସଦ ଥାଇ ଲୋକସଭା ଓ ବିଧାନସଭାରେ ଲଢିଥିବା ୬ ସାଂସଦଙ୍କ ମଧ୍ୟରୁ ୪ ଜଣ ବିଜୟୀ ହୋଇଛନ୍ତି । ତେଣୁ ସେମାନଙ୍କୁ ଏବେ ରାଜ୍ୟସଭା ପଦ ଛାଡ଼ିବାକୁ ହେବ । ତେବେ ଏମାନଙ୍କ ସ୍ଥାନରେ କିଏ ସାଂସଦ ହେବେ , ତାକୁ ନେଇ ଲବି ବଢ଼ିଲାଣି ।
ଆଳି ବିଧାନସଭାରୁ ପ୍ରତାପ ଦେବ, ଖଣ୍ଡପଡ଼ାରୁ ସୌମ୍ୟରଂଜନ ପଟ୍ଟନାୟକ, କେନ୍ଦ୍ରାପଡ଼ା ଲୋକସଭାରୁ ଅନୁଭବ ମହାନ୍ତି ଓ କନ୍ଧମାଳ ଲୋକସଭାରୁ ଅଚ୍ୟୁତ ସାମନ୍ତ ବିଜୟୀ ହୋଇଛନ୍ତି । ଏମାନେ ନୂଆ ଦାୟିତ୍ବ ପାଖରେ ରଖିବେ ଓ ରାଜ୍ୟସଭା ପଦ ଛାଡ଼ିବେ ବୋଲି ଜଣାପଡିଛି । ତେଣୁ ଖାଲିହେବ ୪ ରାଜ୍ୟସଭା ସିଟ୍ । ଏଥିପାଇଁ ନିର୍ବାଚନରେ ଦଳୀୟ ଟିକଟ ପାଇ ନ ଥିବା ନେତା, ଆଉ ଟିକଟ ପାଇ ବି ହାରିଥିବା ହେଭିୱେଟ୍ ଲବି ଆରମ୍ଭ କଲେଣି । ଟିକଟ ବଣ୍ଟନ ବେଳେ ପ୍ରସନ୍ନ ପାଟ୍ଟଶାଣୀ, ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ନବୀନ ରାଜ୍ୟସଭା ପ୍ରତିଶ୍ରୁତି ଦେଇଥିବା ଚର୍ଚ୍ଚା ହୋଇଥିଲା ।
ସେହିପରି ବହିଷ୍କାର ଉଠିବା ପରେ ଦଳକୁ ଫେରି ଉପସଭାପତି ହୋଇଥିବା ପ୍ରଫୁଲ୍ଲ ଘଡେଇ, ଆଇଟି ସେଲ୍ ମୁଖ୍ୟ ଅମର ପଟ୍ଟନାୟକଙ୍କ କଥା ଦଳ ଚିନ୍ତା କରିପାରେ ।ଏହାଛଡା ମହିଳା ପ୍ରତିନିଧିତ୍ବକୁ ମଧ୍ୟ ନବୀନ ଗୁରୁତ୍ବ ଦେଇପାରନ୍ତି। କାରଣ ସେ ଏକତୃତୀୟାଂଶ ସାଂସଦ ପଠାଇବା ପାଇଁ ପୂର୍ବରୁ କହି ଆସିଛନ୍ତି ।
ସେହିଭଳି ପୁରୀରୁ ହାରିଥିବା ମହେଶ୍ୱର ମହାନ୍ତି, ସଂଜୟ ଦାସବର୍ମା ପ୍ରମୁଖ ଲବିରେ ଅଛନ୍ତି । କଳାହାଣ୍ଡି ଲୋକସଭାରୁ ହାରିଥିବା ପୁଷ୍ପେନ୍ଦ୍ର ସିଂହଦେଓ, ସମ୍ବଲପୁର, ବାଲେଶ୍ବର, ଭୁବନେଶ୍ବରରୁ ହାରିଥିବା ନଳିନୀ ପ୍ରଧାନ, ରବୀନ୍ଦ୍ର ଜେନା, ଅରୂପ ପଟ୍ଟନାୟକ ପ୍ରମୁଖ ମଧ୍ୟ ରାଜ୍ୟସଭା ବାଟ ଦେଇ ସାଂସଦ ହେବାକୁ ଚାହିଁ ବସିଛନ୍ତି । ବଲାଙ୍ଗିର ରାଜ ପରିବାରର ନିର୍ବାଚନୀ ବିପର୍ଯ୍ୟୟ ପରେ ଅନଙ୍ଗ ଉଦୟ ସିଂହଦେଓଙ୍କ ନାଁ ବି ଚର୍ଚ୍ଚାରେ ରହିଛି ।