ବର୍ଡର ପାର କରି ଆମେରିକା ଯାଉଥିବା ବାପ ଝିଅଙ୍କ ହୃଦୟ ବିଦାରକ ଫଟୋ …ଆଖିରେ ଆସିଯିବ ଲୁହ
27/06/2019 at 1:12 PM

ଆମେରିକା-ମେକ୍ସିକୋ ବର୍ଡରରୁ ପୁଣି ଥରେ ହୃଦୟ ବିଦାରକ ଫଟୋ ସାମ୍ନାକୁ ଆସିଛି। ଏଠାରେ ଜଣେ ବାପା ତା ଝିଅକୁ ପିଠିରେ ଉଠାଇ ପାଣିରେ ବୁଡି ଚାଲୁଥିବା ଓ ତାଙ୍କ ମୃତ ଶରୀରର ଫଟୋ ସାମ୍ନାକୁ ଆସିଛି। ବାପା କଷ୍ଟ କରୁଥିବାର ଫଟୋ ମଧ୍ୟ ଭାଇରାଲ ହେଉଛି। ଫଟୋରୁ ସ୍ପଷ୍ଟ ହୋଇଛି ଯେ, ବାପା କଷ୍ଟ କରି ଝିଅ ଓ ପରିବାରକୁ ଆମେରିକା ନେଇଯାଉଥିଲା।

ଫଟୋରେ ଥିବା ଉଭୟ ବାପା ଝିଅ ଅଲ୍ସଲ୍ୱାଡୋରର ବାସିନ୍ଦା। ଫଟୋରେ ଦେଖାଯାଇଛି ଯେ, ଝିଅ ତା ବାପାଙ୍କ ସାର୍ଟ ଭିତରେ ବନ୍ଧା ଯାଇଥିଲା ଓ ସେ ତା ବାପାଙ୍କୁ ଧରିଥିଲା। ଦୁହିଁଙ୍କ ମୃତ ଶରୀର ରିୟୋ ଗ୍ରାଣ୍ଡରେ ପଡିଥିଲା । ଏହି ସ୍ଥାନ ଆମେରିକା ଓ ମେକ୍ସିକୋ ବର୍ଡରେ ଅଛି। ସୋସିଆଲ ମିଡିଆରେ ଏହି ଫଟୋ ସେୟାର କରାଯାଉଛି। ରିପୋର୍ଟ ଅନୁସାରେ ବାପାଙ୍କ ନାଁ ଓସ୍କାର ଏଲବର୍ଟ ମାର୍ଟିନେଜ ରାମିରେଜ ଓ ଝିଅ ନାଁ ୱାଲେରିଆ କୁହାଯାଇଛି।
ମେକ୍ସିକୋର ଖବରକାଗଜରେ ଏହି ମୃତ ବାପା ଝିଅଙ୍କ ଫଟୋ ଲଗାତାର ଛପା ଯାଉଥିଲା। ଫଟୋ ଛାପିବାର ଅନେକ ଦିନ ପରେ ମୃତ ଦେହ ଉଦ୍ଧାର କରାଯାଇଥିଲା। ସୂଚନାଯୋଗ୍ୟ ଯେ, ଏଲବର୍ଟ ମାର୍ଟିନେଜ ନିଜର ସ୍ତ୍ରୀ ଏବଂ ଝିଅ ସହ ଆମେରିକାରେ ବସବାସ କରିବା ପାଇଁ ଚାହୁଁଥିଲେ । କିନ୍ତୁ ସେ ଏଥିପାଇଁ ଅନୁମତି ନେଇପାରିନଥିଲେ ।

ଏଥିପାଇଁ ନିଜ ପରିବାରକୁ ନେଇ ସେ ମେକ୍ସିକୋରୁ ଆମେରିକା ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ପୂରା ପରିବାର ଅନେକ ଦୂର ଯାତ୍ରା କରିଥିଲେ। ନଦୀ ପାଖରେ ପହଞ୍ଚିବା ପରେ ସେ ପ୍ରଥମେ ଝିଅକୁ କୂଳରେ ବସାଇ ସ୍ତ୍ରୀଙ୍କୁ ଅନ୍ୟପଟୁ ଆଣିବାକୁ ଯାଇଥିଲେ। ସେହି ସମୟରେ ଝିଅ ପାଣିରେ ପଡିଯାଇଥିଲା ଓ ରାମିରେଜ ତାକୁ ରକ୍ଷା କରିପାରିଲେ ନାହିଁ। ନଦୀର ଢେଉ ପ୍ରଭାବରେ ଉଭୟ ବାପା ଝିଅ ବୁଡିଯାଇଥିଲେ। ରାମିରେଜଙ୍କ ସ୍ତ୍ରୀ କହିଥିଲେ ଯେ, ଝିଅ ପଡିବା ପରେ ତାକୁ ବଞ୍ଚାଇବା ପାଇଁ ତାଙ୍କ ସ୍ବାମୀ ମଧ୍ୟ ଡେଇଁପଡିଲେ।
ସେ ତାଙ୍କ ସ୍ବାମୀଙ୍କୁ ଅନେକ ଥର ମନା କରିବା ସତ୍ତ୍ବେ ମାର୍ଟିନେଜ ଆମେରିକା ଯିବାର ଜିଦ୍ ଛାଡିନଥିଲେ। କାରଣ ମାର୍ଟିନେଜ ପୂରା ପରିବାର ସହ ଆମେରିକାରେ ବାସ କରି ଅଧିକ ଟଙ୍କା ଆୟ କରିବାକୁ ଚାହୁଁଥିଲେ। ରିୟୋ ଗ୍ରାଣ୍ଡରୁ ଆମେରିକା ମେକ୍ସିକୋ ବର୍ଡର ପାଖାପାଖି ୨୦୦୦ ମାଇଲ । ଏହି ବର୍ଡରକୁ ପାର କରିବା କିଛି ଛୋଟ କଥା ନୁହଁ। ଏହା ପାର କରି ଆମେରିକା ଯିବା ଭୟଙ୍କର ହୋଇଥିଲେ ମଧ୍ୟ ଲୋକେ ଯିବା ପାଇଁ ଏହି ରାସ୍ତା ବାଛନ୍ତି।ଗତ ବର୍ଷ ଏହି ରାସ୍ତାରେ ଯାଇଥିବା ୨୮୩ ଲୋକଙ୍କ ମୃତ୍ୟୁ ହୋଇଛି। ଅଲ ସଲ୍ୱାଡୋରର ବିଦେଶ ମନ୍ତ୍ରାଳୟ କହିଛନ୍ତି ଯେ, ଏହି ଘଟଣା ନେଇ ରାଷ୍ଟ୍ରପତି ଦୁଃଖ ପ୍ରକାଶ କରିଛନ୍ତି। କାରଣ ଗତ ୨ ସପ୍ତାହ ତଳେ ଅଧିକ ଗରମ ଯୋଗୁଁ ଜଣେ ମହିଳା, ୨ ଜଣ ଶିଶୁ ଓ ନବଜାତ ଶିଶୁର ମୃତ୍ୟୁ ହୋଇଛି। ଏଥିମଧ୍ୟରୁ ଜଣେ ଶିଶୁ ଭାରତୀୟ ଥିଲେ।