କରୋନା ନମୁନା ସଂଗ୍ରହ ପାଇଁ ଆସିଥିବା ବେଳେ WHO ଡ୍ରାଇଭରଙ୍କୁ ଗୁଳିକରି ହତ୍ୟା

Published By : Prameya-News7 Bureau | April 21, 2020 IST

ନାୟିପିଟାଓ ୨୧।୪: ସାରା ବିଶ୍ବରେ ଏବେ କରୋନା ଭାଇରସ୍ ବିରୋଧରେ ଲଢେଇ ଜାରି ରହିଛି । ଏଥିରେ  ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । କରୋନା ଭାଇରସ୍ ବିରୋଧରେ ଲଢେଇରେ WHO ଅନ୍ୟ ଦେଶରେ ସ୍ଥାନୀୟ ବିବାଦର ସମ୍ମୁଖୀନ ହେଉଛି ।

ମିଆଁମାରରେ କରୋନା ଭାଇରସର ନମୁନା ସଂଗ୍ରହ କରିବାକୁ ଆସିଥିବା WHOର ଡ୍ରାଇଭରଙ୍କୁ ସଂଘର୍ଷପୂର୍ଣ୍ଣ ଅଞ୍ଚଳର ଲୋକମାନେ ହତ୍ୟା କରିଛନ୍ତି । ଡ୍ରାଇଭରଙ୍କ ନାମ ପାଇନେ ସୋନ୍ ୱିନ୍ ମାଓଙ୍ଗ, ଯିଏ ସେଠାରେ ଜାତିସଂଘର ଗାଡି ଚଳାଉଥିଲେ । ମିଆଁମାରର ରାଖାଇନ୍ ରାଜ୍ୟରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ସେ WHOର ଡ୍ରାଇଭର ଥିଲେ କିନ୍ତୁ ସେହି ସମୟରେ ସେ ମିଳିତ ଜାତିସଂଘର ଗାଡି ଚଳାଉଥିଲେ ।

ଏହି ଘଟଣାରେ ମିଳିତ ଜାତିସଂଘ କହିଛି ଯେ, ନିକଟ ଅତୀତରେ ସେନା ଏବଂ ସଶସ୍ତ୍ର ଗୋଷ୍ଠୀ ଆରାକାନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଦଶହଜାର ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି । ସୋମବାର WHO ଡ୍ରାଇଭରଙ୍କ ମୃତ୍ୟୁ ପାଇଁ ଉଭୟ ପକ୍ଷ ପରସ୍ପରକୁ ଦାୟୀ କରିଛନ୍ତି ।

ମିଆଁମାରର ସାମରିକ ମୁଖପାତ୍ର ମେଜର-ଜେନେରାଲ ଟୁନ୍ ନୟି କହିଛନ୍ତି ଯେ, ତାଙ୍କ ଗାଡି ଉପରେ ଆକ୍ରମଣ କରିବାର କୌଣସି କାରଣ ନାହିଁ । ସେ ନ୍ୟୁଜ୍ ଏଜେନ୍ସି ରଏଟର୍ସକୁ କହିଛନ୍ତି ଯେ ସେମାନେ ଆମ ପାଇଁ କାମ କରୁଛନ୍ତି, ଆମ ଦେଶ ପାଇଁ କାମ କରୁଛନ୍ତି ତେଣୁ ସେମାନଙ୍କର ଦାୟିତ୍ବ ଆମ ଉପରେ ।

ମିଆଁମାରରେ ମିଳିତ ଜାତିସଂଘ କାର୍ଯ୍ୟାଳୟ ସଂପୃକ୍ତ ଡ୍ରାଇଭରଙ୍କ ମୃତ୍ୟୁକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛି । ଡ୍ରାଇଭରଙ୍କ ଉପରେ ଆକ୍ରମଣ ମିନବାୟା ବସ୍ତିର ଏକ ସାମରିକ ପୋଷ୍ଟ ନିକଟରେ ଘଟିଥିଲା ।

ଏକ ଫେସବୁକ୍ ପୋଷ୍ଟ ଅନୁଯାୟୀ, ଆକ୍ରମଣ ହୋଇଥିବା ଗାଡିଟି ସିଟୱେରୁ ୟାଙ୍ଗୋନ ଅଭିମୁଖେ ଯାତ୍ରା କରୁଥିଲା । ଯିଏକି ସ୍ବାସ୍ଥ୍ୟ ଏବଂ କ୍ରୀଡା ମନ୍ତ୍ରଣାଳୟରୁ କରୋନା ଭାଇରସ୍ ର ନମୁନା ନେବାକୁ ଯାଉଥିଲା । ଆକ୍ରମଣକୁ ନେଇ ଜାତିସଂଘ ସ୍ପଷ୍ଟ କରି ନାହିଁ ଯେ, କେଉଁ ଗୋଷ୍ଠୀରୁ ଗୁଳି ଚାଳନା କରାଯାଇଥିଲା । ଏହି ଆକ୍ରମଣରେ ଜଣେ ସରକାରୀ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.