ନନ୍ଦନକାନନରେ ଧଳା ମହାବଳ ବାଘ 'ସମ୍ରାଟ' ଅସୁସ୍ଥ

Published By : Prameya-News7 Bureau | June 27, 2019 IST

ଭୁବନେଶ୍ବର ୨୭|୬: ନନ୍ଦନକାନନରେ ଥିବା ଧଳା ମହାବଳ ବାଘ ‘ସମ୍ରାଟ’ ଅସୁସ୍ଥ । ୨ ମାସ ହେବ ଛୋଟେଇ ଚାଲୁଛି ‘ସମ୍ରାଟ’ । ଚିକିତ୍ସା ପରେ ମଧ୍ୟ ତାର ସ୍ବାସ୍ଥ୍ୟରେ ସୁଧାର ନ ଆସିବାରୁ ଆଜି କ୍ବାରେଣ୍ଟାଇନକୁ ଆସିବ।

ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୩୩ ‘କ’ ଖୁଆଡ଼ରେ ରହୁଥିବା ଧଳା ମହାବଳ ବାଘ ‘ସମ୍ରାଟ’ ଦୁଇ ମାସ ହେଲା ଶାରୀରିକ ଓ ମାନସିକ ଅସୁସ୍ଥ ଥିବା ଜଣାଯାଇଛି । ସେ ଡାହାଣ ପାଖ ପଛ ଗୋଡ଼ରେ ଛୋଟେଇ ଛୋଟେଇ ଚାଲୁଥିବା ବେଳେ ତା’ ମନ ସବୁବେଳେ ନିରାଶ ରହୁଛି। ବୈଷୟିକ କମିଟିର ପରାମର୍ଶ କ୍ରମେ ଯେତେ ଚିକିତ୍ସା କଲେ ମଧ୍ୟ ତା’ର ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସୁନାହିଁ ।

ପ୍ରଥମେ ପାଦରେ ଗୋଡ଼ି ରଗଡ଼ି ହୋଇଥିବା ଅନୁମାନ କରି ଚିକିତ୍ସା କରାଯାଇଥିଲା । ଭଲ ନ ହେବାରୁ ଆଶଙ୍କା କରାଯାଇଥିଲା, ଶରୀରର ଓଜନ ବୃଦ୍ଧି ହୋଇ ମେଦବହୁଳତା ହେତୁ ଗୋଡ଼ ଓଜନଭାର ସମ୍ଭାଳି ପାରୁନାହିଁ। ସେଥିଲାଗି ତା’ର ଖାଦ୍ୟ ପରିମାଣକୁ ନିୟନ୍ତ୍ରଣ କରାଯିବା ସହ ମେଦବହୁଳତା କମାଇବା ପାଇଁ ଚିକିତ୍ସା କରାଯାଇଥିଲା। ତଥାପି ଅବସ୍ଥାରେ ସୁଧାର ଆସିନଥିଲା। ଏବେ ତା’ର ସ୍ନାୟୁଗତ ସମସ୍ୟା ଥିବା ଅନୁମାନରେ ଚିକିତ୍ସା ଆରମ୍ଭ କରାଯାଇଛି।

ତେବେ ଛୋଟେଇବାର ପ୍ରକୃତ କାରଣ ଜାଣିବା ପାଇଁ ବୈଷୟିକ କମିଟି ତା’ର ଆଧୁନିକ ପ୍ରଣାଳୀରେ ଯାଞ୍ଚ କରି ଚିକିତ୍ସା କରିବାକୁ ସ୍ଥିର କରିଛି। ଆଜି ବୈଷୟିକ କମିଟିର ସଦସ୍ୟମାନେ ସମ୍ରାଟର ସ୍ବାସ୍ଥ୍ୟ ଯାଞ୍ଚ କରିବାକୁ ଆସୁଛନ୍ତି। ସମ୍ରାଟକୁ ଟ୍ରାଙ୍କୁଲାଇଜ୍ କରି ନିଶ୍ଚେତ କରିବା ପରେ ପ୍ରାଣୀ ଚିକିତ୍ସା କେନ୍ଦ୍ରର କ୍ବାରେଣ୍ଟାଇନ୍ କୁ ଯାଞ୍ଚ ଲାଗି ଅଣାଯିବ। ସେଠାରେ ତା’ ଏକ୍ସରେ’ ଓ ଅଲଟ୍ରାସାଉଣ୍ଡ କରାଯିବା ପରେ ଖୁଆଡ଼କୁ ଫେରାଇ ନିଆଯିବାକୁ କର୍ତ୍ତୃପକ୍ଷ ଯୋଜନା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.