Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ଖବର ପ୍ରସାରଣ ପାଇଁ ଯାଇ ଖବର ହୋଇଗଲେ ଅରିନ୍ଦମ ଦାସ : ଦୁଃଖ ଦାୟକ ତଥାପି ଉଠୁଛି ପ୍ରଶ୍ନ, ଭୁଲ କାହାର? ଦାୟୀ କିଏ?

24/09/2021 at 4:50 PM

ଭୁବନେଶ୍ବର ୨୪/୦୯ : ସାମ୍ବାଦିକ ! ଜଣେ ସମ୍ବାଦଦାତା ଜୀବନକୁ ବାଜିଲଗାଇ ଯେକୌଣସି ପରିସ୍ଥିତିରେ ମଧ୍ୟ ଆଗକୁ ଆସି ଖବର ସଂଗ୍ରହ କରିଥାନ୍ତି । ପ୍ରାକୃତିକ ଦୁର୍ବିପାକ ହେଉ କିମ୍ବା ରାଜନୈତିକ କାର୍ଯ୍ୟକ୍ରମ ସାମ୍ବାଦିକମାନେ ଖବର ସଂଗ୍ରହ ପାଇଁ ସର୍ବଦା ତତ୍ପର ରହିଥାନ୍ତି । କିନ୍ତୁ ଜଣେ ସାମ୍ବାଦିକ ଯେତେବେ​‌ଳେ ସମ୍ବାଦ ପାଲଟିଯାଏ ସେତେବେଳେ ସାମ୍ବାଦିକ ଜଗତ ସ୍ତବ୍ଧ ହୋଇଯାଏ । ଘଟଣା ହେଉ କିମ୍ବା ଦୁର୍ଘଟଣା ସବୁବେଳେ ଖବର ସଂଗ୍ରହ କରୁଥିବା ସାମ୍ବାଦିକଟିଏ ଖରା, ବର୍ଷାକୁ ଖାତିର ନକରି ଖବର ଉପରେ ହିଁ ନଜର ରଖିଥାଏ । ଅନେକ ବିପଦପୂର୍ଣ୍ଣ ସ୍ଥାନ ଏପରିକି ଯୁଦ୍ଧକ୍ଷେତ୍ରରେ ମଧ୍ୟ ସାମ୍ବାଦିକମାନଙ୍କୁ ଦେଖିବାକୁ ମିଳିଥାଏ । ସାହସିକତା ଠିକ୍‌ କିନ୍ତୁ ଦୁଃସାହସିକତା ପ୍ରଦର୍ଶନ କରିବା ଦୁର୍ଭାଗ୍ୟଜନକ ।

ଅରିନ୍ଦମ ଦାସ । ଓଡିଶା ଗଣମାଧ୍ୟମ ଜଗତର ଜଣେ ଜଣାଶୁଣା ସାମ୍ବାଦିକ । ବିଶେଷ କରି ପ୍ରାକୃତିକ ଦୁର୍ବିପାକ ସମୟରେ ଖବର ସଂଗ୍ରହ ପାଇଁ ସବୁବେଳେ ବ୍ୟଗ୍ର ରହିଥାନ୍ତି ସେ । ଖବର ବିଷୟରେ ଜାଣିବା ଏବଂ ଖବର ପଛରେ ରହିଥିବା ଖବରକୁ ଲୋକଲୋଚନକୁ ଆଣିବାରେ ସବୁବେଳେ ତତ୍ପରତା ଦେଖାଉଥିଲେ ଅରିନ୍ଦମ । କିନ୍ତୁ ଆଜି ସେ ନିଜେ ଖବର ପାଲଟିଯାଇଛନ୍ତି ।    

