କରୋନା ଭାଇରସ୍ ଉପରେ ସଫେଇ ଦେଲା WHO, କହିଲା ଭାରତରେ ନାହିଁ କମ୍ୟୁନିଟି ଟ୍ରାନ୍ସମିଶନର ବିପଦ

Published By : Prameya-News7 Bureau | April 10, 2020 IST

ନୂଆଦିଲ୍ଲୀ ୧୦।୦୪: ଚୀନରୁ ସମଗ୍ର ଦୁନିଆରେ ବ୍ୟାପିଥିବା କରୋନା ଭାଇରସ୍‌ର ପ୍ରଭାବ ଏବେ ଭାରତରେ ଦେଖିବାକୁ ମିଳିଛି। କୁହାଯାଉଥିଲା ଯେ, ଭାରତରେ କମ୍ୟୁନିଟି ଟ୍ରାନ୍ସମିଶନର ବିପଦ ରହିଛି। ମାତ୍ର ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ(WHO) ସ୍ପଷ୍ଟ କରିଛି ଯେ ଭାରତରେ କମ୍ୟୁନିଟି ଟ୍ରାନ୍ସମିଶନର ବିପଦ ନାହିଁ। ଡବ୍ଲ୍ୟୁଏଚଓ କହିଛି ଯେ, କରୋନା ଭାଇରସକୁ ନେଇ ଯେଉଁ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା, ସେଥିରେ କିଛି ତ୍ରୁଟି ଥିଲା ଏବଂ ଭାରତରେ କମ୍ୟୁନିଟି ଟ୍ରାନ୍ସମିଶନର ବିପଦ ଥିବା କୁହାଯାଇଥିଲା। ଏବେ ଡବ୍ଲ୍ୟୁଏଚଓ ସ୍ପଷ୍ଟ କରିଛି ଯେ, ଭାରତରେ କମ୍ୟୁନିଟି ଟ୍ରାନ୍ସମିଶନର ବିପଦ ନାହିଁ ମାତ୍ର କ୍ଲଷ୍ଟର ଅଫ କେସ୍ ବଢିଛି।

ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ପକ୍ଷରୁ ସଫେଇ ଦେଇ କୁହାଯାଇଛି ଯେ, ଭାରତରେ କିଛି ଇଲାକାରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି, ଯାହାକୁ କ୍ଲଷ୍ଟର ଅଫ କେସ୍ କୁହାଯାଏ। ରିପୋର୍ଟରେ ଭୁଲବଶଃତ କମ୍ୟୁନିଟି ଟ୍ରାନ୍ସମିଶନ ଉଲ୍ଲେଖ କରାଯାଇଥିଲା, ଯେଉଁଥିରେ ଭାରତରେ କରୋନା ଭାଇରସକୁ ନେଇ ଭୟର ମାହୋଲ ସୃଷ୍ଟି ହୋଇଥିଲା। ଉଲ୍ଲେଖଯୋଗ୍ୟ, ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ରିପୋର୍ଟ ସାମ୍ନାକୁ ଆସିବା ପରେ ଭାରତ ଏହାକୁ ତୀବ୍ର ବିରୋଧ କରିଥିଲା ଏବଂ କୁହାଯାଇଥିଲା ଯେ ଭାରତରେ କରୋନା ଭାଇରସ୍ ତୃତୀୟ ପର୍ଯ୍ୟାୟରେ ପହଞ୍ଚିନାହିଁ।

ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୪୧୨କୁ ବୃଦ୍ଧି ଘଟିଛି। ଏଥିରୁ ୧୯୯ ଜଣ ପ୍ରାଣ ହରାଇଛନ୍ତି। ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ୩୩ ଜଣଙ୍କ ମୃତ୍ୟୁ କରୋନା ଭାଇରସ୍ ଯୋଗୁଁ ହୋଇଛି। ବିଶେଷଜ୍ଞଙ୍କ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୧ ଦିନିଆ ଲକ୍‌ଡାଉନ୍‌ର ପ୍ରଭାବରେ ଦେଶରେ କରୋନା ଭାଇରସ୍ ଦ୍ରୁତ ଗତିରେ ବ୍ୟାପି ପାରି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.