କରୋନା ସମୟରେ ଦେଶର କେଉଁ ଧନୀହେଲେ ମାଲାମାଲ୍, କାହାକୁ ସହିବାକୁ ପଡ଼ିଲା ଘାଟା ? ଜାଣନ୍ତୁ

Published By : Prameya-News7 Bureau | June 30, 2021 IST

ନୂଆଦିଲ୍ଲୀ ୩୦।୦୬: କରୋନା ସମୟରେ ଦେଶର ଅର୍ଥନୀତି ଦୁର୍ବଳ ହୋଇପଡ଼ିଛି। ଅଧିକାଂଶ କ୍ଷେତ୍ର ଗୁରୁତର ଭାବେ ପ୍ରଭାବିତ ହୋଇଛି। କିିଛି ଏମିତି କ୍ଷେତ୍ର ରହିଛି ଯେଉଁମାନେ ଲାଭବାନ ମଧ୍ୟ ହୋଇଛନ୍ତି। ଅନେକ ବ୍ୟବସାୟୀ ଓ ଉଦ୍ୟୋଗପତି କ୍ଷତି ସହିଛନ୍ତି। ତେବେ ଦେଶର କିଛି ପ୍ରମୁଖ ଧନୀ ବ୍ୟବସାୟୀଙ୍କ ସମ୍ପତ୍ତିରେ ଅହେତୁକ ଲାଭ ହେଉଥିବା ଦେଖିବାକୁ ମିଳିଛି।

ଚଳିତ ବର୍ଷ ପ୍ରଥମ ୬ ମାସରେ ମୁକେଶ ଅମ୍ବାନୀ ଓ ଗୌତମ ଅଡାଣୀଙ୍କ ସମେତ ୪ ଜଣ ଉଦ୍ୟୋଗପତିଙ୍କ ସମ୍ପତ୍ତିରେ ୪୪.୭୫ ଅରବ ଡଲାର ଅର୍ଥାତ ୩.୩୫ ଲକ୍ଷ କୋଟି ଟଙ୍କାର ଲାଭ ହୋଇଛି। ତେବେ ଏଥିରେ କିଛି ମାତ୍ରାରେ ଅଡାଣୀ ଗ୍ରୁପ୍‌କୁ କ୍ଷତି ସହିବାକୁ ପଡ଼ିଛି। ଅଡାଣୀ ଗତମାସରେ ବିଶ୍ୱ ଧନୀ ତାଲିକାରେ ୧୪ ନମ୍ବର ସ୍ଥାନରେ ଥିବା ବେଳେ ଏଥର ସେ ୧୯ ନମ୍ବର ସ୍ଥାନକୁ ଖସିଆସିଛନ୍ତି।

ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସର ରିପୋର୍ଟ ଅନୁଯାୟୀ, କରୋନାର ଦ୍ୱିତୀୟ ଲହରରେ ଦେଶର ଏହି ବ୍ୟବସାୟୀଙ୍କର ଜବରଦସ୍ତ ଲାଭ ହୋଇଥିଲେ ବି ଦୁଇ ଜଣଙ୍କ ସମ୍ପତ୍ତିର କ୍ଷତି ହୋଇଥିଲା। ପାଖାପାଖି ୩୦ ହଜାର କୋଟିର କ୍ଷତି ସହିଥିଲେ ଦୁଇ ବ୍ୟବସାୟୀ।

ଅଡାଣୀ ଗ୍ରୁପ୍

ଗତ ମାସରେ ଗୌତମ ଅଡାଣୀଙ୍କ ସମ୍ପତ୍ତି ୫.୪୮ ଲକ୍ଷ କୋଟିରୁ ଅଧିକ ଥିଲା। ହେଲେ ଏବେ ତାଙ୍କ ସମ୍ପତ୍ତି ହ୍ରାସ ପାଇ ୪.୫୨ ଲକ୍ଷ କୋଟି ରହିଛି। ଅଡାଣୀ ଗ୍ରୁପର ଚେୟାରମେନ୍ ଗୌତମ ଅଡାଣୀଙ୍କ ସମ୍ପତ୍ତିରେ ଚଳିତ ବର୍ଷ ୨ ଲକ୍ଷ କୋଟି ଟଙ୍କାର ଲାଭ ହୋଇ ୪.୫୨ ଲକ୍ଷ ହୋଇଛି। ସେ ବର୍ତ୍ତମାନ ବିଶ୍ୱର ଧନୀ ତାଲିକରେ ୧୯ ନମ୍ବର ସ୍ଥାନରେ ରହିଛନ୍ତି। ତେବେ ଗତ ୧୫ ଦିନରେ ତାଙ୍କ ଶେୟାର ହ୍ରାସ ପାଉଥିବାର ଦେଖାଯାଇଛି। କାରଣ ତାଙ୍କ ସମ୍ପତ୍ତିରେ ପୁଞ୍ଜିନିବେଶ କରିଥିବା ବିଦେଶୀ ବ୍ୟବସାୟୀଙ୍କ ତଥ୍ୟ ନଥିବାରୁ ତାଙ୍କୁ ଏନ୍‌ଏସ୍‌ଡିଏଲ୍‌ ଫ୍ରିଜ୍ କରିଦେଇଛି।