ଖବର ଦେବାକୁ ଯାଇ ନିଜେ ଦୁଃଖଦ ଖବର ହୋଇଗଲେ । କଟକ ନରାଜର ମୁଣ୍ଡଳୀ ନିକଟରେ ପାଣିରେ ଫସି ରହିଥିବା ହାତୀକୁ ଉଦ୍ଧାର ଖବର ଦେବାକୁ ଯାଇଥିଲେ କିନ୍ତୁ ବୋଟ୍‌ ଓଲଟିଯିବାରୁ ଓଡ୍ରାଫ୍‌ ଟିମ ସହିତ ପାଣିରେ ବୁଡି ଯାଇଥିଲେ ଅରିନ୍ଦମ । କିଛି ସମୟ ପରେ ପାଣିରେ ଭାସୁଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଏସ୍‌ସିବି ମେଟିକାଲ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଓଟିଭିର ମୁଖ୍ୟ ରିପୋର୍ଟର ଅରିନ୍ଦମ୍ ଦାସଙ୍କ ଘଟିଛି ଅକାଳ ବିୟୋଗ । ଶୁକ୍ରବାର ଦିନ ମୁଣ୍ଡଳୀରେ ଏକ ଓଡ୍ରାଫ୍ ବୋଟ୍ ଦୁର୍ଘଟଣାରେ ଅରିନ୍ଦମ୍ ପ୍ରାଣ ହରାଇଛନ୍ତି । ଅରିନ୍ଦମ୍‌ଙ୍କ ମୃତ୍ୟୁ ନେଇ କଟକ ବଡ ଡାକ୍ତରଖାନାର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ଏ ନେଇ ସୂଚନା ଦେଇଛନ୍ତି ।

ଦାୟୀ ରହିବ ଓଡ୍ରାଫ୍‌ !

