ପ୍ରସ୍ତୁତ ହୋଇ ଯାଆନ୍ତୁ କ୍ରିକେଟ୍ ପ୍ରେମୀ, ପୁଣି ଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ, ଥରେ କି ଦୁଇ ଥର ନୁହେଁ...

Published By : Prameya-News7 Bureau | November 08, 2021 IST

ନୂଆଦିଲ୍ଲୀ ୦୮।୧୧:  ଭାରତ ଓ ଚିର ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନ ମଧ୍ୟରେ କ୍ରିକେଟ୍‌ ମ୍ୟାଚ୍‌କୁ କ୍ରିକେଟ୍ ପ୍ରେମୀ ଚାତକ ପରି ଚାହିଁ ରହିଥିଲେ। ଟି-୨୦  ବିଶ୍ଵ କପରେ ଦୁଇ ଦଳ ମଧ୍ୟରେ ମୁକାବିଲା ବି ହେଲା। ହେଲେ  ଭାରତୀୟ ଦଳ ପାକିସ୍ତାନ ହାତରୁ ୧୦ ଓ୍ଵିକେଟ୍‌ର ଶୋଚନୀୟ ପରାଜୟ ଭୋଗିଲା। ପ୍ରଥମ ଥର ପାକିସ୍ତାନ ଭାରତକୁ ବିଶ୍ଵ କପ୍‌ରେ ହରାଇବାରେ ସଫଳ ହୋଇଛି। ଏବେ ପ୍ରଶଂସକ ପୁଣି ଥରେ ଦୁଇ ଦେଶ ମଧ୍ୟରେ ମୁକାବିଲା ଦେଖିବାକୁ ଚାହୁଁଛନ୍ତି।

ଭାରତୀୟ ଦଳ ୟୁଏଇରେ ଖେଳାଯାଉଥିବା ଟି-୨୦  ବିଶ୍ଵ କପ୍‌ରୁ ବିଦା ହୋଇ ସାରିଛି। ଗ୍ରୁପ-୨ରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ହାତରୁ ଅପ୍ରତ୍ୟାଶିତ ପରାଜୟ ଭୋଗି ସେମି ଫାଇନାଲ୍‌ରେ ପହଞ୍ଚି ପାରି ନାହିଁ। ଏଥିସହ ଟି-୨୦  ବିଶ୍ଵ କପ୍‌ର ଫାଇନାଲ୍ ମୁକାବିଲା ଭାରତ-ପାକିସ୍ତାନ ମଧ୍ୟରେ ହେବ  ବୋଲି ଯେଉଁ ଆଶା ଥିଲା ତାହା ମଧ୍ୟ ଧୂଳିସାତ ହୋଇ ସାରିଛି। ପୂର୍ବତନ ଦିଗଜ ଦ୍ରୁତ ବୋଲର ସୋଏବ ଅଖତର ଆଶା ରଖିଥିଲେ ଯେ, ଭାରତ ଓ ପାକିସ୍ତାନ ଫାଇନାଲ୍‌ରେ ମୁହାଁମୁହିଁ ହୁଅନ୍ତୁ। ମାତ୍ର ଏବେ ଏହା ଆଉ ସମ୍ଭବ ନୁହେଁ। ଭାରତ ଆଜି ନିଜର ଶେଷ ମ୍ୟାଚ୍‌ ନାମିବିୟା ସହ ଖେଳି ସ୍ଵଦେଶ ଫେରିବ। ଏହି ମ୍ୟାଚ୍  ବିରାଟ କୋହଲିଙ୍କ ପାଇଁ ଅଧିନାୟକ ଭାବେ ଶେଷ ଟି-୨୦ ମ୍ୟାଚ୍ ହେବ।

ହେଲେ ଆସନ୍ତା ବର୍ଷ ଅର୍ଥାତ ୨୦୨୨ରେ ଶ୍ରୀଲଙ୍କାରେ ଏସିଆ କପ୍ ଖେଳାଯିବ। ଭାରତ ଓ ପାକିସ୍ତାନ ଉଭୟ ଏହି ଟି-୨୦ ଟୁର୍ଣ୍ଣାମେଣ୍ଟ ଖେଳିବେ। ଏଥିରୁ ସ୍ପଷ୍ଟ ଯେ, ଦୁଇ ଦଳ ମଧ୍ୟରେ ମୁକାବିଲା ନିଶ୍ଚୟ ହେବ। ୧୯୮୩ରୁ ଖେଳାଯାଉଥିବା ଏସିଆ କପ୍‌ର ଆୟୋଜନ ଶେଷ ଥର ୨୦୧୮ରେ ହୋଇଥିଲା। ଭାରତ ଫାଇନାଲରେ ବାଂଲାଦେଶକୁ ହରାଇ ଟାଇଟଲ୍ ଜିତିଥିଲା। ଉକ୍ତ ଟୁର୍ଣ୍ଣାମେଣ୍ଟରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହୋଇଥିଲା। ହେଲେ ରୋହିତ ଶର୍ମାଙ୍କ ନେତୃତ୍ଵରେ ଭାରତ ପାକିସ୍ତାନକୁ ୯ ଓ୍ଵିକେଟ୍‌ରେ  ବିଜୟ ହାସଲ କରିଥିଲା।

ତା ପରଠୁ ଦୁଇ ବର୍ଷ ପରେ ଭାରତ ଓ ପାକିସ୍ତାନ ପୁଣିଥରେ ଏସିଆ କପ୍‌ରେ ମୁହାଁମୁହିଁ ହେବେ। ରିପୋର୍ଟ ଅନୁଯାୟୀ, ଭାରତୀୟ ଦଳ ୨୦୨୩ରେ ପାକିସ୍ତାନ ଗସ୍ତ କରିପାରେ। ଏସିଆ କ୍ରିକେଟ୍ ପରିଷଦର  ବୈଠକରେ ୨୦୨୩ରେ ହେବାକୁ ଥିବା ଏସିଆ କପର ଆୟୋଜନ ଦାୟିତ୍ଵ ପାକିସ୍ତାନକୁ ଦିଆଯାଇଛି। ଅପରପକ୍ଷେ ୨୦୨୩ରେ ବିଶ୍ଵ କପ୍‌ର ଆୟୋଜନ ଭାରତରେ ହେବାକୁ ଯାଉଛି। ଏମିତିରେ ପାକିସ୍ତାନ ଦଳ ଭାରତ ଗସ୍ତରେ ଆସିବ। ବିସିସିଆଇ ସଂପାଦକ ଜୟ ଶାହାଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ପାକିସ୍ତାନ ପୂର୍ବରୁ ସ୍ପଷ୍ଟ କରି ସାରିଛି ଯେ, ସେ ଘରୋଇ ମୁକାବିଲା ଏବେ କୌଣସି ନିରପେକ୍ଷ ସ୍ଥଳରେ ଆୟୋଜନ କରିବ ନାହିଁ। ପିସିବି ଓ ବିସିସିଆଇ ଦୁଇ ବୋର୍ଡ ଶୀଘ୍ର ଏହା ଉପରେ ନିଷ୍ପତ୍ତି ନେବେ ଏବଂ ଶୀଘ୍ର କାର୍ଯ୍ୟସୂଚୀ ଜାରି କରାଯିବ। ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ଵ କପ୍ ଖେଳାଯିବ। ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ପୁଣି ଥରେ ଦୁଇ ଚିର ପ୍ରତିଦ୍ଵନ୍ଦ୍ଵୀ ମୁହାଁମୁହିଁ ହୋଇ ପାରନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.