କିଏ ହେବେ ବିରୋଧୀ ଦଳ ନେତା ? ୨୩ ବିଧାୟକଙ୍କ ସହ ପ୍ରଥମ ଥର ବିରୋଧୀ ଦଳ ଆସନରେ ବସିବ ବିଜେପି
26/05/2019 at 6:10 PM

ଭୁବନେଶ୍ୱର ୨୬/୫ : ସରକାର ଗଠନ ପ୍ରକ୍ରିୟା ଚଳାଇଛି ବିଜେଡି । ସେପଟେ ମିଶନ ୱାନ୍ ଟ୍ବେଣ୍ଟି ସଫଳ ହୋଇ ନ ଥିଲେ ବି ବିଜେପି ଲାଗି ପ୍ରଥମ ଥର ବିରୋଧୀ ଦଳ ନେତା ବାଛିବାର ସୁଯୋଗ ରହିଛି । ରେସରେ ଆଗରେ ଅଛନ୍ତି ଜୟନାରାୟଣ ମିଶ୍ର ଓ ପ୍ରଦୀପ୍ତ ନାଏକ । ଦିନେ-ଦୁଇ ଦିନ ମଧ୍ୟରେ ବିଜେପିର ବିଧାୟକ ଦଳ ବୈଠକ ବସି ଏ ନେଇ ନିଷ୍ପତ୍ତି ନେବ ଦଳ ।

ମୁଖ୍ୟମନ୍ତ୍ରୀ ତ ନବୀନ ହେବେ । ହେଲେ ତାଙ୍କୁ ଟକ୍କର ଦେବାକୁ ବିରୋଧୀ ଦଳ ନେତା କିଏ ହେବେ ? ୨୩ ବିଧାୟକଙ୍କ ସହ ପ୍ରଥମ ଥର ବିରୋଧୀ ଦଳ ଆସନରେ ବସିବ ବିଜେପି ।

ତେଣୁ ବିରୋଧୀ ଦଳ ନେତା ବାଛିବାର ସୁଯୋଗ ବିଜେପି ପାଖରେ ରହିଛି । ଏ ସଂପର୍କରେ ନିଷ୍ପତ୍ତି ଲାଗି ଦିନେ – ଦୁଇ ଦିନ ମଧ୍ୟରେ ପାର୍ଟିର ବିଧାୟକ ଦଳ ବୈଠକ ବସିବ । ହେଲେ ଏହା ପୂର୍ବରୁ ସମ୍ଭାବ୍ୟ ନାଁକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ରେସରେ ସବୁଠାରୁ ଆଗରେ ରହିଛନ୍ତି ସମ୍ବଲପୁର ବିଧାୟକ ଭାବେ ନିର୍ବାଚିତ ଜୟନାରାୟଣ ମିଶ୍ର । ପୂର୍ବରୁ ୩ ଥର ବିଧାୟକ ହୋଇଛନ୍ତି, ମେଣ୍ଟ ଶାସନ ବେଳେ ମନ୍ତ୍ରୀ ବି ଥିଲେ ଜୟନାରାୟଣ ।

ବିଧାନସଭାର କାର୍ଯ୍ୟକ୍ରମକୁ ନେଇ ତାଙ୍କ ପାଖରେ ରହିଛି ଭରପୁର ଅଭିଜ୍ଞତା । ତେବେ ଏହି ପଦବୀ ଲାଗି ଜୟନାରାୟଣଙ୍କ ସହ ଭବାନୀପାଟଣାର ବିଧାୟକ ଭାବେ ନିର୍ବାଚିତ ପ୍ରଦୀପ୍ତ କୁମାର ନାଏକଙ୍କ ଦାବିଦାରୀ ମଧ୍ୟ ରହିଛି । ଜୟନାରାୟଣଙ୍କ ଭଳି ପ୍ରଦୀପ୍ତ ମଧ୍ୟ ପୂର୍ବରୁ ୩ ଥର ବିଧାୟକ ରହିବା ସହ ମନ୍ତ୍ରୀ ହୋଇଥିଲେ ।

ତେବେ ଖାଲି ବିରୋଧୀ ଦଳ ନେତା ନୁହେଁ ଉପ ନେତା, ମୁଖ୍ୟ ସଚେତକ ପଦବୀ କିଏ ହାତେଇବ ସେ ନେଇ ବି ଆଲୋଚନା ଚାଲିଛି । ଧାମମଗର ବିଧାୟକ ତଥା ଦଳର ପୁରୁଖା ନେତା ବିଷ୍ଣୁ ସେଠୀଙ୍କ ନାଁ ଆଗରେ ରହିଛି । ସେହିଭଳି ଦଳର ଏକ ମାତ୍ର ବିଜୟୀ ମହିଳା ପ୍ରାର୍ଥୀ ସୁନ୍ଦରଗଡ଼ର କୁସୁମ ଟେଟେଙ୍କୁ ମଧ୍ୟ ପ୍ରାଧାନ୍ୟ ମିଳିପାରେ ।

ଅନୁସୂଚିତ ଜନଜାତି ପ୍ରାର୍ଥୀ ଭାବେ ଉଦଳାର ଭାସ୍କର ମଢେଇଙ୍କୁ ମଧ୍ୟ ଦଳ ପ୍ରାଧାନ୍ୟ ଦେଇପାରେ । ନୂଆ ଚେହେରା ହୋଇଥିଲେ ବି ବ୍ରହ୍ମଗିରିରୁ ଜିତିଥିବା ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ନାଁ ବି ଆଲୋଚନା ହୋଇପାରେ ।

ଗତ ବିଧାନସଭାରେ ବିଜେପିରୁ ବିଧାୟକ ଥିବା କୌଣସି ପ୍ରାର୍ଥୀ ଏଥର ନିର୍ବାଚିତ ହୋଇ ନାହାନ୍ତି । ସେପଟେ ବିଜେଡିର ୧୧୨ ସଂଖ୍ୟାକୁ ଟକ୍କର ଦେବାକୁ ଟାଣୁଆ ବିରୋଧୀ ଦଳ ନେତା ବାଛିବାର ଚ୍ୟାଲେଞ୍ଜ ରହିଛି ବିଜେପି ସାମ୍ନାରେ ।
