ଛକ ଛକରେ ଚାଲିଛି ଧଳା ଜହର କାରବାର: ଡେରିରେ ହେଲେ ବି କମିଶନରେଟ୍‍ ପୋଲିସ୍‌ର ପଶିଲା ଚେତା

Published By : Prameya-News7 Bureau | June 12, 2020 IST

ଭୁବନେଶ୍ୱର,୧୨/୦୬: ପୂରା ରାଜଧାନୀକୁ ଗିଳି ସାରିଲାଣି ବ୍ରାଉନ୍‍ସୁଗର (ଧଳାଜହର) ବିଷ । ବହୁ ଶିକ୍ଷିତ ଓ ଅର୍ଦ୍ଧଶିକ୍ଷିତ ଯୁବପିଢ଼ି ଏବେ ଏହା କବଳରେ । ତେବେ ଡେରିରେ ଚେଇଁଛି କମିଶନରେଟ୍‍ ପୁଲିସ । ଗତ କିଛି ମାସ ଭିତରେ କମିଶନରେଟ୍‍ ପୁଲିସ ରାଜଧାନୀର ବିଭିନ୍ନ ସ୍ଥାନରେ ଚଢ଼ଉ କରି କିଛି କୁଜି ବେପାରୀଙ୍କୁ ଗିରଫ କରିଛି । ଆଜି ମଧ୍ୟ ପୁଲିସ୍‌ ରାଜଧାନୀରୁ ୨ ନିଶା ମାଫିଆଙ୍କୁ ଧରିଛି । ହେଲେ ସେମାନଙ୍କ ଠାରୁ କିଛି ଗ୍ରାମ୍‍ ହିସାବରେ ଏହି ପାଉଡର ଜବତ ହୋଇଛି । ରାଜଧାନୀକୁ କେଜି କେଜି ଯୋଗାଇ ଆସୁଥିବା ଗୋଟିଏ ବି ବଡ଼ ବେପାରୀଙ୍କ ଟେର୍‍ ପାଉନାହିଁ କମିଶନରେଟ୍‌ ପୁଲିସ ।

ଲକ୍ଷ୍ମୀସାଗର ଥାନା ଅଧୀନ ହଳଦୀପଡ଼ିଆ ବସ୍ତି ହେଉଛି ଏହି ବିଷ ବେପାରର କେନ୍ଦ୍ରସ୍ଥଳ । ଏହି ବସ୍ତିରେ ମହିଳାଙ୍କଠାରୁ ଆରମ୍ଭ କରି ଯୁବତୀମାନେ ବି ଧଳାଜହର ବିଷ ପୁଡ଼ିଆ ଅଣ୍ଟାରେ ଧରି ବୁଲନ୍ତି ଓ ନିଶାଡ଼ିଙ୍କୁ ଯୋଗାଇ ଦିଅନ୍ତି । ଲକ୍ଷ୍ମୀସାଗର ଥାନା ପୁଲିସଠାରୁ ଆରମ୍ଭ କରି ଅବକାରୀ ବିଭାଗ ପର୍ଯ୍ୟନ୍ତ କେହି ବି ସେମାନଙ୍କୁ ଗିରଫ କରନ୍ତି ନାହିଁ । ତେଣୁ ଦିନକୁ ଦିନ ସେମାନଙ୍କ ବେପାର ବଢ଼ି ବଢ଼ି ଚାଲିଛି । ହଳଦୀପଡ଼ିଆରୁ ପୁରୁଣା ଭୁବନେଶ୍ୱର, ମଞ୍ଚେଶ୍ୱର, ଖଣ୍ଡଗିରି, ଧର୍ମବିହାର, ଘାଟିକିଆ, ପଟିଆ, ସାଲିଆସାହି, ତମାଣ୍ଡୋ ଓ ଶେଷରେ ଚେର ଲମ୍ୱି ଯାଇଛି ଖୋର୍ଦ୍ଧା ପର୍ଯ୍ୟନ୍ତ । ନେଡ଼ିଗୁଡ଼ କହୁଣୀକୁ ବୋହିଗଲା ପରେ ଏବେ କମିଶନରେଟ୍‍ ପୁଲିସର ଚେତା ପଶିଛି । ଗତ କିଛି ଦିନ ହେଲା ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଳ୍ପ ସଂଖ୍ୟକ ବେପାରୀଙ୍କୁ ଗିରଫ କରିଛି । ମାତ୍ର ସେମାନେ ସବୁ କୁଜି ଅର୍ଥାତ୍‌ ଛୋଟ ବେପାରୀ । ବାସ୍ତବ କଥା ହେଲା ଏଯାଏ କୌଣସି ବଡ଼ ବେପାରୀ କମିଶନରେଟ୍‌ ପୁଲିସ ହାତରେ ଲାଗି ନାହାନ୍ତି ।

