ଋଷକୁ ଝଟକା, କରୋନା ଭାକ୍ସିନକୁ ନେଇ ପ୍ରମାଣ ମାଗିଲେ WHO

Published By : Prameya-News7 Bureau | August 12, 2020 IST

ଜେନେଭା ୧୨।୮: ସାରା ବିଶ୍ୱରେ କରୋନା ଭାଇରସ ମହାମାରୀ ବ୍ୟାପିବାରେ ଲାଗିଛି। ଏଥିରେ ଭାକ୍ସିନ୍‌ ଲାଗି ଏବେ ବିବାଦ ଉପୁଜିବା ନୂଆ ଚିନ୍ତାର କାରଣ ପାଲଟିଛି। ଭାକ୍ସିନ ଉତ୍ପାଦନରେ ଋଷିଆ ବିଶ୍ୱର ପ୍ରଥମ ରାଷ୍ଟ୍ର ପାଲଟିଛି। ତେବେ ଋଷିଆର ଏହି ଭାକ୍ସିନ୍‌ ଉପରେ ଏବେ ଭରସା କରାଯାଇ ପାରୁନି। ଖୋଦ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ଭାକ୍ସିନକୁ ନେଇ ସନ୍ଦେହ ପ୍ରକାଶ କରିଥିବା ବେଳେ ପ୍ରୁଫ ଦାବି କରିଛନ୍ତି।

ମିଳୁଥିବା ସୂଚନା ଅନୁସାରେ ଡବ୍ଲୁଏଚଓ ଋଷକୁ ଭାକ୍ସିନ ନେଇ ଅଧିକ ଗବେଷଣା ଜାରି ରଖିବା ଲାଗି କହିଛନ୍ତି। ତେବେ  ଟିକାକୁ ନେଇ  ବିଭିନ୍ନ ସୂଚନା ମଧ୍ୟ ମାଗିଛନ୍ତି। ତେବେ ଆମେରିକା ଏହାକୁ ସନ୍ଦେହସ୍ପଦ କହିଛି। ଆମେରିକା ସେକ୍ରେଟାରୀ ଅଫ ହେଲଥ୍ ଏଲେକ୍ସ ଅଜାର ଋଷିଆର କୋଭିଡ ଭାକ୍ସିନକୁ ନେଇ ଏହା କୌଣସି ପ୍ରତିଯୋଗୀତା ନୁହେଁ ବୋଲି କହିଛନ୍ତି। ଅଜାର ଏହି ଟିକା ସମ୍ପର୍କିତ ବିଜ୍ଞାନ ଓ ଏହାର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। 

ସେହିପରି ସିଏସଆଇଆରଙ୍କ ସେଲୁଲାର ଓ ମଲିକ୍ୟୁଲାର ବାୟୋଲଜି ସେଣ୍ଟର (ସିସିଏମବି)ର ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି ଯେ କୋଭିଡ-୧୯ ଚିକିତ୍ସା ଲାଗି ଋଷ ବିକଶିତ କରିଥିବା ଟିକା ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିପାରୁନାହିଁ। ଏଣୁ ଟିକାର ପ୍ରଭାବ ଓ ସୁରକ୍ଷା ନେଇ ଏବେ କିଛି କହିବା ଉଚିତ ହେବ ନାହିଁ। ସେହିପରି ସିସିଏମବି ନିର୍ଦ୍ଦେଶକ ରାକେଶ କେ.ମିଶ୍ର ଯଦି ଲୋକେ ଭାଗ୍ୟଶାଳୀ ହୋଇଥିବା ତେବେ ଋଷୀୟ ଟିକା ନିଶ୍ଚିତ ସେମାନଙ୍କଠାରେ ପ୍ରଭାବୀ ହେବବୋଲି କହିଛନ୍ତି।

ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ମଙ୍ଗଳବାର କୋଭିଡ-୧୯ ଟିକା ଗବେଷଣାରେ ଋଷିଆ ସଫଳ ହୋଇଥିବା ଘୋଷଣା କରିଥିଲେ। ଏହି ଟିକା ମାନବ ଶରୀରରେ ସ୍ଥାୟୀ ରୋଗ ପ୍ରତିରୋଧକ କ୍ଷମତା ସୃଷ୍ଟି କରିପାରୁଥିବାରୁ ଏହା କୋଭିଡ-୧୯ ମୁକାବିଲାରେ ସକ୍ଷମ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି। ତାଙ୍କ ଝିଅମାନଙ୍କ ମଧ୍ୟରୁ ଜଣେ ଏହି ଟିକା ନେଇଥିବାର ମଧ୍ୟ ପୁତିନ ସୂଚିତ କରିଥିଲେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.