ପୁରୀ ଘଟଣା ପାଇଁ ଦାୟୀ କିଏ? ତେଜିଲା ରାଜନୀତି
3/10/2018 at 5:16 PM

ଭୁବନେଶ୍ବର୩|୧୦: ତେବେ ଶ୍ରୀକ୍ଷେତ୍ରରେ ଆଜି ଯାହା ଘଟିଲା ସେଥିପାଇଁ କାହାକୁ ଦାୟୀ କରାଯିବ। ଆନ୍ଦୋଳନ କରିବାକୁ ଆସିଥିବା ଲୋକେ । ନା ଏଭଳି ଏକ ପରିସ୍ଥିତି ଉପୁଜିବାକୁ ଯାଉଥିବା ନେଇ ଅଜଣା ରହିବା ପୋଲିସ। ନା ରାତାରାତି ପରିବର୍ତ୍ତନ ଆଣିବାକୁ ଚାହୁଁଥିବା ପ୍ରଶାସନ। ଏନେଇ ଆରମ୍ଭ ହୋଇଛି ବିଶ୍ଳେଷଣ। ….
ଏମିତି କେବେ ଦେଖାଦେଇନଥିଲା । ଜଳିଲା ବଡ଼ଦାଣ୍ଡ। ସିଂହଦ୍ବାରରେ ଚାଲିଲା ଧସ୍ତାଧସ୍ତି। ଦୋକାନବଜାର ପ୍ରଶାସନ କାର୍ଯ୍ୟାଳୟରେ ଚାଲିଲା ଭଙ୍ଗାରୁଜା। ତେବେ ଏମିତି ପରିସ୍ଥିତିକୁ କେମିତି ଆକଳନ କରିପାରିଲାନି ପୋଲିସ। କଣ ଗୁଇନ୍ଦା ସୂଚନା ପାଇପାରିଲାନି ପୋଲିସ। କଣ ପରିସ୍ଥିତି ନେଇ ନଜର ଆନ୍ଦାଜ କଲା ପୋଲିସ। କଣ ପ୍ରଶାସନ ଭୃକ୍ଷେପ କଲାନି। ପୂରା ଘଟଣାକ୍ରମକୁ ଦେଖିଲେ ଏମିତି କିଛି ପ୍ରଶ୍ନ ସାମ୍ନାକୁ ଆସୁଛି।
ପୁରୀ ବନ୍ଦ ଡାକରା ଦେଇଥିଲେ କିଛି ସଂଗଠନ। ରାଜନୈତିକ ଦଳଗୁଡ଼ିକ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ଧାଡ଼ି ଦର୍ଶନ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ରହିଥିଲା। ତା ଛଡ଼ା ନିକଟରେ ମଧ୍ୟ ପୋଲିସ ଓ ସ୍ଥାନୀୟ ଲୋକେ ଧସ୍ତାଧସ୍ତି ମୁହାଁମୁହିଁ ହୋଇଥିଲେ। ଏଭଳି ପରିସ୍ଥିତିରେ ଆଜି ସକାଳୁ ସ୍ଥିତିକୁ ନିୟନ୍ତ୍ରଣରେ ରଖିବା ବଦଳରେ ପୋଲିସ ଯେମିତି ଲାଠିରେ ନିୟନ୍ତ୍ରଣ କରିବା ମୁଡରେ ରହିଥିଲା।
ଯେତେବେଳେ ସବୁକିଛି ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି, ସେତିକିବେଳେ ବଡ଼ଦାଣ୍ଡରେ ପୋଲିସ ଫ୍ଲାଗ ମାର୍ଚ୍ଚ କରିଥିଲା। ତଥାପି ପୁରୀର ବିଭିନ୍ନ ଗଳିରୁ ଆରମ୍ଭ ହୋଇଥିଲା ଟେକାପଥର ମାଡ଼। ଏହି ସମୟରେ ଶାନ୍ତି ବଜାୟ ରଖିବା ଲାଗି ଆହ୍ବାନ ଦେଇଥିଲେ କେନ୍ଦ୍ରାଞ୍ଚଳ ଆଇଜି। ଆଉ ଏତିକିବେଳେ ପୁରୀ ଏସପି କିନ୍ତୁ ଲୁହା ଶାବଳ ଭଳିଆ ଅଡ଼ି ରହିଥିଲେ।
ପୁରୀକୁ ନେଇ ସାରା ବିଶ୍ବରେ ଓଡ଼ିଶାର ପରିଚୟ। ଆଉ ଆଜି ଯାହା ଯାହା ପୁରୀରେ ଘଟୁଥିଲା ତାହାର ପ୍ରଭାବ ମଧ୍ୟ ଭୁବନେଶ୍ବରରେ ଦେଖିବାକୁ ମିଳିଥିଲା। ବିରୋଧୀ ଏଥିପାଇଁ ସରକାରଙ୍କୁ ପ୍ରଶାସନକୁ ଦାୟୀ କରିଥିବା ବେଳେ ସ୍ଥିତି ଉପରେ ନଜର ରଖିଥିବା କହିଖିଲା ସରକାରୀ ଦଳ।
ଅପରିଣାମ ଦର୍ଶିତା। ପରିସ୍ଥିତିକୁ ହେୟ ଜ୍ଞାନ କରିବା, ଯୋଗୁଁ ପ୍ରଶାସନ ଓ ପେଲିସ ନିୟନ୍ତ୍ରଣ ବାହାରକୁ ସ୍ଥିତି ଚାଲିଲା, ତେବେ ପୂରା ନିୟମର ସମୀକ୍ଷା କରାଯିବ ବୋଲି ପ୍ରଶାସନ କହିବା ପରେ ସ୍ଥିତି ଧିରେ ଧିରେ ସ୍ବାଭାବିକ ହୋଇଥିଲା।