କୋଭିସିଲ୍ଡର କାର୍ଯ୍ୟକ୍ଷମ ସମୟ ଅବଦ୍ଧି ପରିବର୍ତ୍ତନ ପାଇଁ ମନା କଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

Published By : Prameya-News7 Bureau | April 09, 2021 IST

ନୂଆଦିଲ୍ଲୀ, ୦୯/୦୪:  ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଭାକସିନର ସେଲଫ୍ ଲାଇଫ୍ ବା କାର୍ଯ୍ୟକ୍ଷମ ସମୟ ଅବଦ୍ଧି ବଢାଇବା ପାଇଁ ଆବେଦନକୁ ଖାରଜ କରିଦେଇଛି । ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବା ଡବ୍ଲ୍ୟୁଏଚଓ କହିଛି ଯେ, କମ୍ପାନୀ ଦିଆଯାଇଥିବା ତଥ୍ୟ ପର୍ଯ୍ୟାପ୍ତ ନୁହେଁ । ସୂଚନାଯୋଗ୍ୟ ସେରମ୍ କିଛି ଦିନ ପୂର୍ବରୁ ସେଲଫ୍ ଲାଇଫକୁ ୬ ମାସରୁ ୯ ମାସକୁ ବୃଦ୍ଧି ପାଇଁ ଆବେଦନ କରିଥିଲା ।

ସେଲଫ୍ ଲାଇଫ୍ କଣ

କୌଣସି ଭାକସିନର ପ୍ରସ୍ତୁତି ସମୟଠୁ ବ୍ୟବହାର କରାଯାଉଥିବା ସମୟର ଶେଷ ଦିନକୁ ସେଲଫ୍ ଲାଇଫ୍ କୁହାଯାଏ । ସାଧାରଣ ଶବ୍ଦରେ ଏହାକୁ ଭାକସିନର ଏକ୍ସପାଏରୀ ଡେଟ୍ କୁହାଯାଏ । ଏହି ଅବଦ୍ଧି ପରେ ଭାକସିନକୁ ଆଉ ବ୍ୟବହାର କରାଯିବ ନାହିଁ । ଏନେଇ ଆଲୋଚନା କରିବାକୁ ଡବ୍ଲ୍ୟୁଏଚଓ ଡିସିଜିଆଇ ସହ ମଧ୍ୟ ବୈଠକରେ ଭାଗ ନେଇଥିଲା ।

ଭାରତ ପୂର୍ବରୁ ସେଲଫ୍ ଲାଇଫ୍ ବଢାଇବା ପାଇଁ ଦେଇଛି ମଞ୍ଜୁରୀ

ଭାରତରେ ଡିସିଜିଆଇ ପୂର୍ବରୁ କୋଭିସିଲ୍ଡର ସେଲଫ୍ ଲାଇଫକୁ ୬ରୁ ୯ ମାସ ଯାଏଁ ବଢାଇ ଦେଇସାରିଛି । ଫେବ୍ରୁଆରୀରେ ପୁଣେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ଚିଠି ଲେଖି ଡିସିଜିଆଇ କହିଥିଲା ଯେ, କୋଭିସିଲ୍ଡ ଭାକସିନର ସେଲଫ୍ ଲାଇଫକୁ ୯ ମାସ ଯାଏଁ ବଢାଇବାକୁ କୌଣସି ଆପତ୍ତି ନାହିଁ । ଏହି ସେଲଫ୍ ଲାଇଫ୍ ଭାକସିନର ମଲଟି ଡୋଜ୍ ଗ୍ଲାସ୍ ସିସି(୧୦ ଡୋଜ୍-୫ ମିଲି) ଉପରେ ଲାଗୁ ହେବ ।

ଡ୍ରଗସ୍ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆର ଡାକ୍ତର ବିଜି ସୋମାନୀ କହିଛନ୍ତି ଯେ, ଭାକସିନର ସେଲଫ୍ ଲାଇଫକୁ ୯ ମାସ ଯାଏଁ ବୃଦ୍ଧି କରାଯାଇପାରିବ । ଏହି ନିଷ୍ପତ୍ତି ଦ୍ୱାରା ହସ୍ପିଟାଲରେ ଖରାପ ହେଉଥିବା ଭାକସିନର ପରିମାଣ ହ୍ରାସ ପାଇବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.