୪୦ ଲକ୍ଷ ଲୋକଙ୍କ ଜୀବନ ନେଇଥିବା କରୋନା ଆହୁରି ହୋଇପାରେ ଭୟଙ୍କର, ବିଶ୍ବକୁ WHOର ଚେତାବନୀ

Published By : Prameya-News7 Bureau | July 15, 2021 IST

ନୂଆଦିଲ୍ଲୀ ୧୫/୭: କରୋନା ମହାମାରୀର ଯେଉଁ ରୂପ ଏବେ ଯାଏ ଦେଖିବାକୁ ମିଳିଛି ତାହା କେବଳ ଟ୍ରେଲର । ଆଗକୁ ଏହା ଆହୁରି ଭୟଙ୍କର ହେବାକୁ ଯାଉଛି। ଏନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଜରୁରିକାଳୀନ ସମିତି ଗୁରୁବାର ଦିନ ଚେତାବନୀ ଦେଇ କହିଛି। ଆଗାମୀ ସମୟରେ କରୋନାର ନୂଆ ଭାରିଏଣ୍ଟସ୍‌ ବ୍ୟାପିବାର ସମ୍ଭାବନା ଅଧିକ ରହିଥିବା ବେଳେ ମହାମାରୀକୁ ରୋକିବା ଆହୁରି ମୁସକିଲ୍‌ ହୋଇପାରେ ବୋଲି WHO ପକ୍ଷରୁ କୁହାଯାଇଛି।

ସମିତି ଅନୁସାରେ, ‘ମହାମାରୀ ଏବେ ଶେଷ ହୋଇନାହିଁ। ବୈଶ୍ବିକ ସ୍ତରରେ ଆହୁରି ଭୟଙ୍କର ଭାରିଏଣ୍ଟ ବ୍ୟାପିବାର ସମ୍ଭାବନା ରହିଛି। ଯାହାକୁ ନିୟନ୍ତ୍ରଣ କରିବା ଅଧିକ ଆହ୍ବାନପୂର୍ଣ୍ଣ ହେବ।’  ୨୦୧୯ରୁ ଚୀନରୁ ଆସିଥିବା କରୋନା ଭୂତାଣୁ ଏବେ ଯାଏ ବିଶ୍ବରେ ୪୦ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇଛି। ଏହା ସହ ଏବେ ସୁଦ୍ଧା ମୋଟ୍‌ ୧୮ କୋଟି ୯୩ ଲକ୍ଷ ଲୋକ ସଂକ୍ରମିତ ହୋଇସାରିଛନ୍ତି।

କରୋନା ଭୂତାଣୁ ଲଗାତାର ନିଜର ରୂପ ବଦଳାଉଛି। ଏହାର ଡେଲଟା ଭାରିଏଣ୍ଟ ଏବେ ବିଶ୍ବରେ ସଂହାରଲୀଳା ରଚିଛି। ମହାମାରୀର ଆଗାମୀ ଲହର ମୂଳ ରୂପ ଆଲ୍‌ଫା ଭାରିଏଣ୍ଟଠୁ ଅଧିକ ସଂକ୍ରାମକ ହେବ ବୋଲି ଗବେଷକମାନେ ମତ ଦେଉଛନ୍ତି । ଅନ୍ୟପଟେ କରୋନାର ଉତ୍ପତ୍ତି ସମ୍ପର୍କରେ ହେଉଥିବା ଯାଞ୍ଚରେ ସହଯୋଗ କରିବା ପାଇଁ ଚୀନକୁ ପୁଣିଥରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ କହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.