ସମ୍ଭାବ୍ୟ କରୋନାର ତୃତୀୟ ଲହର ମୁକାବିଲା ପାଇଁ WHOର ଗୁରୁତ୍ବପୂର୍ଣ୍ଣ ପରାମର୍ଶ

Published By : Prameya-News7 Bureau | June 20, 2021 IST

ନୂଆଦିଲ୍ଲୀ ୨୦/୬:  ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ଦକ୍ଷିଣପୂର୍ବ ଏସିଆର ଦେଶଗୁଡ଼ିକୁ କରୋନାର ତୃତୀୟ ଲହରରୁ ରକ୍ଷା ପାଇବାକୁ ଟିପ୍ସ ଦେଇଛି। ଆସିବାକୁ ଥିବା କରୋନାର ତୃତୀୟ ଲହର ସହ ମୁକାବିଲା କରିବାକୁ ହେଲେ ସ୍ବାସ୍ଥ୍ୟ ଭିତ୍ତିଭୂମି ଏବଂ ଟିକାକରଣକୁ ଜୋରଦାର କରିବାକୁ ପଡ଼ିବ ବୋଲି ହୁ ପରାମର୍ଶ ଦେଇଛି। ଯୁକ୍ତ ରାଷ୍ଟ୍ରର ସ୍ବାସ୍ଥ୍ୟ ଏଜେନ୍ସି ଅନୁସାରେ ଚଳିତ ସପ୍ତାହରେ ମାଳଦ୍ବୀପ ଏବଂ ମିଆଁମାରରେ କରୋନାର ନୂଆ ଭାରିଏଣ୍ଟ ଚିନ୍ତା ବଢ଼ାଇଛି।

ଏହା ପୂର୍ବରୁ ବାଂଲାଦେଶ, ଭାରତ, ଇଣ୍ଡୋନେସିଆ, ନେପାଳ, ଶ୍ରୀଲଙ୍କା, ଥାଇଲାଣ୍ଡ ଏବଂ ତିମୋର ଲେଷ୍ଟେରେ ଏହି ଭାରିଏଣ୍ଟ ଚିହ୍ନଟ ହୋଇସାରିଛି। ଅର୍ଥବ୍ୟବସ୍ଥାକୁ ଗତି ଦେବା ତଥା ସାମାଜିକ ଗତିବିଧିକୁ ଅନୁମତି ମିଳିବା ପରେ କରୋନାର ଏପରି ଭୟଙ୍କର ଭାରିଏଣ୍ଟର ମାମଲା ଅଧିକ ବଢ଼ିଛି। ଡେଲଟା ଭାରିଏଣ୍ଟକୁ ଡବ୍ଲୁଏଚ୍‌ଓ ଚିନ୍ତାଜନକ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିଛି।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମତରେ ଯାଞ୍ଚ ପ୍ରକ୍ରିୟା ବୃଦ୍ଧି, ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ, ସଂକ୍ରମିତଙ୍କୁ ଆଇସୋଲେଟ କରିବା କାର୍ଯ୍ୟ ଆହୁରି ତୀବ୍ର ହେବା ଦରକାର। ଏହା ସହ ମାସ୍କ, ସାମାଜିକ ଦୂରତା ଏବଂ ସମୟ ସମୟରେ ହାତ ଧୋଇବା ଆଦି ନିୟମର ପାଳନକୁ କଡ଼ାକଡ଼ି କରିବାର ଆବଶ୍ୟକତା ରହିଛି।

ମହାମାରୀ ଯାଇନାହିଁ ଆମ ଆଖପାଖରେ ବୁଲୁଛି ବୋଲି କହିଛନ୍ତି ଡବ୍ଲୁଏଚଓର ଦକ୍ଷିଣପୂର୍ବ ଏସିଆ କ୍ଷେତ୍ରୀୟ ନିର୍ଦେଶକ ପୁନମ କ୍ଷେତ୍ରପାଳ ସିଂହ। ଏହା ସହ ସେ ଟିକାକରଣ ଉପରେ ଜୋର ଦେଇ କହିଛନ୍ତି, ଅଧିକରୁ ଅଧିକ ସ୍ବାସ୍ଥ୍ୟକର୍ମୀ, କମ୍‌ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକଙ୍କୁ ଖୁବଶୀଘ୍ର ଟିକା ଦେବା ଦରକାର। ଏହା ସହ କରୋନା ନିୟମ ପାଳନକୁ କଡ଼ାକଡ଼ି କରିବାକୁ ସେ ପରାମର୍ଶ ମଧ୍ୟ ଦେଇଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.