ସୋସିଆଲ ମିଡିଆରେ ଆଧାର କାର୍ଡ ସଂଯୋଗ ମାମଲା: ୨୦୨୦ ମସିହା ଜାନୁଆରି ମାସରେ ସୁପ୍ରିମ କୋର୍ଟ ପ୍ରଦାନ କରିବେ ରାୟ
22/10/2019 at 6:39 PM

ନୂଆଦିଲ୍ଲୀ୨୨|୧୦: ବର୍ତ୍ତମାନ ସମୟରେ ଅଧିକ ମାତ୍ରାରେ ସୋସିଆଲ ମିଡିଆର ବ୍ୟବହାର ହେଉଛି। ଏଥିସହ ସୋସିଆଲ ମିଡିଆ ପ୍ଲାଟଫର୍ମରେ ୟୁଜର୍ସ ଦେଶ ବିରୋଧରେ କଟେଣ୍ଟ ପୋଷ୍ଟ କରୁଛନ୍ତି। ଏଥିଲାଗି ସୋସିଆଲ ମିଡିଆ ସହ ଆଧାର କାର୍ଡ ଲିଙ୍କ୍ ନେଇ ଦାବି ହୋଇଥିଲା। ସୋସିଆଲ ମିଡିଆର ଅପ ବ୍ୟବହାର ରୋକିବା ପାଇଁ ସୁପ୍ରିମ କୋର୍ଟ ରାୟ ପ୍ରଦାନ କରିବେ। ୨୦୨୦ ମସିହା ଜାନୁଆରି ମାସ ପ୍ରଥମ ସପ୍ତାହରେ ସୁପ୍ରିମ କୋର୍ଟ ସୋସିଆଲ ମିଡିଆ ମାମଲା ଉପରେ ରାୟ ପ୍ରଦାନ କରିବେ। ସୋସିଆଲ ମିଡିଆରେ ଆଧାର କାର୍ଡ ଯୋଡିବା ପାଇଁ ମାଡ୍ରାସ୍, ମଧ୍ୟପ୍ରଦେଶ ଓ ବମ୍ବେ ହାଇକୋର୍ଟରେ ପିଟିସନ ଦାୟର କରାଯାଇଥିଲା।
ନୂଆ ବର୍ଷ ଆରମ୍ଭରୁ ସୋସିଆଲ ମିଡିଆର ଅପ ବ୍ୟବହାର କରୁଥିବା ୟୁଜର୍ସଙ୍କ ବିରୋଧରେ କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ସୋସିଆଲ ମିଡିଆର ଅପ ବ୍ୟବହାର ଉପରେ ରୋକ୍ ଲଗାଇବା ପାଇଁ ମିନିଷ୍ଟ୍ରି ଅଫ୍ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇନ୍ଫର୍ମେସନ (ଏମଇଆଇ) ସୁପ୍ରିମ୍ କୋର୍ଟରେ ସତ୍ୟପାଠ ଦାୟର କରିଥିଲେ। ସୋସିଆଲ ମିଡିଆର ଅପ ବ୍ୟବହାର ଓ ସୁରକ୍ଷିତ ସଂପର୍କରେ ସତ୍ୟପାଠରେ ଉଲ୍ଲେଖ ହୋଇଥିଲା। ଭାରତ ସରକାର ସତ୍ୟପାଠରେ ଉଲ୍ଲେଖ କରିଥିଲେ ଯେ ସୋସିଆଲ ମିଡିଆ ପ୍ଳାଟଫର୍ମ ଫେସବୁକ୍, ଇନଷ୍ଟାଗ୍ରାମ ଓ ଟୁଇଟରରେ ପୋଷ୍ଟ ହେଉଥିବା କଟେଣ୍ଟ ସଂପର୍କରେ ବିଚାର କରାଯିବ।
ସୂଚନାଯୋଗ୍ୟ ଯେ ଟେକ୍ନୋଲୋଜି ଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଦେଶର ବିକାଶରେ ଗୁରୁତ୍ବଭୂମିକା ନିର୍ବାହ କରୁଛି। ତେଣୁ ସୋସିଆଲ ମିଡିଆରେ ଫେକ୍ ପୋଷ୍ଟ ଓ ବିଭ୍ରାନ୍ତିକର ଖବର ପ୍ରସାରଣ କରିବାକୁ ବିରୋଧ କରାଯାଇଛି। ସୁପ୍ରିମ କୋର୍ଟର ଜଷ୍ଟିସ୍ ଦୀପକ ଗୁପ୍ତା ଓ ଅନିରୁଦ୍ଧ ବୋସ ତିନି ସପ୍ତାହ ମଧ୍ୟରେ ସୋସିଆଲ ମିଡିଆ ସଂପର୍କରେ ନୂଆ ଗାଇଡ୍ଲାଇନ୍ ଆଣିବା ପାଇଁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି।