କ୍ବାରେଣ୍ଟାଇନ୍‌ରେ WHO ମୁଖ୍ୟ, କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ

Published By : Prameya-News7 Bureau | November 02, 2020 IST

ନ୍ୟୁୟର୍କ ୨।୧୧: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ ନିଜକୁ କ୍ବାରେଣ୍ଟାଇନ୍ କରିଛନ୍ତି । କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବା ପରେ ସେ ଏଭଳି ପଦକ୍ଷେପ ନେଇଛନ୍ତି । ସେ ରବିବାର ଦିନ କହିଛନ୍ତି ଯେ, ତାଙ୍କର ଜଣେ ସଂପର୍କୀୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ତାଙ୍କ ସଂସ୍ପର୍ଶରେ ଆସିଥିବା ଯୋଗୁଁ କ୍ବାରେଣ୍ଟାଇନ୍ ରେ ରହିଛନ୍ତି । ସେ ଏହା ମଧ୍ୟ କହିଥିଲେ ଯେ, ତାଙ୍କଠାରେ କରୋନାର କୌଣସି ଲକ୍ଷଣ ଦେଖାଦେଇନାହିଁ ।

ସେ ଏକ ଟ୍ବିଟ୍ ରେ ଲେଖିଛନ୍ତି ଯେ, ‘ମୁଁ ଏଭଳି ଜଣେ ଏଭଳି ବ୍ୟକ୍ତିଙ୍କ ସଂପର୍କରେ ଆସିଥିଲି ଯିଏକି କୋଭିଡ୍ ୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ମୁଁ ସୁସ୍ଥ ଅଛି । ମୋ ଠାରେ କୌଣସି ଲକ୍ଷଣ ଦେଖାଯାଇନାହିଁ । ମାତ୍ର ପ୍ରୋଟୋକଲ ଅନୁସାରେ କିଛି ଦିନ ବ୍ୟକ୍ତିଗତ ସଂଗରୋଧରେ ରହିବି । ଘରେ ରହି କାମ କରିବି ।’

ସେ ଏହା ମଧ୍ୟ କହିଥିଲେ ଯେ, ମହାମାରୀ ମଧ୍ୟରେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ନିର୍ଦ୍ଦେଶନାମା ପାଳନ କରିବା ମହତ୍ବପୂର୍ଣ୍ଣ । କାରଣ ସଂକ୍ରମଣ ସଂଖ୍ୟା ହ୍ରାସ ପାଇବା ସହ ସ୍ବାସ୍ଥ୍ୟ ଏହାର ପ୍ରଭାବ କମ୍ ରହିବ । ସୂଚନାଯୋଗ୍ୟ ଯେ, କରୋନା ସଂକ୍ରମିତଙ୍କ ସଂପର୍କରେ ଆସିବା ପରେ ଯେକୌଣସି ବ୍ୟକ୍ତିଙ୍କୁ ୧୪ ଦିନ ପର୍ଯ୍ୟନ୍ତ କ୍ବାରେଣ୍ଟାଇନ୍ ରେ ରହିବାକୁ ପଡେ ।

ସେ ଆହୁରି ମଧ୍ୟ ତାଙ୍କ ଟ୍ବିଟର ଆକାଉଣ୍ଟରେ ଲେଖିଛନ୍ତି ଯେ, ଏହା ଗୁରୁତ୍ବପୂର୍ଣ୍ଣ ଯେ ଆମେ ସମସ୍ତ ନିର୍ଦ୍ଦେଶନାମା ପାଳନ କରିବା । ଏହାଦ୍ବାରା ଆମେ କୋଭିଡ୍ ୧୯ ସଂକ୍ରମଣର ଚେନ୍ କୁ ଭାଙ୍ଗି ପାରିବା । ଭାଇରସ୍ କୁ ରୋକିବା ଏବଂ ସ୍ବାସ୍ଥ୍ୟ ସେବା ବ୍ୟବସ୍ଥାକୁ ରକ୍ଷା କରିପାରିବା । ମୁଁ ଏବଂ ମୋର ସହକର୍ମୀ ଜୀବନ ବଞ୍ଚାଇବା ଏବଂ ଦୁର୍ବଳ ଲୋକଙ୍କୁ ସୁରକ୍ଷା ଦେବା ନେଇ ମିଳିମିଶି କାମ କରିବା ଜାରି ରଖିବୁ ।

ସାରା ବିଶ୍ବରେ ଏବେ ସାଢେ ଚାରି କୋଟିରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇସାରିଲେଣି । ଏହି ପ୍ରାଣଘାତୀ ମହାମାରୀରେ ଏପର୍ଯ୍ୟନ୍ତ ୧୨ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇ ସାରିଲାଣି । କେବଳ ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏକ କୋଟିରେ ପହଞ୍ଚିବାକୁ ବସିଲାଣି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.