ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ସୁରକ୍ଷା ଦେଉଛି କିଏ ? କୁଆଡେ ଗଲା ସରକାରଙ୍କ ୫ଟି ଯୋଜନା, ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ ବିରୋଧୀ ଦଳ ନେତା

Published By : Prameya-News7 Bureau | February 27, 2021 IST

ନୀଳଗିରି,୨୭/୦୨: ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକର ବିବାଦୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୀଲ କୁମାର ପଣ୍ଡା ଲାଞ୍ଚ ନେବା ଅଭିଯୋଗରେ ତାଙ୍କ ବିରୁଦ୍ଧରେ ତଦନ୍ତ ପୂର୍ବକ କାର୍ଯ୍ୟନୁଷ୍ଠାନ ଦାବି ହୋଇ ବ୍ଲକ ସମ୍ମୁଖରେ ଆଠ ଦିନ ଧରି ଗଣ ଧାରଣା ଦିଆଯାଇଥିଲା। ଏକ ଲାଞ୍ଚ ନେବାର ଭିଡିଓ ଫୁଟେଜ ଭାଇରାଲ ହେବା ପରେ ଏଭଳି ଆନ୍ଦୋଳନ ହୋଇଥିଲା। ପୂର୍ବରୁ ମଧ୍ୟ ତାଙ୍କ ବିରୁଦ୍ଧରେ ସରକାରୀ ଅର୍ଥର ଦୁରୂପୋଯୋଗ ଓ ଉନ୍ନୟନମୂଳକ କାର୍ଯ୍ୟରେ ବାଧା ଦେବା ଭଳି ଅଭିଯୋଗ ନେଇ ଧାରଣା ହୋଇଥିଲା। ଏପରିକି ପୂର୍ବରୁ ମଧ୍ୟ ତାଙ୍କ ବିରୁଦ୍ଧରେ ଭିଜିଲାନ୍ସ ମାମଲା ଥିବାର କୁହାଯାଏ।

ତାଙ୍କ ବିରୁଦ୍ଧରେ ତଦନ୍ତ ରିପୋର୍ଟ ପାଇ ଜିଲ୍ଲାପାଳ ସରକାରଙ୍କୁ କାର୍ଯ୍ୟନୁଷ୍ଠାନ ନେବାକୁ ପତ୍ର ଲେଖିଥିଲେ ମଧ୍ୟ ଏଭଳି ଜଣେ ଦୁର୍ନୀତିଗ୍ରସ୍ତ ଯନ୍ତ୍ରୀ ଜଣକ କାହା ଛତ୍ରଛାୟା ତଳେ ରହିଛନ୍ତି ବୋଲି ପ୍ରଶ୍ନ ଉଠୁଛି। ପୂର୍ବରୁ ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିଥିବା ବେଳେ ଗତ ୨୪ ତାରିଖରେ ବିରୋଧ ଦଳର ନେତା ପ୍ରଦୀପ୍ତ ନାୟକ ସମ୍ପୂର୍ଣ୍ଣ ସହକାରୀ ନିର୍ଵାହିଯନ୍ତ୍ରୀ ଅନୀଲ କୁମାର ପଣ୍ଡାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ନେଇ ନିଜର ଅସନ୍ତୋଷ ଜାହିର କରିବା ସହ ୫ଟି ଯୋଜନା କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖି ଦୃଷ୍ଟି ଆକର୍ଷଣ କରିଛନ୍ତି।

ଖାଲି ସେତିକ ନୁହେଁ ତାଙ୍କ ବିରୁଦ୍ଧରେ ଭିଜିଲାନ୍ସ ତଦନ୍ତ କରିବାକୁ ଦାବି ମଧ୍ୟ କରିଛନ୍ତି। ପ୍ରଥମେ ବିଧାୟକ ଓ ପରେ ବିରୋଧୀ ଦଳର ନେତା ସମ୍ପୃକ୍ତ ସହକାରୀ ଯନ୍ତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦୃଷ୍ଟି ଆକର୍ଷଣ ପରେ ମୁଖ୍ୟମନ୍ତ୍ରୀ କଣ କାର୍ଯ୍ୟନୁଷ୍ଠାନ ନେଉଛନ୍ତି ତାକୁ ସମସ୍ତଙ୍କର ଅପେକ୍ଷା ଥିବା ଜଣାପଡିଛି। ସୂଚନାଯୋଗ୍ୟ ନୀଳଗିରି  ବ୍ଲକର କାର୍ଯ୍ୟରତ ସହକାରୀ ନିର୍ଵାହିଯନ୍ତ୍ରୀ ଅନୀଲ କୁମାର ପଣ୍ଡାଙ୍କ ଏକ ଲାଞ୍ଚ ନେବାର ଭିଡିଓ ଭାଇରାଲ ପରେ ଯନ୍ତ୍ରୀ ଜଣକ ବିବାଦୀୟ ହୋଇ ଉଠିଥିଲେ। ସରକାର କୋଭିଡ ସମୟରେ ପୀଡିତଙ୍କୁ ଵଂଚାଇବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଲକ୍ଷଲକ୍ଷ ଟଙ୍କା ବାଟମାରଣା ହୋଇଥିବା ନୀଳଗିରି ବ୍ଲକରେ ଅଭିଯୋଗ ଉଠିଥିଲା।

ନୀଳଗିରି ଜଡିଦା ଟିଏମସି ସେଣ୍ଟର ପ୍ରସ୍ତୁତି ପାଇଁ ହୋଇଥିବା କାର୍ଯ୍ୟର ୧ ଲକ୍ଷ ୪୪ ହଜାର ୪୦୦ ଟଙ୍କାର ଵିଲ  ପାଇଁ ଠିକାଦାର ବିନୋଦ କୁମାର ମହାନ୍ତି ଙ୍କ ଠୁଁ ନୀଳଗିରି ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଅନିଲ କୁମାର ପଣ୍ଡା ୬ ହଜାର ଟଙ୍କା ଲାଂଚ ନେଉଥିବାର ଭିଡ଼ିଓ ସାମ୍ନାକୁ ଆସିଥିଲା। ଭିଡ଼ିଓରେ ଟଙ୍କା ମାଗୁଥିବା ବେଳେ ପରେ ଟଙ୍କା ଡ୍ରୟାର ରେ ରଖି ପୁଣି  ଏହାକୁ ପକେଟରେ ରଖିଥିବାର ଦେଖୁବାକୁ ମିଳିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.