କେବେ ସମାପ୍ତ ହେବ ଭାରତ-ଚୀନ ଉତ୍ତେଜନା ? ଆସନ୍ତାକାଲି ମୋଲଡିରେ କୋର କମାଣ୍ଡରସ୍ତରୀୟ ବୈଠକ

Published By : Prameya-News7 Bureau | September 20, 2020 IST

ନୂଆଦିଲ୍ଲୀ ୨୦।୦୯: ପୂର୍ବ ଲଦାଖରେ ଭାରତ-ଚୀନ ମଧ୍ୟରେ ଗତ ଚାରି ମାସରୁ ଉର୍ଦ୍ଧ୍ଵ ସମୟ ହେବ ଉତ୍ତେଜାନ ଲାଗି ରହିଛି। ସୀମା ଗତିରୋଧ ମଧ୍ୟରେ ପୁଣି ଥରେ ଦୁଇ ପକ୍ଷ ମଧ୍ୟରେ ଆଲୋଚନା ହେବାକୁ ଯାଉଛି। ଦୁଇ ଦେଶ ମଧ୍ୟରେ କୋର କମାଣ୍ଡରସ୍ତରୀୟ ବାର୍ତ୍ତା ସୋମବାର ଏଲଏସିର ମୋଲଡିରେ ହେବାକୁ ଯାଉଛି। ଏହା ପୂର୍ବରୁ ସମସ୍ତ ଆଲୋଚନାରେ ଉତ୍ତେଜନା ହ୍ରାସ କରିବାକୁ ଦୁଇ ଦେଶ ଆଲୋଚନା କରି ସାରିଛନ୍ତି। ହେଲେ ଏ ପର୍ଯ୍ୟନ୍ତ ପୂର୍ବ ଲଦାଖରେ ସ୍ଥିତିରେ କୌଣସି ପରିବର୍ତ୍ତନ ଆସିନି।

ସରକାରୀ ସୂତ୍ର ଅନୁଯାୟୀ, ଭାରତ ଓ ଚୀନ ମଧ୍ୟରେ ସୋମବାର କୋର କମାଣ୍ଡରସ୍ତରୀୟ ବାର୍ତ୍ତା ପୂର୍ବ ଲଦାଖରେ ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି)ର ଚୀନ ଭାଗରେ ସ୍ଥିତ ମୋଲଡିରେ ଆୟୋଜିତ ହେବ। ଏହା ପୂର୍ବରୁ ଦୁଇ ପକ୍ଷ ପାଞ୍ଚ ଥର କୋର କମାଣ୍ଡରସ୍ତରୀୟ ଆଲୋଚନା କରି ସାରିଛନ୍ତି ଏବଂ ସୋମବାର ଷଷ୍ଠ ପର୍ଯ୍ୟାୟ ଆଲୋଚନା ହେବାକୁ ଯାଉଛି।

ପୂର୍ବ ଲଦାଖର ଗଲଓ୍ଵାନ ଉପତ୍ୟକାରେ ଜୁନ୍ ୧୫ ରାତିରେ ଚୀନ ସୈନିକ ସହିତ ରକ୍ତାକ୍ତ ସଂଘର୍ଷରେ ଭାରତର ୨୦ ଯବାନ ସହିଦ ହୋଇଥିବା ବେଳେ ଶତ୍ରୁ ଦେଶର ୪୩ରୁ ଅଧିକ ସୈନିକ ନିହତ ହୋଇଥିଲେ। ଏହି ଘଟଣା ପରଠୁ ଏଲଏସିରେ ଉତ୍ତେଜନା ଆହୁରି ବଢି ଯାଇଛି।

ଏହା ପୂର୍ବରୁ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା(ଏନଏସଏ) ଅଜିତ୍ ଡୋଭାଲ ଓ ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାଓ୍ଵତଙ୍କ ମଧ୍ୟରେ ଶୁକ୍ରବାର ଉଚ୍ଚସ୍ତରୀୟ ବୈଠକ ବସିଥିଲା। ବୈଠକରେ ଚୀନ ବିରୋଧରେ ରଣନୀତି ଓ ଏଜେଣ୍ଡା ଉପରେ ଆଲୋଚନା ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.