କିଏ ସେ ସେହି ସର୍ବେଶ୍ୱର ? ପାଠକ୍-ପ୍ରଦୀପ୍ ନେଟ୍ୱାର୍କରେ କ’ଣ ଭୂମିକା ତାଙ୍କର ? କେବେ ଖୋଲିବ ଗୁମର…
9/12/2020 at 6:26 PM

ଗଞ୍ଜାମ ୦୯/୧୨ : ଫେକ୍ ନିଯୁକ୍ତିର ଜାଲ ବିଛାଇଥିବା ଆକାଶ ପାଠକଙ୍କ ପାଖକୁ ଚାକିରି ଆଶାୟୀଙ୍କ ତାଲିକା ପଠାଉଥିବା ସର୍ବେଶ୍ବର ରାଓ କିଏ ? ତା’ର ଗୁମର ଏବେ ଖୋଲିବାରେ ଲାଗିଛି । ଆକାଶ ପାଠକଙ୍କ ପିଏ ଡେଭିଡ୍ ପିଟର ଯେଉଁ ସର୍ବେଶ୍ବର ରାଓଙ୍କ ନାଁ କହିଛନ୍ତି ସେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବ୍ୟକ୍ତିଗତ ସଚିବ ବୋଲି ଚର୍ଚ୍ଚା ହେଉଛି । ତେବେ କିଏ ଏହି ସର୍ବେଶ୍ବର ରାଓ, ତାଙ୍କର ବାୟୋଡାଟା ଉପରେ ଆସନ୍ତୁ ନଜର ପକାଇବା ।
ଗଞ୍ଜାମ ଜିଲ୍ଲାରେ ଫେକ୍ ନଯୁକ୍ତିର ଜାଲ ବିଛାଇଥିଲେ ଆକାଶ ପାଠକ । ଟାଟା ସମେତ ବିଭିନ୍ନ ନାମୀ କମ୍ପାନୀରେ ଚାକିରି ଦେବାକୁ କହି ଚାକିରି ଆଶାୟୀଙ୍କ ଠାରୁ ଠକି ନେଉଥିଲେ ଲକ୍ଷ ଲକ୍ଷ ଟଙ୍କା । ଆଉ ଏହି କାରବାରରେ ଆକାଶଙ୍କ ଏଜେଣ୍ଟ ସାଜିଥିଲେ ତାଙ୍କର ଭାବି ଶ୍ବଶୂର ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ତେବେ ଆକାଶଙ୍କ ପର୍ସନାଲ ସେକ୍ରେଟାରି ଡେଭିଡ୍ ପିଟରଙ୍କ ସୂଚନା ଅନୁସାରେ ବ୍ରହ୍ମପୁରର ସର୍ବେଶ୍ବର ରାଓ ଆକାଶଙ୍କ ପାଖକୁ ହ୍ବାଟସ୍ ଆପ୍ ଏବଂ ଇମେରେ ଚାକିରି ଆଶାୟୀଙ୍କ ତାଲିକା ପଠାଉଥିଲେ । ଇଏ ସେଇ ସର୍ବେଶ୍ବର ନୁହନ୍ତି ତ ଯିଏ ପ୍ରଦୀପ ପାଣିଗ୍ରାହୀଙ୍କ ବ୍ୟକ୍ତିଗତ ସଚିବ ଭାବେ କାମ କରୁଥିଲେ ? ସର୍ବେଶ୍ବର ବିଧାୟକଙ୍କ ଅତ୍ୟନ୍ତ ଘନିଷ୍ଠ ହୋଇଥିବାରୁ ତାଙ୍କ ମାଧ୍ୟମରେ ଆକାଶଙ୍କ ପାଖକୁ ଚାକିରି ଆଶାୟୀଙ୍କ ତାଲିକା ପଠାଉଥିଲେ କି ପ୍ରଦୀପ ପାଣିଗ୍ରାହୀ ? ଆକାଶ, ସର୍ବେଶ୍ବର ଓ ପ୍ରଦୀପଙ୍କ ସିଣ୍ଡିକେଟ୍ରେ ଚାଲିଥିଲା କି ଠକେଇର ପୂରା ନେଟଓ୍ବର୍କ ? ଏବେ ସୁଦ୍ଧା ତଦନ୍ତକାରୀ ଅଧିକାରୀଙ୍କ ପଞ୍ଝାକୁ ଆସିନଥିବା ସର୍ବେଶ୍ବରଙ୍କୁ ତୁରନ୍ତ ତଦନ୍ତ ପରିସରଭୁକ୍ତ କରିବାକୁ ସାଧାରଣରେ ଦାବି ହୋଇଛି ।
ଚର୍ଚ୍ଚାର ପରିସରକୁ ଆସିଥିବା ଇଏ ସେଇ ସର୍ବେଶ୍ବର କି, ଯିଏ ଦିଗପହଣ୍ଡି କଲେଜର ଅଧ୍ୟାପକ ଥିଲେ ? ପରବର୍ତ୍ତୀ ସମୟରେ ଯାହାଙ୍କୁ ବଦଳି କରାଯିବା ସହ ସିଟି କଲେଜ ଅଧ୍ୟକ୍ଷ କରାଯାଇଥିଲା ? କୁହାଯାଉଛି ପ୍ରଦୀପ ପାଣିଗ୍ରାହୀ ସିଟି କଲେଜ କମିଟିର ସଭାପତି ଥିବା ବେଳେ ସର୍ବେଶ୍ବରଙ୍କୁ କଲେଜର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା । ଦୁହିଁଙ୍କ ଭିତରେ ଘନିଷ୍ଠତା ଥିବା ମଧ୍ୟ ଚର୍ଚ୍ଚା ହେଉଛି । ଏମିତିକି ଚାକିରିରୁ ଅବସର ନେବା ପରେ ପ୍ରଦୀପ ପାଣିଗ୍ରାହୀଙ୍କ ବ୍ୟକ୍ତିଗତ ସଚିବ ଭାବେ ସର୍ବେଶ୍ବର ରାଓ କାମ କରୁଥିବା କୁହାଯାଉଛି ।
ସର୍ବେଶ୍ବର ରାଓଙ୍କୁ ତଦନ୍ତ ପରିସରଭୁକ୍ତ କରାଗଲେ ପ୍ରଦୀପ-ଆକାଶଙ୍କ କଳାକାରନାମାର ଆହୁରି ଅନେକ ଗୁମର ଖୋଲିବ ।