ବିଶ୍ୱକୁ ଚେତାଇଲେ WHO, ‘ନୂଆ ଏବଂ ବିପଦଜନକ ପର୍ଯ୍ୟାୟ’ରେ କରାନା ମହାମାରୀ
20/06/2020 at 1:40 PM

ଜେନେଭା ୨୦।୬: ଲକଡାଉନ୍ ଯୋଗୁ ଲୋକେ ହନ୍ତସନ୍ତ ହେଉଥିବା ବେଳେ କରୋନା ଭାଇରସ ମହାମାରୀ ତୀବ୍ର ଗତିରେ ବ୍ୟାପିବାରେ ଲାଗିଛି। ଏଥିରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚ) କରୋନା ଏବେ ନୂଆ ଏବଂ ବିପଦଜନକ ପର୍ଯ୍ୟାୟରେ ଥିବା ନେଇ ସୂଚନା ଦେବା ପରିସ୍ଥିତିକୁ ଜଟିଳ କରିଛି। ସାରା ପୃଥିବୀରେ ଏବେ ୮.୪ ନିୟୁତ ଲୋକେ ଭୂତାଣୁ ସଂକ୍ରମିତ ହୋଇଥିବା ବେଳେ ଅନୁନ୍ୟ ୪ଲକ୍ଷ ୫୪ ହଜାରରୁ ବି ଅଧିକ ଲୋକେ ପ୍ରାଣ ହରାଇଥିବା ବେଳେ ଡବ୍ଲୁଏଚଓ ଏହି ନୂଆ ସତର୍କତା ଜାରି କରିଛନ୍ତି।
ଗତ ଡିସେମ୍ବର ମାସରେ ଇଟାଲୀରେ ପ୍ରଥମ ଭୂତାଣୁ ସଂକ୍ରମଣ ପରେ ପରେ ଏହାର ମହାମାରୀ ରୂପ ଦେଖାଇଥିଲା। ତେବେ ଏହାର ଅନେକ ପୂର୍ବରୁ ଚୀନ୍ ଉହାନରେ ବିପଦଜନକ ପରିସ୍ଥିତି ସୃଷ୍ଟି କରିଥିଲା। ଏଣୁ ସଂକ୍ରମଣ ରୋକିବାରେ ଲକଡାଉନ୍ ହିଁ ଏକମାତ୍ର ଉପାୟ ଥିଲା। ତେବେ ଲକଡାଉନ ଅର୍ଥନୀତିକୁ ସ୍ଥାଣୁ କରିପକାଇଥିଲା। ହେଲେ ଏବେବି ଭୂତାଣୁର ଭୟ ଥମିନଥିବା କହିଛନ୍ତି ଡବ୍ଲୁଏଚଓ। ଏବେ ବିଶ୍ୱ ଏକ ନୂଆ ଓ ବିପଦଜନକ ପର୍ଯ୍ୟାୟ ଦେଇ ଗତି କରୁଛି। ଅନେକ ଲୋକେ ଘରେ ରହି ରହି ବିରକ୍ତ ହେଲେଣି, ତଥାପି ଭୂତାଣୁର ସଂକ୍ରମଣ ଜାରି ରହିଛି। ଡବ୍ଲୁଏଚଓ ପ୍ରମୁଖ ଟେଡ୍ରୋସ୍ ଏଡହୋମ୍ ଘେବ୍ରୟସିସ୍ ଏକ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ ଶୁକ୍ରବାର କହିଛନ୍ତି।