କମିଶନରେଟ୍‍ ପୁଲିସର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବ୍ରାଉନ୍‍ସୁଗର ମୁଖ୍ୟତଃ ବାଲାଂଦେଶରୁ କୋଲକାତା ଦେଇ ଓଡ଼ିଶାକୁ ଆସୁଛି । କୋଲକାତାରୁ ଜଳେଶ୍ୱର ଓ ସେଠାରୁ ରାଜଧାନୀକୁ ଚାଲାଣ ହେଉଛି । ରାଜଧାନୀର ପ୍ରତି ଗଳିକନ୍ଦିରେ ବର୍ତ୍ତମାନ ବ୍ରାଉନ୍‌ସୁଗର ଅବାଧରେ ବିକ୍ରି ହେଉଛି । ଏମିତିକି ରାଜଧାନୀ ଡେଇଁ ଏହି ବିଷ ଏବେ ଏହାର ଉପକଣ୍ଠକୁ ଗିଳି ସାରିଲାଣି ।

ବାଲେଶ୍ୱର ପରେ ଏବେ ଖୋର୍ଦ୍ଧା

କୁହାଯାଏ ଓଡ଼ିଶାରେ ବାଲେଶ୍ୱର ହେଉଛି ବ୍ରାଉନସୁଗର କାରବାରର ପେଣ୍ଠସ୍ଥଳି । ବାଂଲାଦେଶରୁ ଧଳାଜହର କୋଲକାତାକୁ ଆସୁଛି । ସେଠାରୁ ବାଲେଶ୍ୱରକୁ । ସେଠାରୁ ଓଡ଼ିଶାର ସବୁ ଜିଲ୍ଲାକୁ ଚାଲାଣ ହେଉଛି । ବାଲେଶ୍ୱର ସଙ୍ଗେ ତାଳ ଦେଇ ଏବେ ଖୋର୍ଦ୍ଧା ପାଲଟିଛି ବ୍ରାଉନ୍‌ସୁଗରର ପେଣ୍ଠ । ଖୋର୍ଦ୍ଧାର ନିଶା ମାଫିଆ ଛୋଟା ଓରଫ ଶୁଭ୍ରାଂଶୁ ପରିଡ଼ା ସିଧା କୋଲକାତାରୁ ବ୍ରାଉନ୍‌ସୁଗର ଆଣି ପୂର୍ବ ଓଡ଼ିଶାକୁ ଯୋଗାଉ ଥିଲା । ଏହି ବେପାର ପାଇଁ ସେ ୫୦ ଜଣ ପିଲାଙ୍କୁ ଦରମା ଦେଇ ରଖିଥିଲା । ପୁଲିସ ଓ ଅବକାରୀ ବିଭାଗ କର୍ମଚାରୀଙ୍କୁ ମୋଟା ଅଙ୍କର ଟଙ୍କା ଦେଇ ସେ ବେଧଡ଼କ କାରବାର କରୁଥିଲା । ତେବେ ଛୋଟା ଗିରଫ ହେବା ପରେ ଖୋର୍ଦ୍ଧାର ବାପି ମଙ୍ଗରାଜ ଏହି ନିଶା ସାମ୍ରାଜ୍ୟର ଡନ୍‌ ବନି ଯାଇଛି । ରାଜଧାନୀକୁ ବ୍ରାଉନ୍‌ସୁଗର ଚାଲାଣ କରୁଥିବା ବେଳେ ଗତ ୨ ତାରିଖରେ ଏସ୍‌ଟିଏଫ୍‌ ବାପିର ଦୁଇ ସହଯୋଗୀଙ୍କୁ ଗିରଫ କରିବା ସହ କୋଟିଏ ଟଙ୍କାର ବ୍ରାଉନ୍‌ସୁଗର ଜବତ କରିଥିଲା । ତେବେ ଚକ୍‌ମା ଦେଇ ବାପି ମଙ୍ଗରାଜ ଖସିଯିବାରେ ସକ୍ଷମ ହୋଇଥିଲା । ତଥାପି ଛୋଟା ଓ ବାପିଙ୍କ ପିଲାମାନେ ଚଳାଇଛନ୍ତି ବେଧଡ଼କ କାରବାର ।

