Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏକଛତ୍ରବାଦ ଶାସକ କିମଙ୍କ ଅଜବ ଆଦେଶ, ଚୀନ ସୀମାରେ ଯାହାକୁ ଦେଖିଲେ ଗୁଳି କର

29/08/2020 at 8:44 PM

ପ୍ୟୋଙ୍ଗୟଙ୍ଗ ୨୯।୦୮: ସମଗ୍ର ଦୁନିଆର ଦେଶ କରୋନା ସଂକ୍ରମଣ ନେଇ ଅସ୍ତବ୍ୟସ୍ତ  ହୋଇ ପଡିଛନ୍ତି। ଦେଶଗୁଡିକର ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି। ନିଜ ନିଜର ସାଧ୍ୟମତେ କରୋନା ଚିକିତ୍ସାରେ ଲାଗି ପଡିଛନ୍ତି। ଅନ୍ୟପଟେ ଉତ୍ତର କୋରିଆର ଏକ ଛତ୍ରବାଦ ଶାସକ କିମ ଜୋଙ୍ଗ ଉନ କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ଅଜବ ଆଦେଶ ଜାରି କରିଛନ୍ତି। ବୋଧହୁଏ ଏହି କାରଣରୁ ଉତ୍ତର କୋରିଆକୁ ଏ ପର୍ଯ୍ୟନ୍ତ ଏକ ମାତ୍ର ଦେଶ କୁହାଯାଉଛି ଯେଉଁଠି କରୋନା ସଂକ୍ରମଣର ଅଧିକ ପ୍ରଭାବ ଦେଖିବାକୁ ମିଳିନାହିଁ। ଏବେ ଏକଛତ୍ରବାଦ ଶାସକଙ୍କ ନୂତନ ନିଷ୍ପତ୍ତିରେ ଲୋକ ବିଚଳିତ ହୋଇ ପଡିଛନ୍ତି।

ଏହା ପୂର୍ବରୁ ମଧ୍ୟ ଏକ ଛତ୍ରବାଦ ନିଜର କଠୋର ନିଷ୍ପତ୍ତି ପାଇଁ ଦୁନିଆରେ ବେଶ୍ ପରିଚିତ। ଏଥର ଏକଛତ୍ରବାଦ ଆଦେଶ ଦେଇଛନ୍ତି ଯେ ଉତ୍ତର କୋରିଆର ଯେ କୌଣସି ବ୍ୟକ୍ତି ଚୀନ ସୀମାର ଏକ କିଲୋମିଟର ପରିଧିରେ ବିନା ଉଦ୍ଦେଶ୍ୟରେ ବୁଲୁଥିବା ଦେଖିବାକୁ ମିଳେ ତେବେ ତାଙ୍କୁ ଗୁଳି କର।

କିମ୍‌ଙ୍କ ଏହି ଆଦେଶ ପରେ ପୂରା ଉତ୍ତର କୋରିଆର ଲୋକଙ୍କ ମଧ୍ୟରେ ଆତଙ୍କର ମାହୋଲ ଖେଳି ଯାଇଛି। ଯେଉଁ ୪ ରାଜ୍ୟର ସୀମା ଚୀନ ସହିତ ଲାଗି ରହିଛି ସେମାନେ ଏହି ନିଷ୍ପତ୍ତିରେ ଅଧିକ ହଇରାଣ ହେବେ। ଉତ୍ତର କୋରିଆର ସମାଚାର ଏଜେନ୍ସି କେସିଏନଏ ଅନୁଯାୟୀ କିମ ଜୋଙ୍ଗ ଉନ ନିଜ ଦେଶରେ କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଏହି ଆଦେଶ ଦେଇଛନ୍ତି। କାରଣ ଯେଉଁ ଚାରି ରାଜ୍ୟର ସୀମା ଚୀନ ସହିତ ଲାଗି ରହିଛି ସେଠାରେ କରୋନା ସଂକ୍ରମଣ ବ୍ୟାପିବାର ବିପଦ ଅଧିକ ରହିଛି। ଏହାକୁ ଦୃଷ୍ଟିରେ ରଖି କିମ ଜୋଙ୍ଗ ଉନ କଠୋର ଆଦେଶ ଜାରି କରିଛନ୍ତି।

ଉଲ୍ଲେଖନୀୟ ଉତ୍ତର କୋରିଆର ୧୪୨୦ କିଲୋମିଟର ସୀମା ଚୀନ ସହିତ ଲାଗି ରହିଛି। ଉତ୍ତର କୋରିଆର ଚାରି ରାଜ୍ୟ ଉତ୍ତର  ହେମୟୋଙ୍ଗ, ଉତ୍ତର ପ୍ୟୋଙ୍ଗାଗ, ଚଙ୍ଗାନ ଓ ରୟାଙ୍ଗଗଙ୍ଗ ଚୀନ ସୀମା ସହିତ ଲାଗି ରହିଛି। କରୋନା ଭାଇରସ ସଂକ୍ରମଣ ପରଠୁ ଚୀନ ସହ କୋରିଆର ସବୁ ପ୍ରକାରର କାରବାର ଏବଂ ପର୍ଯ୍ୟଟନ ସଂପୂର୍ଣ୍ଣ ବନ୍ଦ ରହିଛି। ଏହି କାରଣରୁ ଉତ୍ତର କୋରିଆରେ ଅଧିକ ସଂଖ୍ୟାରେ କରୋନା ସଂକ୍ରମଣ ଦେଖିବାକୁ ମିଳିନାହିଁ। ମାତ୍ର ଏବେ କିଛି ଦିନ ହୋଇଛି ସେଠାରେ ସଂକ୍ରମଣ ବୃଦ୍ଧି ପାଇଛି। ଏହାକୁ ଦେଖି ଏକ ଛତ୍ରବାଦଶାସକ କଠୋର ଆଭିମୁଖ୍ୟ ଆପଣେଇଛନ୍ତି।  ତେଣୁ ଚୀନ ସୀମାରେ ଲୋକଙ୍କୁ ଦେଖିବାକୁ ମିଳିଲେ ଗୁଳି କରିବାକୁ ଆଦେଶ ଦେଇଛନ୍ତି।

   Related Posts