କେବେ ହେବ ମାନସିକ ବିକୃତଙ୍କ ପାଇଁ ଥଇଥାନ ବ୍ୟବସ୍ଥା ?

Published By : Prameya-News7 Bureau | May 19, 2022 IST

ରାଇରଙ୍ଗପୁର : ଗରିବଙ୍କ ପାଇଁ ସରକାରଙ୍କ କେତେ ଯୋଜନା । ହେଲେ ମାନସିକ ବିକୃତ ହୋଇ ବୁଲୁଥିବା ବ୍ୟକ୍ତିକୁ କିଏ ପଚାରେ । ନା ତାକୁ କିଏ ଖାଇବାକୁ ଦିଏ ନା ପିନ୍ଧିବାକୁ । ସେ କଣ ମଣିଷ ନୁହେଁ । ନା ତାର ବଞ୍ଚିବାର ଅଧିକାର ନାହିଁ । ରାଜ୍ୟରେ ଅନେକ ବ୍ୟକ୍ତି ବିଭିନ୍ନ ଅଞ୍ଚଳରେ ଏପରି ବୁଲୁଥାନ୍ତି । ଭୋକର ଜ୍ୱଳା ସମସ୍ତଙ୍କୁ ଗ୍ରାସ କରିଥାଏ । ସେ ମଣିଷ ହେଉ ବା ଜୀବଜନ୍ତୁ । ସୁସ୍ଥ ମଣିଷଟେ ସିନା କାମ ଧନ୍ଦା କରି ଖାଦ୍ୟ ଯୋଗାଡ଼ କରିନିଏ, ହେଲେ ମାନସିକ ସ୍ଥିତି ହରାଇଥିବା ବ୍ୟକ୍ତି କିପରି ଚିନ୍ତା କରିବ ଯେ ସେ କାମ କରି ଖାଦ୍ୟ ଯୋଗାଡ଼ କରିବ । ସେଥିପାଇଁ ସେ ଏଣେତେଣେ ଘୁରି ବୁଲେ । କିଛି ମିଳିଲେ ତ ଖାଏ । ନଚେତ୍‌ ଉପାସ ରହେ । ଆଉ କିଛି ଡଷ୍ଟବିନ୍‌ରେ ପଡ଼ିଥିବା ଖାଦ୍ୟ ଖାଉ ଜୀବନ ବଞ୍ଚାଉଥିବା ମଧ୍ୟ ଆମେ ଦେଖିଛେ ।  

ସେହିପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପୌରପରିଷଦ ଅନ୍ତର୍ଗତ ୧୦ ନଂ ୱାର୍ଡରେ । ଯେଉଁଠି ଜଣେ ମାନସିକ ଭାରସାମ୍ୟ ହରାଇଥିବା ଯୁବକ କୁଢ଼ କୁଢ଼ ଅଳିଆ ଆବର୍ଜନା ରହିଥିବା ସ୍ଥାନରୁ ପଚାସଢା ଖାଦ୍ୟ ସଂଗ୍ରହ କରି ଖାଉଥିବା ଦେଖିବାକୁ ମିଳିଛି। ଏଭଳି ଲୋକଙ୍କ ପାଇଁ ମଧ୍ୟ ରହିଛି ସରକାରଙ୍କ ବିଭିନ୍ନ ଯୋଜନା। କିନ୍ତୁ ଏଠାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ।

ଆମେ କ‌ହୁଛୁ ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ୧୦ ନଂ ୱାର୍ଡ ଅଁଳାଡୁବାରେ ଘୁରି ବୁଲୁଥିବା ଜଣେ ମାନସିକ ବିକୃତ ଯୁବକର କଥା । ଅଁଳାଡୁବା ସ୍ଥିତ ବାଦାମୀବାଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୫୦ ମିଟର ଦୂରରେ ରହିଛି ପୌରପାଳିକାର ଓଳିଆ ଆବର୍ଜନା ଫିଙ୍ଗିବା ପାଇଁ ଉଦ୍ଧିଷ୍ଟ ଡଷ୍ଟବିନ। ଆଖପାଖ ଲୋକେ ଓଳିଆ ଆବର୍ଜନା ସହିତ ବାସି ଖାଦ୍ୟ ସବୁ ସେଠାରେ ଫୋପାଡି ଦେଇଥାନ୍ତି ।

ସେଠାକାର ଦୁର୍ଗନ୍ଧ ଯୁକ୍ତ ପରିବେଶରେ ଓଳିଆ ଆବର୍ଜନା ଫିଙ୍ଗିବାକୁ ମାସ୍କ ପିନ୍ଧି ଯିବାକୁ ପଡୁଥିବା ବେଳେ ଜଣେ ମାନସିକ ବିକୃତ ଯୁବକ ଭୋକର ଜ୍ଵଳାରେ ଡଷ୍ଟବିନ ସବୁ ଘାଣ୍ଟି ଘାଣ୍ଟି ଖାଦ୍ୟ ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି । ପଚା ଦୁର୍ଗନ୍ଧ ବାସ୍ନାରେ ଯେଉଁଠି ନାକ ଜଳି ଉଠେ ସେଠାରେ ମାନସିକ ବିକୃତ ଯୁବକଟି ଭୋକର ଜ୍ଵାଳା ସହି ନ ପାରି ପଚା ସଢା  ଖାଦ୍ୟ ସଂଗ୍ରହ କରି ଶାନ୍ତିରେ ଖାଇଯାଉଛି।

ତେବେ ଏ ପଚାସଢା ଖାଦ୍ୟ ଖାଇ କେତେବେଳେ ବି କୌଣସି ଅଘଟଣ ଘଟି ଯାଇପାରେ। ଏପରି ଅଭାବନୀୟ ଦୃଶ୍ୟ ମୁଖ୍ୟ ରାସ୍ତାକଡ଼ରେ ଦେଖିବାକୁ ମିଳିଥିଲେ ମଧ୍ୟ ରାଇରଙ୍ଗପୁର ପ୍ରଶାସନ କିମ୍ବା କାହାରି ବି ଦୃଷ୍ଟି ଏଥିପ୍ରତି ପଡ଼ି ପାରୁନାହିଁ । ଯାହାକି ଅଞ୍ଚଳ ପାଇଁ ଏକ ଲଜ୍ଜାର ବିଷୟ । ଯୁବକର ନାଁ, ଗାଁ ପଚାରିବାରୁ ସେ କିଛି କହି ପାରୁନଥିଲେ । ତେବେ ଉକ୍ତ ମାନସିକ ବିକୃତ ଯୁବକଙ୍କୁ ଠାବ କରି ଉପଯୁକ୍ତ ଚିକିତ୍ସା ଯୋଗାଇ ଦେଇ ତାକୁ ଥଇଥାନ କରିବାକୁ ସାଧାରଣରେ ଦାବି ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.