ଏସ୍‌ଟିଏଫ୍‌ ଧରୁଛିି, ଥାନା ପୁଲିସ ପାରୁନି?
କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌ ଟିମ୍‌ ଗତ ୨ ତାରିଖରେ ତମାଣ୍ଡୋ ଅଞ୍ଚଳରୁ ୧ କେଜି ୧୨ ଗ୍ରାମ୍‌ ଧଳାଜହର ଜବତ କରିବା ସହ ୨ ଜଣ ନିଶା ମାଫିଆଙ୍କୁ ଗିରଫ କରିଥିଲା । ଗିରଫ ଦୁଇ ବେପାରୀ ହେଲେ ଖୋର୍ଦ୍ଧା ଜଙ୍କିଆର ଅଜୟ ମହାପାତ୍ର ଓ ବେଗୁନିଆର ବିଭୂତି ଭୂଷଣ ଜେନା । ଜାନୁଆରୀ ୧ ତାରିଖରୁ ଏ ପର୍ଯ୍ୟନ୍ତ ଏସ୍‌ଟିଏଫ୍‌ ୭ କେଜି ୭୬୮ ଗ୍ରାମ୍‌ ବ୍ରାଉନ୍‌ସୁଗର ଜବତ କରିଛି । ଯାହାର ମୂଲ୍ୟ ୮ କୋଟି ଟଙ୍କା ହେବ । ଏଥିସହ ୩୬ରୁ ଅଧିକ ନିଶା ମାଫିଆଙ୍କୁ ଗିରଫ କରି ଜେଲ୍‌ ପଠାଇଲାଣି । ହେଲେ ଥାନା ପୁଲିସ କେବଳ କୁଜି ବେପାରୀଙ୍କୁ ଧରୁଛି । କିନ୍ତୁ ବଡ଼ ନିଶା ମାଫିଆଙ୍କୁ କାହିଁକି ଧରିପାରୁନି ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି । ବଡ଼ ବେପାରୀଙ୍କ ଠାରୁ ମାସିକିଆ ମୋଟା ଅଙ୍କର ଟଙ୍କା ନେଇ ସେମାନଙ୍କୁ ଧରୁ ନଥିବା ଚର୍ଚ୍ଚା ହେଉଛି । ଅବକାରୀ ବିଭାଗ ମଧ୍ୟ କେବଳ କୁଜି ବେପାରୀଙ୍କୁ ଧରୁଛି । ଏ ପର୍ଯ୍ୟନ୍ତ ବଡ଼ ବେପାରୀଙ୍କ ନିକଟରେ ପହଞ୍ଚି ପାରିନି ।

ଲକ୍‌ଡାଉନ୍‌ରେ ପାର୍କ ପାଲଟିଛି ପେଣ୍ଠସ୍ଥଳୀ
ଲକ୍‌ଡାଉନ୍‌ରେ ରାଜଧାନୀର ବିଭିନ୍ନ ପାର୍କ, ଖେଳପଡି଼ଆ ଫାଙ୍କା ପଡୁଛି । ଏମିତି ମାହୋଲ ଧଳଜହର ବେପାରୀଙ୍କୁ ବେଶ୍‌ ସୁହାଇଛି । ସେଠାରେ ଏମାନେ ଲୁଚାଛପାରେ ନୁହେଁ, ଖୁଲ୍‌ମଖୁଲା ବେପାର କରୁଛନ୍ତି । ବ୍ରାଉନ୍‌ସୁଗର ବିକିବା ପାଇଁ ନିଶାଖୋର୍‌ ମାନଙ୍କୁ ପାର୍କକୁ ଡକାଉଛନ୍ତି । ଏମିତିକି ବ୍ରାଉନ୍‌ସୁଗର କିଣିବା ବାବଦରେ ଡିଲ୍‌ ବି ପାର୍କରେ ହେଉଛି । ମାଫିଆଙ୍କ ସହ ସେଠାରେ ମୂଲଚାଲ ଚାଲୁଛି । ଆଜି ମୁକ୍ତେଶ୍ୱର ପାର୍କରୁ ୨ ବେପାରି ଧରା ପଡି଼ଛନ୍ତି । ସାଲିଆ ସାହିର ହାତିଆଶୁଣି ପଡ଼ିଆରେ, ଚନ୍ଦ୍ରଶେଖରପୁର ଅଞ୍ଚଳରେ ବୁଦ୍ଧ ପାର୍କ, ଜନତା ମଇଦାନ ନିକଟ ଗାନ୍ଧି ପାର୍କ ସହ ଶିଖରଚଣ୍ଡୀ ଖୋଲା ପାହାଡ଼ରେ ନିଶା କାରବାର ଜମୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.