ବିଜେପି ବିଧାୟକଙ୍କ ବିବାଦୀୟ ବୟାନ- ଯେଉଁଠି ଯେଉଁଠି ମନ୍ଦିର ଭାଙ୍ଗି ମସଜିଦ୍ ନିର୍ମାଣ ହୋଇଛି, ସେଠାରେ ବିଜେପି ପୁଣି ତିଆରି କରିବ ମନ୍ଦିର

Published By : Prameya-News7 Bureau | September 21, 2021 IST

ମେରଠ ୨୧।୦୯: ଉତ୍ତର ପ୍ରଦେଶରେ ଯେଉଁଠି ଯେଉଁଠି ମନ୍ଦିର ଭାଙ୍ଗି ମସଜିଦ୍ ନିର୍ମାଣ ହୋଇଛି, ସେଠାରେ ପୁଣି ଥରେ ମନ୍ଦିର ନିର୍ମାଣ କରିବ ବିଜେପି। ଏହା କହିଛନ୍ତି ୟୁପି ବିଜେପି ବିଧାୟକ ସଙ୍ଗୀତ ସୋମ। ଉତ୍ତର ପ୍ରଦେଶ ମେରଠର ସରଧନା ବିଜେପି ବିଧାୟକ ସଙ୍ଗୀତ ସୋମ ନିଜ ବୟାନକୁ ନେଇ ସର୍ବଦା ଚର୍ଚ୍ଚାରେ ଥାଆନ୍ତି। ଏବେ ପୁଣି ଥରେ ସଙ୍ଗୀତ ସୋମ ଏହି ବିବାଦୀୟ ବୟାନ ଦେଇଛନ୍ତି।

ସେ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଉତ୍ତର ପ୍ରଦେଶରେ ଯେଉଁଠି ଯେଉଁଠି ମନ୍ଦିର ଭଙ୍ଗାଯାଇ ମସଜିଦ ନିର୍ମାଣ କରାଯାଇଛି, ସେଠାରେ ବିଜେପି ପୁନର୍ବାର ମନ୍ଦିର ତିଆରି କରିବ। ସଙ୍ଗୀତ ସୋମ ସମାଜବାଦୀ ପାର୍ଟି ପ୍ରମୁଖ ଅଖିଳେଶ ଯାଦବଙ୍କୁ ଟାର୍ଗେଟ୍ କରି କହିଛନ୍ତି, ସେ ଜଣେ ଋତୁକାଳୀନ ହିନ୍ଦୁ। ନିଜ ସରକାରରେ ସନ୍ଥଙ୍କ ଉପରେ ଲାଠିଚାର୍ଜ କରିଥିବା ଲୋକେ ଏବେ ହରିଦ୍ଵାର ଯାଇ ସନ୍ଥଙ୍କୁ କ୍ଷମା ମାଗୁଛନ୍ତି।

ରାଜ୍ୟ ସରକାର ମଙ୍ଗଳବାର ରାଜ୍ୟରେ ବିଜେପି ସରକାରର ସାଢେ ଚାରି ବର୍ଷ ପୂର୍ତ୍ତି ଅବସରରେ ସମସ୍ତ ୪୦୩ ବିଧାନସଭାରେ ସରକାରଙ୍କ ଉପଲବ୍ଧି ଉପସ୍ଥାପନ କରିଛନ୍ତି। ମେରଠର ସରଧନା ଆସନର ବିଜେପି ବିଧାୟକ ସଙ୍ଗୀତ ସୋମ ମଧ୍ୟ ୧୫୦ ପୃଷ୍ଠାର ଚିଠି ଧରି ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ହେଲେ ଏହି ସମୟରେ ସେ ନିଜ ସରକାରର ଉପଲବ୍ଧି ବଖାଣୁ ବଖାଣୁ ବିବାଦୀୟ ବୟାନ  ଦେଇଛନ୍ତି। ବିଶେଷ କରି ସେ ଅଖିଳେଶ ଯାଦବଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ନିର୍ବାଚନ ପାଖେଇବା ମାତ୍ରେ ଲୋକେ ଋତୁକାଳୀନ ହିନ୍ଦୁ ହୋଇ ଯାଆନ୍ତି। ସପା ପ୍ରମୁଖ ଅଖିଳେଶ ଯାଦବ ତ ଭଗବାନ ବିଶ୍ଵ କର୍ମାଙ୍କ ମନ୍ଦିର ନିର୍ମାଣ ଘୋଷଣା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.