କିଏ ହେବ ହ୍ୱାଇଟ୍ ହାଉସର ବିଗବସ୍ ? ଚାଲିଛି ମତଦାନ, ଭୋଟିଂରେ ହେରଫେର ନେଇ ଅଭିଯୋଗ ଆଣିଲେ ଟ୍ରମ୍ପ୍

Published By : Prameya-News7 Bureau | November 03, 2020 IST

ନ୍ୟୁୟର୍କ, ୦୩/୧୧:    କିଏ ହେବ ହ୍ବାଇଟ ହାଉସ୍‌ର ବିଗବସ୍ । ଏହି ଆକଳନ ଭିତରେ ଆରମ୍ଭ ହୋଇ ଯାଇଛି ଆମେରିକା ରାଷ୍ଟ୍ରପତି ନିର୍ବାଚନ । ନ୍ୟୁହାମ୍ପାସାୟାରରେ ପ୍ରଥମ ଭୋଟ୍ ପଡିଛି । କୋଭିଡ କଟକଣା ଭିତରେ ଭୋଟର ସୁରକ୍ଷାର ସହ ଭୋଟ୍ କରୁଛନ୍ତି । କେବଳ ଭୋଟର ନୁହନ୍ତି, ଗୁଇନ୍ଦା ସୂଚନା ମୁତାବକ ଦେଶରେ ଅଶାନ୍ତି ହେବା ଆଶଙ୍କାରେ ସାରା ହ୍ବାଇଟ ହାଉସ୍ ରହିଛି କଡା ସୁରକ୍ଷା ବଳୟ ଭିତରେ । ହ୍ବାଇଟ ହାଉସ୍ ଚାରିପଟେ ଅସ୍ଥାୟୀ ପାଚେରୀ ତିଆରି କରାଯାଇଛି । ସାରା ଦେଶରେ ହାଇ ଆଲର୍ଟ ଜାରି କରାଯାଇଛି । ଏପଟେ ନିର୍ବାଚନ ଚାଲିଛି ସେପଟେ ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ପୋଷ୍ଟାଲ ଭୋଟିଂରେ ହେରଫେର ହୋଇଥିବା ଅଭିଯୋଗ କରିଛନ୍ତି ।

ଭାରତରେ ନିର୍ବାଚନ କମିଶନ ଭଳି ଆମେରିକାରେ ନିର୍ବାଚନ ପରିଚାଳନା କରିବା ଲାଗି ସାରା ଦେଶ ପାଇଁ ଗୋଟିଏ ସଂସ୍ଥା ନାହିଁ । ପ୍ରତିଟି ରାଜ୍ୟ ନିଜ ନିଜ ନିୟମ ଅନୁଯାୟୀ ଭୋଟିଂ କରାନ୍ତି । ସବୁ ରାଜ୍ୟର ପୋଷ୍ଟାଲ ବାଲଟ୍ ଭୋଟିଂ ତାରିଖ ବି ଅଲଗା ଅଲଗା ଥିଲା । ପ୍ରାୟ ୧୦ କୋଟି ଆମେରିକୀୟ ପୋଷ୍ଟାଲ ବାଲଟ୍‌ ରେ ମତ ସାବ୍ୟସ୍ତ କରି ସାରିଛନ୍ତି । ଆଉ ୬କୋଟି ଭୋଟର ଆଜି ଭୋଟ୍ ଦେବେ । ଏସବୁ ଗଣତି ହୋଇ ଫଳାଫଳ ଆସିବାକୁ କିଛି ସପ୍ତାହ ଲାଗିବ ।

ଆମେରିକା ନିର୍ବାଚନରେ ଟ୍ରମ୍ପ ପୁଣି ବାଜି ମାରନ୍ତୁ କି ଜୋ-ବାଇଡେନ୍ ନୂଆ ରାଷ୍ଟ୍ରପତି ହୁଅନ୍ତୁ, ଭାରତ-ଆମେରିକା ସଂପର୍କରେ ସେହିପରି ଅତୁଟ ରହିବ ବୋଲି ଆକଳନ କରାଯାଉଛି । ଏଥର ଉଭୟ ଟ୍ରମ୍ପ ଏବଂ ବାଇଡେନ୍ ଭାରତୀୟ ଆମେରୀକୀୟ ଭୋଟରଙ୍କ ଉପରେ ନଜର ରଖିଛନ୍ତି । ଆମେରିକାର ଉପରାଷ୍ଟ୍ରପତି ପ୍ରାର୍ଥି ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସ୍‌ଙ୍କ ଡେମୋକ୍ରାଟ୍ ଦଳର ବିଜୟ ପାଇଁ ତାମିଲନାଡୁରେ ତାଙ୍କ ଅଜାଙ୍କ ଗାଁ ତୁଲସେନ୍ତିରପୁରମର ଲୋକେ ପୂଜାର୍ଚ୍ଚନା କରିଛନ୍ତି।

ଜଣେ ପ୍ରାର୍ଥୀ କେତେ ଲୋକପ୍ରିୟ ତାହା ଜାତୀୟ ସର୍ଭେ ସୂଚନା ଦେଇଥାଏ। ଜାତୀୟ ସର୍ଭେ ଅନୁସାରେ ୨୦୧୬ରେ ହିଲାରି କ୍ଲିଣ୍ଟନ ଆଗୁଆ ଥିଲେ। ଟ୍ରମ୍ପଙ୍କ ତୁଳନାରେ ପ୍ରାୟ ତିନି ନିୟୁତ ଅଧିକ ଭୋଟ୍‌ ପାଇଥିଲେ। ଏହା ସତ୍ତ୍ବେ ସେ ହାରି ଯାଇଥିଲେ। ଆମେରିକା ନିର୍ବାଚନୀ କଲେଜ ବ୍ୟବସ୍ଥା ଆପଣେଇଥାଏ। ଜନସାଧାରଣଙ୍କଠାରୁ ବିପୁଳ ଭୋଟ୍‌ ପାଇଲେ ମଧ୍ୟ ଜଣେ ପ୍ରାର୍ଥୀ ନିର୍ବାଚନ ଜିଣିପାରିବେନି। ଜଣେ ରାଷ୍ଟ୍ରପତି ପ୍ରାର୍ଥୀ ‌ମୋଟ୍‌ ୫୩୮ଟି ଇଲେକ୍ଟୋରାଲ୍‌ ଭୋଟ୍‌ରୁ ୨୭୦  ଭୋଟ୍‌ ପାଇଲେ ହିଁ କ୍ଷମତାକୁ ଆସିପାରିବେ। ଜାତୀୟ ସର୍ଭେରେ ଜୋ ୱିଡେନ୍‌ ଟ୍ରମ୍ପଙ୍କଠାରୁ ଆଗରେ ଅଛନ୍ତି। ତେବେ କିଏ ରାଷ୍ଟ୍ରପତି ହେବ ତାହା ଏବେଠୁ କହିବା ସହଜ ନୁହେଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.