ବିଜେଡିରୁ ନୀଳଗିରି ବିଧାୟକ ସୁକାନ୍ତ ନାୟକ ଇସ୍ତଫା ଦେବା ପରେ ଦଳ ଏବେ କାହାକୁ ଦେବ ଟିକେଟ୍ ଆରମ୍ଭ ହେଲା ଚର୍ଚ୍ଚା

Published By : Prameya-News7 Bureau | March 15, 2019 IST

ନୀଳଗିରି ୧୫|୩: ବିଜେଡିରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ସୁକାନ୍ତ ନାୟକ ।  ସୁକାନ୍ତଙ୍କ ଇସ୍ତଫା ପରେ ନୀଳଗିରି ନିର୍ବାଚନ ମଣ୍ଡଳୀରେ ବିଜେଡିରୁ ଦାବିଦାରଙ୍କୁ ନେଇ ଆରମ୍ଭ ଅଙ୍କ କଷା ।

ବିଜେଡିରୁ ଇସ୍ତଫା ଦେଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ । ସେ ତାଙ୍କ ଇସ୍ତଫା ପତ୍ର ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି, ‘‘ ମୋତେ ନୀଳଗିରି ବିଧାୟକ କରିଥିବାରୁ ମୁଁ ଆପଣଙ୍କ ନିକଟରେ କୃତଜ୍ଞ । କିନ୍ତୁ ମୋ ବିରୋଧରେ ଷଡ଼ଯନ୍ତ୍ର  କରାଯାଇଛି । ଦଳର ମିଶ୍ରଣ ପର୍ବରେ ମୋତ ଅଣଦେଖା କରାଯାଇ ଯାହାଙ୍କୁ ଦଳରେ ମିଶାଯାଇଛି ସେ, ୨୦୧୪ରେ ୧୩ହଜାର ଭୋଟ୍‌ରେ ହାରିଥିଲେ ।’’

ନୀଳଗିରି ବିଜେଡିରୁ  ଆଗାମୀ ନିର୍ବାଚନ ପାଇଁ ପ୍ରମୁଖ ଦାବିଦାର ଥିବା ବିଧାୟକ ସୁକାନ୍ତ ନାୟକଙ୍କ ଇସ୍ତଫା ପରେ ଏବେ କିଏ ହେବେ ଦଳର ପ୍ରାର୍ଥୀ ତାକୁ ନେଇ ଆରମ୍ଭ ହୋଇଛି ଅଙ୍କ କଷା ।  ଏମିତିରେ ବିଜେଡିର ଯୁବନେତା ତଥା ନୀଳଗିରି ଏନଏସିର ବିଜେଡି ସଭାପତି ଚନ୍ଦନ ରାୟଙ୍କୁ ନେଇ ଜୋର୍‌ ଧରିଛି ଚର୍ଚ୍ଚା । ଚନ୍ଦନଙ୍କ ବାପା କ୍ଷିତୀଶ ରାୟ ନୀଳଗିରି ଏନଏସିରେ ପ୍ରଥମ ଚେୟାରମ୍ୟାନ୍‌ ଥିଲେ । ତାଙ୍କର ସ୍ବଚ୍ଛ ଭାବମୂର୍ତ୍ତି ଓ ଲୋକପ୍ରିୟତାକୁ ଆଧାର କରି ନୀଳଗିରି ଅଂଚଳରେ ଲୋକଙ୍କ ନିକଟତର ହୋଇପାରିଛନ୍ତି ଚନ୍ଦନ । ସେପଟେ ଗତ ୧୧ତାରିଖରେ ନୀଳଗିରିର ବିଜେପି ନେତ୍ରୀ ସୁଷମା ବିଶ୍ବାଳ ମଧ୍ୟ ବିଜେଡିରେ ଯୋଗ ଦେଇଛନ୍ତି । ଗତ ଥର ସେ ବିଜେପିରୁ ପ୍ରର୍ଥୀ ହୋଇ ୩୬ ହଜାର ଭୋଟ ପାଇଥିଲେ । ଦଳ ତାଙ୍କୁ ମଧ୍ୟ ଟିକେଟ ଦେବା କଥା ଚିନ୍ତା କରିପାରେ । ତେବେ ବିଜେପିରୁ ସଦ୍ୟ ଆସିଥିବା ନେତ୍ରୀଙ୍କୁ ଟିକେଟ ଦେଲେ ପୁରୁଣା ବିଜେଡି ନେତା ଓ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେବା କଥାକୁ ଏଡାଇ ହେବ ନାହିଁ ।  

ନୀଳଗିରିରୁ ଏଥର ପୂର୍ବତନ ବିଧାୟକ ତଥା ବିଜେପି ନେତା ପ୍ରତାପ ଷଡ଼ଙ୍ଗୀ  ପ୍ରାର୍ଥୀ ହେଉଥିବା ଚର୍ଚ୍ଚା ହେଉଥିବାରୁ ବିଜେଡି ମଧ୍ୟ  ଜଣେ  ସର୍ବ ଗ୍ରହଣୀୟ ନେତାଙ୍କୁ ମଇଦାନରେ ଉତ୍ତାରିବାର ଆବଶ୍ୟକତାକୁ ଦେଖୁଛନ୍ତି ନୀଳଗିରି ଭୋଟର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.