ମୁକେଶ ଅମ୍ବାନୀଙ୍କ ସମ୍ପିତ୍ତିରେ ୨୦ ହଜାର କୋଟି ବୃଦ୍ଧି

ଏସିଆର ନମ୍ବର ୱାନ୍ ଧନୀ ତଥା ବିଶ୍ୱର ୧୩ ନମ୍ବର ଧନୀ ମୁକେଶ ଅମ୍ପାନୀଙ୍କ ସମ୍ପତ୍ତିରେ ମଧ୍ୟ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିଛି। ତାଙ୍କ ସମ୍ପତ୍ତି ବର୍ତ୍ତମାନ ୫.୮୫ ଲକ୍ଷ କୋଟି ହୋଇଛି। ନିକଟରେ ବାର୍ଷିକ ବୈଠକରେ କମ୍ପାନୀ ଗ୍ରୀନ ଏନର୍ଜୀରେ ୭୫ ହଜାର କୋଟି ଟଙ୍କା ନିବେଶ କରିବ ବୋଲି ଘୋଷଣା କରିଛି।

ଅଜୀମ ପ୍ରେମଜୀ

ୱିପ୍ରୋର ସଂସ୍ଥାପକ ତଥା ଦେଶର ଦାନବୀର ବୋଲି କ୍ଷାତ ଅଜୀମ ପ୍ରେମଜୀଙ୍କ ସମ୍ପତ୍ତିରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳିଛି। ତାଙ୍କ ସମ୍ପତ୍ତିରେ ୭.୩୪ ଅରବ ଡଲାର ବୃଦ୍ଧି ହୋଇଛି। ତାଙ୍କର ମୋଟ ସମ୍ପତ୍ତି ୩୨.୭ ଅରବ ଡଲାର ରହିଛି। ସେହିପରି ଇନ୍‌ଫୋସିସ୍‌ ଶେୟାର ମଧ୍ୟ ୪୧ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଶିବନାଦରଙ୍କ ଆଇଟି କମ୍ପାନୀ ଏଚ୍‌ସିଏଲ୍‌ ଶେୟାର୍‌ରେ ପାଖାପାଖି ୧ ଅରବ ଡଲାର ବୃଦ୍ଧି ହୋଇଛି। ତାଙ୍କ ସମ୍ପତ୍ତି ବର୍ତ୍ତମାନ ୨୫ ଅରବ ଡଲାର ହୋଇଥିବା ବେଳେ ଏଚ୍‌ସିଏଲ୍‌ର ଟେକ୍ ଶେୟାର ଚଳିତ ବର୍ଷ ୪ ପ୍ରତିଶତ ବଢ଼ିଛି।

ମିତ୍ତଲ ଓ ଦମାନୀ ସମ୍ପତ୍ତିରେ ବୃଦ୍ଧି

ଆର୍ସଲ ମିତ୍ତଲର ଲକ୍ଷ୍ମୀ ମିତ୍ତଲ ଓ ଡୀ ମାର୍ଟର ର ଆର୍‌କେ ଦମାନୀଙ୍କ ସମ୍ପତ୍ତିରେ ୪.୧ ଓ ୨.୪୩ ଅରବ ଡଲାର ବୃଦ୍ଧି ହୋଇଛି। ଚଳିତ ବର୍ଷ ଆରମ୍ଭ ୬ ମାସରେ ମିତ୍ତଲଙ୍କ ମୋଟ ସମ୍ପତ୍ତି ୨୦.୫ ଅରବ ଡଲାର ହୋଇଥିବା ବେଳେ ଦମାନୀଙ୍କ ସମ୍ପତ୍ତି ୧୭.୪ ଅରବ ଡଲାର ହୋଇଛି। ଓପି ଜିନ୍ଦଲ ଗ୍ରୁପର ସାବିତ୍ରୀ ଜିନ୍ଦଲ, ସନଫାର୍ମାର ଦିଲ୍ଲୀପ ସିଂଘବୀ, ବରଲା ଗ୍ରୁପର କୁମାର ମଙ୍ଗଳମ ବିରଲା ଓ ୱାଡ଼ିଆ ଗ୍ରୁପ୍‌ର ନୁସ୍ଲି ୱାଡ଼ିଆଙ୍କ ସମ୍ପତ୍ତିରେ୪.୩ ଅରବ ଡଲାର ବୃଦ୍ଧି ଦେଖିବାକୁ ମିଳିଥିଲା।

ଅନ୍ୟପଟେ ସିରମ ଇନଷ୍ଟିଚ୍ୟୁଟ୍ ଅଫ୍‌ ଇଣ୍ଡିଆ ସାୟରସ ପୁନାୱାଲା ଓ ଏସିଆର ଧନୀ ବ୍ୟାଙ୍କର ଉଦୟ କୋଟକଙ୍କର ସମ୍ପତ୍ତିରେ ୨-୨ ଅରବ ଡଲାର ହ୍ରାସ ହୋଇଛି। ଦୁଇ ବ୍ୟବସାୟୀଙ୍କ ସମ୍ପତ୍ତି ୧୪.୩ ଅରବ ଡଲାର ଉପରେ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.