ଭାରତରେ ବ୍ୟାପୁଥିବା କରୋନା ଭାଇରସ ଡବଲ ମ୍ୟୁଟାଣ୍ଟ ଭାରିଏଣ୍ଟ ଅଧିକ ସଂକ୍ରାମକ : WHO ବୈଜ୍ଞାନିକ

Published By : Prameya-News7 Bureau | May 10, 2021 IST

ନୂଆଦିଲ୍ଲୀ ୧୦।୫: ଭାରତରେ ଏବେ କରୋନା ଭାଇରସ ମହାମାରୀ ଦ୍ୱିତୀୟ ଲହର ବ୍ୟାପୁଛି। ଦେଶରେ ବ୍ୟାପୁଥିବା  ଭୂତାଣୁ ପ୍ରକାର ଅଧିକ ସଂକ୍ରାମକ ଓ ସଂକ୍ରମଣକାରୀ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ବୈଜ୍ଞାନିକ ଡା.ସୌମ୍ୟା ସ୍ୱାମୀନାଥନ ସୋମବାର କହିଛନ୍ତି। ଦେଶରେ ସଂକ୍ରମଣର ପ୍ରସାର ବିଷମ ରହିଛି। ଏଣୁ ଟିକା ନେଇ ସଂକ୍ରମଣର ଜଟିଳତା ହ୍ରାସ କରାଯାଇପାରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ସେ କହିଛନ୍ତି ଯେ ଡବଲ ମ୍ୟୁଟାଣ୍ଟ ଭାରିଆଣ୍ଟ ବିଶେଷ କରି ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକାରେ ଦେଖାଯାଉଥିବା ଭୂତାଣୁ ପ୍ରକାର ସହ ସମାନ। ଯାହା ଶରୀରକୁ ପ୍ରତିରକ୍ଷା ପ୍ରତିକ୍ରିୟାରୁ ଦୂରେଇ ଦେଉଛି। ଏଥିରେ ବୃଦ୍ଧି ହେଉଥିବା ସଂକ୍ରମଣ ଭୂତାଣୁର ନୂଆନୂଆ ପ୍ରକାର ସୃଷ୍ଟିର ଆଶଙ୍କା ଉଦ୍ରେକ କରୁଛି। ଯାହା ଅଧିକ ବିପଦଜନକ ହୋଇପାରେ। ଏଣୁ ଭାରତରେ ଭୂତାଣୁ ସଂକ୍ରମଣ ଯୋଗୁ ଉପୁଜିଥିବା ପରିସ୍ଥିତି ଡବ୍ଲୁଏଚଓଙ୍କୁ ଚିନ୍ତାରେ ପକାଇଥିବା ସେ କହିଛନ୍ତି।

ଏଥିରେ ଭାରତ ସରକାର ଦେଶରେ ଚଳାଇଥିବା ଟିକାକରଣ ସମ୍ପର୍କରେ ମଧ୍ୟ ସେ କହିଛନ୍ତି। ଡା.ସ୍ୱାମୀନାଥନଙ୍କ ଅନୁସାରେ ଭାରତରେ ସରକାର ଚଳାଇଥିବା ଟିକାକରଣ ଏପରି ଡବଲ ମ୍ୟୁଟାଣ୍ଟ ପ୍ରକାରର ମୁକାବିଲା ଲାଗି ସମର୍ଥ କି ନୁହେଁ ତାହା ଦର୍ଶାଇବାକୁ ପର୍ଯ୍ୟାପ୍ତ ତଥ୍ୟ ନାହିଁ। ତେବେ ଭାରତ ଓ ଅନ୍ୟ ଦେଶଙ୍କ ଦ୍ୱାରା ବିକଶିତ ଟିକା କିନ୍ତୁ ଲୋକଙ୍କୁ ରୋଗର ଜଟିଳତା ଓ ମୃତ୍ୟୁରୁ ରକ୍ଷା କରିପାରୁଥିବା ଦେଖା ଯାଇଛି। ଯଦି କେହି ଟିକା ନେଇଛି ସେଏତିକି ନିଶ୍ଚିତ ରହିପାରେ ଯେ ଆଇସିୟୁରୁ ଜୀବିତ ଫେରି ଆସିବ। ଏଣୁ ଦେଶରେ ଯାହା ବି ଭାକ୍ସିନ ଉପଲବ୍ଧ ଅଛି ତାହା ଲୋକେ ନିଶଂକୋଚରେ ନିଅନ୍ତୁ ବୋଲି ଡା. ସ୍ୱାମୀନାଥନ ଅନୁରୋଧ କରିଛନ୍ତି।

ଏହାକୁ କିଛି ସମୟ ପୂର୍ବରୁ ସମ୍ବାଦ ସରବରାହ ସଂସ୍ଥା ଏଏଫପି ସହ ଡା.ସ୍ୱାମୀନାଥନଙ୍କ ସାକ୍ଷାତକାରର ସ୍ପଷ୍ଟିକରଣ ବୋଲି ମଧ୍ୟ ଦେଖାଯାଉଛି। ସେ କହିଥିଲେ ଯେ ହୁଏତ ଭାରତ ପ୍ରସ୍ତୁତ ସୁରକ୍ଷା ଟିକାକୁ ଭୂତାଣୁ ଚକମା ଦେଉଛି ଓ ଦେଶରେ କରୋନା ବିସ୍ଫୋରଣରେ ସହାୟକ ହୋଇଛି। ତେବେ ଅଧ୍ୟୟନରୁ ଜଣାପଡିଛି ଯେ ଯଦିଓ ଆଣ୍ଟିବଡି ବିଭିନ୍ନ ପ୍ରକାର ସଂକ୍ରମିତ ହୁଏ ତଥାପି ଟିକା ରୋଗର ଜଟିଳତାକୁ ହ୍ରାସ କରୁଛି। ଏଣୁ ଭୂତାଣୁର ନୂତନ ପ୍ରକାରକୁ ରୋକିବାରେ ଟିକା କାମ କରୁନି ବୋଲି କୁହାଯାଇପାରିବନି ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.