ବିପିନ୍‌ ରାୱତ୍‌ଙ୍କ ପରେ କିଏ ସମ୍ଭାଳିବ ସିଡିଏସ୍ ଭାର ? ଜାଣନ୍ତୁ ରେସ୍‌ରେ କେଉଁ ଦୁଇ ଅଧିକାରୀ

Published By : Prameya-News7 Bureau | December 09, 2021 IST

ନୂଆଦିଲ୍ଲୀ, ୦୯।୧୨ :ଦେଶର ପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ବା ସିଡିଏସ୍‌ ବିପିନ୍‌ ରାୱତଙ୍କ ମୃତ୍ୟୁକୁ ନେଇ ସାରା ଦେଶ ସ୍ତବ୍ଧ ହୋଇଯାଇଛି । ଶୁକ୍ରବାର ଶ୍ରୀ ରାୱତ୍‌ଙ୍କର ଅନ୍ତିମ ସଂସ୍କାର କରାଯିବ । ଏହା ଭିତରେ ନୂଆ ସିଡିଏସ୍‌ଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କୁହାଯାଉଛି ଯେ, କେନ୍ଦ୍ର ସରକାର ଖୁବ୍‌ଶୀଘ୍ର ନୂତନ ସିଡିଏସ୍‌ଙ୍କ ନାମ ଘୋଷଣା କରିପାରନ୍ତି । ଏକ ଜାତୀୟ ଗଣମାଧ୍ୟମର ସୂତ୍ର ଅନୁସାରେ, ଆଗାମୀ ୭ରୁ ୧୦ ଦିନ ମଧ୍ୟରେ ସିଡିଏସ୍‌ ଚୟନ କରାଯାଇପାରେ । ନିୟମ ଅନୁସାରେ, କୌଣସି ବି କମାଣ୍ଡିଂ ବା ଫ୍ଲାଇଂ ଅଫିସର ଏହି ପଦ ପାଇଁ ଯୋଗ୍ୟ ହୋଇପାରିବେ ।

ସିଡିଏସ୍‌ ପଦ ପାଇଁ ବୟସସୀମା ୬୫ ବର୍ଷ ରହିଛି । ପ୍ରଧାନମନ୍ତ୍ରୀ ମୋଦି ୨୦୧୯ ସ୍ୱତନ୍ତ୍ରତା ଦିବସ ଭାଷଣରେ ଜଣେ ସିଡିଏସ୍‌ଙ୍କୁ ନିଯୁକ୍ତ କରିବାକୁ ଘୋଷଣା କରିଥିଲେ । ସିଡିଏସ୍‌ଙ୍କ ହାତରେ ତିନି ସେନାର କମାଣ୍ଡ ରହିଥାଏ । ତେବେ ପ୍ରତିରକ୍ଷା ବିଭାଗର ଏହି ସର୍ବୋଚ୍ଚ ପଦ ବା ଦ୍ୱିତୀୟ ସିଡିଏସ୍‌ ଭାର ଏବେ କାହାକୁ ଦିଆଯିବ ସେନେଇ ଚର୍ଚ୍ଚା ହେଉଥିବା ବେଳେ ଦୁଇ ସେନାର ଅଧିକାରୀଙ୍କ ନାମ ଏବେ ରେସ୍‌ର ଆଗରେ ରହଛି ।

ସ୍ଥଳ ସେନା ମୁଖ୍ୟ ଜେନେରାଲ୍‌ ମନୋଜ ମୁକୁନ୍ଦ ନରୱାଣେ ସିଡିଏସ୍‌ ରେସ୍‌ର ଆଗରେ ରହିଛନ୍ତି । ସେ ନୌସେନା ଏବଂ ବାୟୁସେନାର ସମକକ୍ଷ ଅଧିକାରୀଙ୍କ ଠାରୁ ବରିଷ୍ଠ ରହିଛନ୍ତି । ୩୧ ଡିସେମ୍ୱର, ୨୦୧୯ରୁ ୨୭ ତମ ସେନା ଅଧ୍ୟକ୍ଷ ପଦ ସମ୍ଭାଳୁଥିବା ନରୱାଣେ ପୂର୍ବରୁ ସେନାର ଉପପ୍ରମୁଖ ଭାବେ କାର୍ଯ୍ୟ କରିଥିଲେ । ୪ ଦଶକରୁ ଅଧିକ ସମୟସେ ସେନାରେ କାର୍ଯ୍ୟ ସମ୍ପାଦନ କଲେଣି । ଜାମ୍ମୁ କାଶ୍ମୀର ଏବଂ ଚୀନ୍ ସୀମା ଭଳି ବିଭିନ୍ନ ରକ୍ଷଣଶୀଳ ସ୍ଥାନରେ ତାଙ୍କର କାର୍ଯ୍ୟ ଦକ୍ଷତା ରହିଛି । ସେ ରାଷ୍ଟ୍ରୀୟ ଏକାଡେମୀ ଏବଂ ଭାରତୀୟ ସୈନ୍ୟ ଏକାଡେମରୁ ଶିକ୍ଷା ଗ୍ରହଣ କରିବା ପରେ ସେନାରେ ଯୋଗ ଦେଇଥିଲେ । ଏହାରି ଭିତରେ ସିଡିଏସ୍‌ ପଦ ପାଇଁ ଏୟାର ଚିଫ୍‌ ମାର୍ଶାଲ୍‌ ଆର୍‌କେଏସ୍‌ ଭଦୋରିଆଙ୍କ ନାମ ମଧ୍ୟ ରେସ୍‌ରେ ରହିଛି । ଭଦୋରିଆ ଜୁନ୍‌ ୧୯୮୦ ମସିହାରେ ଏଆଇଏଫ୍‌ ଷ୍ଟ୍ରୀମ୍‌ରେ ସାମିଲ୍‌ ହୋଇଥିଲେ । ୪୨ ବର୍ଷ ସେବା କରିବା ପରେ ସେ ଅବସର ନେଇଥିଲେ । ତାଙ୍କ ସମୟରେ ସେ ଦୁଇ ପର୍ଯ୍ୟାୟରେ ଫାଇଟର୍‌ ଏୟାରକ୍ରାଫ୍ଟ କିଣିବା ଡିଲ୍‌ରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଯେଉଁଥିରେ ୩୬ଟି ରାଫେଲ୍‌ ଏବଂ ୮୩ ମାର୍କ ୧ଏ ବିଦେଶୀ ତଜସ୍‌ ଜେଟ୍‌ ସାମିଲ୍‌ । ଭଦୋରିଆ ୪,୨୫୦ ଘଣ୍ଟାରୁ ଅଧିକ ଉଡ଼ାଣ ଭରିଛନ୍ତି । ତାଙ୍କ ନିକଟରେ ୨୬ଟି ବିଭିନ୍ନ ପ୍ରକାରର ଲଢ଼ୁଆ ଜେଟ୍‌ ଉଡ଼ାଇବାର ଅଭିଜ୍ଞତା ରହିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.