ତେବେ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ଦୁଃଖଦ ନିଶ୍ଚୟ କିନ୍ତୁ ଏଥି ପାଇଁ ଦାୟୀ କିଏ? ଦୁଃସାହସିକ ରିପୋର୍ଟିଂ, TRP ନିଶା ନା ସାଙ୍ଗରେ ନେଇଥିବା ଓଡ୍ରାଫ୍‌ ଟିମ କର୍ମଚାରୀ? ଅରିନ୍ଦମ ଏବଂ ତାଙ୍କ କ୍ୟାମେରା ମ୍ୟାନ୍‌ ନିଜ ଇଚ୍ଛାରେ ଯାଇଥିଲେ ନା ସେମାନଙ୍କୁ ଓଡ୍ରାଫ୍‌ ଟିମ୍‌ ସଦସ୍ୟ ଡାକିକି ନେଇଥିଲେ ନା ଅରିନ୍ଦମ ଓଡ୍ରାଫ୍ ଟିମ ସଦସ୍ୟକୁ କହି ଖବର ସଂଗ୍ରହ ପାଇଁ ଯାଇଥିଲେ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଓଡ୍ରାଫ୍ ଟିମ୍ ସହ ଗଣମାଧ୍ୟମର ଦୁଇ ଜଣ ପ୍ରତିନିଧି ଯିବା ପାଇଁ କିଏ ଅନୁମତି ଦେଇଥିଲା ? କାହା ନିର୍ଦ୍ଦେଶରେ ଓଡ୍ରାଫ୍ ଟିମ୍ କର୍ମଚାରୀ ଦୁଇ ଗଣମାଧ୍ୟମ ପ୍ରତିନିଧିଙ୍କ ଜୀବନ ବାଜି ଲଗାଇ ପାଣି ଭିତରକୁ ନେଇଯାଇଥିଲେ ? ଉଦ୍ଧାରକାରୀ ଟିମ୍‌ରେ କେଉଁ ଅଧିକାରୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ସାମିଲ କରିଥିଲେ ? ଓଡ୍ରାଫ୍ ଅଧିକାରୀଙ୍କ ବିରୋଧରେ ହେବ କି କାର୍ଯ୍ୟାନୁଷ୍ଠାନ ? ଏ ତମାମ୍‌ ପ୍ରଶ୍ନ ଏବେ ସାମ୍ନାକୁ ଆସିବାରେ ଲାଗିଛି । ପାଣିର ପ୍ରଖର ସୁଅରେ ଓଡ୍ରାଫ୍‌ ଟିମ ସଦସ୍ୟ ତାଙ୍କୁ କାହିଁକି ଭିତରକୁ ନେଇଥିଲେ ତାହା ସବୁଠାରୁ ବଡ ପ୍ରଶ୍ନବାଚୀ ଛିଡା କରିଛି । ଘଟଣାକୁ ନେଇ ତଦନ୍ତ ପ୍ରକ୍ରିୟା ଆଗକୁ କଣ ରହିବ ତାହା ତ ଭିନ୍ନ କଥା କିନ୍ତୁ ସେମାନଙ୍କୁ ଓଡ୍ରାଫ୍‌ ଟିମ ସଦସ୍ୟ ଭିତରକୁ କାହିଁକି ନେଇକି ଯାଇଥିଲେ ତାହା ଏବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ । କାରଣ ଓଡ୍ରାଫ୍‌ ଟିମ ସଦସ୍ୟ ପ୍ରାକୃତିକ ଦୁର୍ବିପାକ ସମୟରେ କିଭଳି ମୁକାବିଲା କରିବାକୁ ହେବ ସେଥିପାଇଁ ସ୍ବତନ୍ତ୍ର ପ୍ରଶିକ୍ଷଣ ନେଇଛନ୍ତି । କିନ୍ତୁ ଓଟିଭି ରିପୋର୍ଟର ଅରିନ୍ଦମ ଦାସ ଏବଂ ତାଙ୍କ କ୍ୟାମେରାମ୍ୟାନ୍‌ ପ୍ରଭାତ ସିହ୍ନା ଦୁଃସାହସ ପ୍ରଦର୍ଶନ କରି ପାଣି ଭିତରକୁ ଯାଇଥିଲେ । ପାଣିର ପ୍ରଖର ସ୍ରୋତରେ ବୋଟ୍‌ଟି ବୁଡିଯିବାରୁ ସମସ୍ତେ ବୁଡିଯାଇଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ଦୀର୍ଘଘଣ୍ଟା ଧରି ମୁଣ୍ଡଳୀ ନିକଟରେ ମହାନଦୀ ପାଣିରେ ଫସି ରହିଥିବା ଦନ୍ତା ହାତୀକୁ ଉଦ୍ଧାର କରିବାକୁ ଓଡ୍ରାଫ୍ ଟିମ୍ ଘଟଣାସ୍ଥଳକୁ ଯାଇଥିଲେ । ଅକ୍ଳାନ୍ତ ପରିଶ୍ରମ କରି ଓଡ୍ରାଫ୍ ଟିମ୍‌ର ବୋଟ୍‌ରେ ୫ଜଣ ଓଡ୍ରାଫ୍ କର୍ମଚାରୀଙ୍କ ସହ ଓଟିଭିର ରିପୋର୍ଟର ଅରିନ୍ଦମ୍ ଦାସ୍ ଏବଂ କ୍ୟାମେରା ପର୍ସନ ପ୍ରଭାତ ସିହ୍ନା ମଧ୍ୟ ରହିଥିଲେ । ଗଜରାଜକୁ ଉଦ୍ଧାର କରିବାକୁ ନିକଟକୁ ଯିବାବେଳେ ନଦୀର ପ୍ରଖର ସ୍ରୋତରେ ବୋଟ୍‌ଟି ଭାରସାମ୍ୟ ହରାଇ ଓଲଟିପଡିଥିଲା । ଫଳରେ ବୋଟ୍‌ରେ ଥିବା ୭ ଜଣ ଯାକ ନଦୀ ପାଣିରେ ବୁଡିଯାଇଥିଲେ । ବ୍ରିଜ୍ ଉପରେ ଥିବା ଅନ୍ୟ ଓଡ୍ରାଫ୍ କର୍ମଚାରୀ ବୁଡିଯାଇଥିବା ୩ ଜଣ ଓଡ୍ରାଫ୍ କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ । ଓଟିଭିର କ୍ୟାମେରା ପର୍ସନଙ୍କୁ ମଧ୍ୟ ଓଡ୍ରାଫ୍ ଟିମ୍ ଉଦ୍ଧାର କରିଥିଲେ । ତେବେ ଓଟିଭିର ରିପୋର୍ଟର ଅରିନ୍ଦମ୍ ଦାସ ଭାସିଯାଇଥିଲେ । କିଛି ଦୂରରେ ନଦୀ ପାଣିରେ ଭାସୁଥିବା ବେଳେ ଏକ ମାଛଧରା ଡଙ୍ଗା ତାଙ୍କ ନିକଟକୁ ଯାଇ ତାଙ୍କୁ ଉଦ୍ଧାର କରିଥିଲା । ସମସ୍ତଙ୍କୁ ଉଦ୍ଧାର କରାଯାଇ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଓଟିଭି ରିପୋର୍ଟର ଅରିନ୍ଦମ୍ ଦାସଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଉଦ୍ଧାର ହୋଇଥିବା ଅନ୍ୟ ୪ଜଣ କର୍ମଚାରୀ ଏବେ ଚିକିତ୍ସାଧିନ ଅଛନ୍ତି । ଏବେବି ଓଡ୍ରାଫ୍ ଟିମ୍‌ର ଅନ୍ୟ ଜଣେ କର୍ମଚାରୀ ନିଖୋଜ ଅଛନ୍ତି ।

   Related Posts