ଦାୟୀ କିଏ ? ରାସ୍ତା ଖରାପ ଲାଗି ଆସିପାରିଲାନି ଆମ୍ବୁଲାନ୍ସ, ୨ କିମି ଝିଅକୁ କାଖେଇ ମେଡିକାଲ ଗଲେ ବାପ-ମାଆ, ହେଲେ...

Published By : Prameya-News7 Bureau | October 12, 2021 IST

ସମ୍ବଲପୁର ୧୨।୧୦: ସାଙ୍ଗମାନଙ୍କ ସହ ଖେଳୁଥିବା ବେଳେ , ଅସାବଧାନତା ଯୋଗୁଁ ୫ ବର୍ଷର କୁନି ଝିଅ କୁଅରେ ପଡ଼ିଗଲା । ବହୁ ଖୋଜାଖୋଜି ପରେ କୂଅରୁ ଉଦ୍ଧାର କରି ମେଡିକାଲ ନେବା ପାଇଁ ଆମ୍ବୁଲାନ୍ସ ଡକାଇଲେ , ହେଲେ ଗାଁକୁ ଯିବା ବାଟରେ ଏକ ନାଳ ପଡ଼ିଲା । ଆମ୍ବୁଲାନ୍ସ ଗାଁକୁ ଯାଇ ପାରିଲାନି, ଶେଷରେ ହତଭାଗା ବାପା ଝିଅକୁ ବଞ୍ଚାଇବା ପାଇଁ , ଝିଅକୁ କାନ୍ଧେଇ ଦୁଇ କିମି ରାସ୍ତା ଚାଲି, ନାଳ ପାର‌ ହୋଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଲା , ଶେଷରେ ଡାକ୍ତର ଝିଅକୁ ମୃତ ଘୋଷଣା କରିଛନ୍ତି । ରେଢ଼ାଖୋଲ ଥାନା ଘୁଷୁରାମାଲ ପଞ୍ଚାୟତ କମଳାନାଳି ଗାଁର ଘଟିଛି ଏହି ଅଭାବନୀୟ ଘଟଣା ।

ଖବର ଅନୁଯାୟୀ, କମଳାନାଳି ଗାଁର  ଅର୍ଜୁନ ଦେହୁରୀ ଓ ବାସନ୍ତୀ ଦେହୁରୀଙ୍କ ୫ ବର୍ଷୀୟ ଝିଅ ମିତା ଦେହୁରୀ  । ସୋମବାର ସଂଧ୍ୟା ସମୟରେ ଗାଁ ଦାଣ୍ଡରେ ସାଙ୍ଗ- ସାଥୀଙ୍କ ସହ ଖେଳୁଥିଲେ । ହଠାତ୍ ଅସାବଧାନତା ହେତୁ ପାଖରେ ଥିବା କୂଅରେ ପଡ଼ିଯାଇଥିଲ । କିଛି ସମୟ ପରେ ଝିଅକୁ ନପାଇ ଖୋଜାଖୋଜି କରିଥିଲେ । ପରିବାର ଲୋକେ ସନ୍ଦେହ କରି ନିକଟରେ ଥିବା କୁଅରେ ଖୋଜିଥିଲେ । ଶେଷରେ ଝିଅକୁ କୂଅରୁ ଉଦ୍ଧାର କରି, ରେଢ଼ାଖୋଲ ମେଡିକାଲକୁ ନେବାପାଇଁ ଆମ୍ବୁଲାନ୍ସ ଡକାଇଲେ । ଆମ୍ବୁଲାନ୍ସ ଆସିଲା ହେଲେ କମଳାନାଳି ଗାଁକୁ ନାଳ ରାସ୍ତା ଥିବାରୁ ଯାଇ ପାରିଲାନି ଗାଡ଼ି  । ଝିଅର ଜୀବନ ବଞ୍ଚାଇବା ପାଇଁ ବାପା ମା ଦୁହେଁ କାଖେଇ ୨କିମି ରାସ୍ତା ଚାଲି, ନାଳ ପାଣିରେ ଚାଲି ବୋହି ନେଇଥିଲେ  । ଯାହା ଏକ ହୃଦୟ ବିଦାରକ ଦୃଶ୍ୟ ଥିଲା ।

ତେବେ ଝିଅକୁ ନେଇ ରେଢ଼ାଖୋଲ ମେଡିକାଲରେ ପହଞ୍ଚିଥିଲେ ବାପ-ମା । ହେଲେ ସେଠାରେ ଡାକ୍ତର ଝିଅକୁ ମୃତ୍ୟୁ ଘୋଷଣା କରିଦେଲେ । ଏହାଶୁଣି ବାପ-ମାଆଙ୍କ ପାଦ ତଳୁ ମାଟି ଖସିଗଲା । ପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ଏଠି ପ୍ରଶ୍ନ ଆଜି ପର୍ଯ୍ୟନ୍ତ ଏହି ଗାଁକୁ ଯିବାକୁ ରାସ୍ତା ନାହିଁ । ନାଳରେ ପୋଲକାମ ସରିନି। ଆଜି ଯଦି ରାସ୍ତା- ପୋଲଟିଏ ଥିଲେ ହୁଏତ କୁନି ଝିଅର ଜୀବନ ବଞ୍ଚି ଯାଇଥାନ୍ତା । ତାର ଜୀବନ ବଞ୍ଚାଇବା ପାଇଁ ବହୁତ କଷ୍ଟ କରିଥିଲି,  ହେଲେ କିଛି କରିପାରିଲିନି ବୋଲି ମୃତ ଝିଅର ବାପା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.