କିଏ ହେବେ ଗୁଜୁରାଟ ବିଜେପିର ନୂତନ ଚେହେରା ? ମୁଖ୍ୟମନ୍ତ୍ରୀ ଦୌଡରେ ଅଛନ୍ତି ଏହି ସବୁ ହେଭିଓ୍ଵେଟ୍ ନେତା

Published By : Prameya-News7 Bureau | September 11, 2021 IST

ଅହମ୍ମଦାବାଦ ୧୧।୦୯: ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଶନିବାର ଅଚାନକ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ବିଧାନସଭା ନିର୍ବାଚନର ପ୍ରାୟ ଏକ ବର୍ଷ ପୂର୍ବରୁ ବିଜେପି ରାଜ୍ୟରେ ସରକାରରେ ପରିବର୍ତ୍ତନ କରିବାକୁ ଯାଉଛି।  ବିଜେପିର ଶୀର୍ଷ ନେତାଗଣ ରୂପାନୀଙ୍କ ଉତ୍ତରାଧୀକାରୀ କିଏ ହେବ ତାକୁ ନେଇ ନିରବ ରହିଛନ୍ତି। ମାତ୍ର ରାଜନୀତି ମହଲରେ ଅନେକ ନାମକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି। କୁହାଯାଉଛି ପାଟିଦାର ସମାଜର କୌଣସି ନେତାଙ୍କୁ ଗୁଜରାଟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କରାଯାଇପାରେ। ଏଥିରେ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ନାମ ମଧ୍ୟ ସାମିଲ୍। ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମରେ ଆଜି ସନ୍ଧ୍ୟାରେ କିମ୍ବା ରବିବାର ପାର୍ଟି ବିଧାୟକ ଦଳ ବୈଠକରେ ମୋହର ବାଜିପାରେ।

ସୂତ୍ର ଅନୁଯାୟୀ, କୌଣସି ପାଟିଦାର ନେତାଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ  କରାଯାଇପାରେ। ପାର୍ଟି ପ୍ରଧାନମନ୍ତ୍ରୀଙ୍କ ଗୃହ ରାଜ୍ୟ ଗୁଜରାଟରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ଯେ କୌଣସି ପରିସ୍ଥିତିରେ ଜିତିବାକୁ ଚାହୁଁଛି। ରାଜ୍ୟରେ ରାଜନୈତିକ ଭାବେ ମଜବୁତ ପାଟିଦାର ସମାଜକୁ ପାରମ୍ପରିକ ଭାବେ ବିଜେପିର ବଡ  ଭୋଟ୍ ବ୍ୟାଙ୍କ କୁହାଯାଏ।

ରାଜନୈତିକ ମହଲରେ ମନସୁଖ ମାଣ୍ଡଭିୟଙ୍କ ବ୍ୟତୀତ ପାର୍ଟିର ରାଜ୍ୟ ସଭାପତି ସିଆର ପାଟିଲ ଏବଂ ଉପ ମୁଖ୍ୟମନ୍ତ୍ରୀ ନୀତିନ ପଟେଲ ମୁଖ୍ୟମନ୍ତ୍ରୀ ପଦ ଦୌଡରେ ଅଛନ୍ତି। ଏହା ବ୍ୟତୀତ ପୁରୁଷତ୍ତୋମ ରୂପାଲାଙ୍କ ନାମ ମଧ୍ୟ ଦୌଡରେ ରହିଛି। କିଛି ରାଜନୈତିକ ବିଶେଷଜ୍ଞଙ୍କ ଅନୁଯାୟୀ, ପ୍ରଧାନମନ୍ତ୍ରୀ କୌଣସି ଏକ ନୂତନ ଚେହେରାକୁ ଆଗକୁ ଆଣି ସମସ୍ତଙ୍କୁ ଚକିତ କରି ପାରନ୍ତି।

ବିଜୟ ରୂପାନୀଙ୍କୁ ପଦରୁ ଅବ୍ୟାହତି ଦିଆଯିବା ନେଇ ଗତ କିଛି ସମୟରୁ ଗୁଜୁରାଟ ରାଜନୀତିରେ ଶୁଣିବାକୁ ମିଳୁଥିଲା। ରୂପାନୀ ଯେବେ ଇସ୍ତଫା ଦେଲେ ତାଙ୍କ ସହ ଗୁଜରାଟର ତିନି ବଡ ପାଟିଦାର ନେତା କେନ୍ଦ୍ର ମନ୍ତ୍ରୀ ମନସୁଖ ମାଣ୍ଡଭିୟ, ପୁରୁଷତ୍ତୋମ ରୂପାଲା ଏବଂ ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ୍ ମଧ୍ୟ ଉପସ୍ଥିତ ଥିଲେ। ବିଜୟ ରୂପାଣୀଙ୍କ ଇସ୍ତଫାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଲୋକେ । ଦଳୀୟ ନେତାଙ୍କ ସହିତ ରୂପାଣୀଙ୍କ ମତଭେଦକୁ ନେଇ ତୁମ୍ବି ତୋଫାନ ଲାଗି ରହିଛି। ଗୁଜୁରାଟ ବିଜେପି ଅଧ୍ୟକ୍ଷ ସି. ଆର୍. ପାଟିଲଙ୍କ ସହ ରୂପାଣୀଙ୍କ ମତଭେଦ ଇସ୍ତଫାର ପ୍ରମୁଖ କାରଣ ହୋଇପାରେ ବୋଲି କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.